ହାର୍ଦିକଙ୍କ ବୋଲିଂ ଭାରତୀୟ ଏକାଦଶରେ ସନ୍ତୁଳନ ଆଣିବ

କଲମ୍ବୋ : ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଦଳ ପାଇଁ ସବୁଠାରୁ ଭଲ ଖବର ହେଉଛି ହାର୍ଦିକ ପାଣ୍ଡ୍ୟା ନେଟ୍ସରେ ବୋଲିଂ ଅଭ୍ୟାସ କଲେଣି। ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ଶୃଙ୍ଖଳା ପୂର୍ବରୁ ଭାରତୀୟ ଦଳ ଅନ୍ତଃଦଳ ମ୍ୟାଚ୍‌ ଖେଳି ନିଜକୁ ପ୍ରସ୍ତୁତ କରୁଛି। ଏହି ଅବସରରେ ହାର୍ଦିକ ବୋଲିଂ କରୁଥିବାରୁ ଏହା ଭାରତର ଚୂଡାନ୍ତ ଏକାଦଶ ଚୟନରେ ସନ୍ତୁଳନ ଆଣିବ ବୋଲି ଆଶା କରାଯାଉଛି। ୨୦୧୮ ମସିହା ଏସିଆ କପ୍ ବେଳେ ପିଠି ସମସ୍ୟା ଦେଖାଦେବା ଦିନଠାରୁ ହାର୍ଦିକ ଏକ ପ୍ରକାର ବୋଲିଂ କରୁନଥିଲେ। ଏହି କାରଣରୁ ତାଙ୍କୁ ଟେଷ୍ଟ୍ ଦଳଠାରୁ ଦୂରେଇ ରଖାଯାଇଛି।

ସୀମିତ ଓଭର କ୍ରିକେଟ୍‌ରେ ପାଣ୍ଡ୍ୟାଙ୍କୁ ଜଣେ ବ୍ୟାଟିଂ ଅଲ୍‌ରାଉଣ୍ଡର୍‌ ଭାବେ ଭାରତ ଦେଖିଆସିଛି। ଦିନିକିଆରେ ସେ ପ୍ରଶଂସନୀୟ ଭାବେ ୫.୫୬ ଇକୋନୋମିରେ ୫୫ ୱିକେଟ୍ ଏବଂ ଟ୍ବେଣ୍ଟି-୨୦ରେ ୧୯.୫ ‌ଷ୍ଟ୍ରାଇକ୍ ରେଟ୍‌ ଓ ୮.୧୭ ଇକୋନୋମିରେ ମୋଟ ୪୧ ୱିକେଟ୍ ନେଇଛନ୍ତି। ଚୂଡାନ୍ତ ଏକାଦଶରେ ପଞ୍ଚମ କିମ୍ବା ଷଷ୍ଠ ବୋଲର ଭୂମିକାକୁ ମଧ୍ୟ ଭଲ ଭାବେ ତୁଲାଇ ଜଣେ ଶୀର୍ଷସ୍ଥାନୀୟ ଅଲରାଉଣ୍ଡର୍‌ ଉଭା‌ ହୋଇଛନ୍ତି। ପ୍ରତିପକ୍ଷର ଭାଗୀଦାରିକୁ ଅଲଗା କରିବାରେ ସେ ସବୁବେଳେ ସଫଳ ହୋଇଥା’ନ୍ତି। ତେବେ ୨୦୧୮ ସେପ୍ଟେମ୍ବରରେ ପାକିସ୍ତାନ ବିପକ୍ଷ ଏସିଆ କପ୍‌ ମୁକାବିଲା ବେଳେ ପିଠି ଯନ୍ତ୍ରଣା ପରଠାରୁ ଭାରତ ଖେଳିଥିବା ୪୯ ଦିନିକିଆରୁ ହାର୍ଦିକ ୧୮ଟିରେ ପ୍ରତିନିଧିତ୍ବ କରିପାରିଛନ୍ତି। ଏହି ୧୮ଟିରୁ ସେ ୧୪ଟିରେ ବୋଲିଂ କରିଥିଲେ। ଗତବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ୨ଟି ଦିନିକିଆ ଏବଂ ଚଳିତ ବର୍ଷ ପ୍ରାରମ୍ଭର ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାର କିଛି ମ୍ୟାଚ୍‌ରେ ବୋଲିଂ କରିନଥିଲେ। ଏପରିକି ୨୦୨୦ ଏବଂ ୨୦୨୧ର ଅସମ୍ପୂର୍ଣ୍ଣ ଆଇପିଏଲ୍‌ରେ ମଧ୍ୟ ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଗୋଟିଏ ବି ବଲ୍‌ ବୋଲିଂ କରିନଥିଲେ। ବୋଲିଂ କରିପାରୁନଥିବାରୁ ସେ ବ୍ୟାଟିଂରେ ପ୍ରଭାବ ବିସ୍ତାର କରିବାକୁ ଚାହୁଁଛନ୍ତି କିନ୍ତୁ ସେତେଟା ସଫଳ ହୋଇପାରିନାହାନ୍ତି। ଫଳରେ ତାଙ୍କ ଉପରେ ଅତିରିକ୍ତ ଚାପ ପଡିଛି।

ଶେଷ ଥର ପାଇଁ ୨୦୨୧ ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ପୁନେ ଦିନିକିଆରେ ସେ ଚମତ୍କାର ବୋଲିଂ କରି ଦଳକୁ ୭ ରନ୍‌ର ରୋମାଞ୍ଚକ ବିଜୟ ଦେଇଥିବାରୁ ଏବେ ପାଣ୍ଡ୍ୟାଙ୍କ ବୋଲିଂ ଅଭ୍ୟାସ ଭାରତୀୟ ଶିବିର ପାଇଁ ଶୁଭ ସୂଚନା ଭଳି ହୋଇଛି। ଜୁଲାଇ ୧୭ ତାରିଖରୁ ଶ୍ରୀଲଙ୍କା ବିପକ୍ଷରେ ଭାରତ ୩ ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି-୨୦ ଖେଳିବାକୁ ଯାଉଥିବାରୁ ପାଣ୍ଡ୍ୟାଙ୍କ ଅଲରାଉଣ୍ଡର୍‌ ଭୂମିକା ନିଶ୍ଚିତ ନିର୍ଣ୍ଣାୟକ ହେବ ବୋଲି ବିଶ୍ବାସ କରାଯାଉଛି। ପାଣ୍ଡ୍ୟାଙ୍କୁ ବୋଲର ରୂପରେ ପାଇଲେ ଭାରତ ମଧ୍ୟ ଅତିରିକ୍ତ ଜଣେ ବ୍ୟାଟ୍ସମ୍ୟାନ୍‌ ଦଳରେ ନେଇପାରିବ। ସଫଳ ହେଲେ ତାଙ୍କ ଆତ୍ମବିଶ୍ବାସ ବଢ଼ିବ ଏବଂ ଟେଷ୍ଟ୍ ଦଳକୁ ଫେରିବା ବାଟ ଫିଟିବ। ସେହି ଦୃଷ୍ଟିରୁ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ଶୃଙ୍ଖଳା ଏବଂ ଏହା ପରବର୍ତୀ ଆଇପିଏଲ୍‌ ଅବଶିଷ୍ଟାଂଶ ପାଣ୍ଡ୍ୟାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଏବଂ ନିର୍ଣ୍ଣାୟକ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର