ନୂଆଦିଲ୍ଲୀ: ବେଙ୍ଗାଲୁରୁ ସାଇ କେନ୍ଦ୍ରରେ ହକି ଖେଳାଳିଙ୍କୁ ଯୋଗାଇ ଦିଆଯାଇଥିବା ଖାଦ୍ୟ ନିମ୍ନ ମାନର। ଏହାର ଗୁଣବତ୍ତା ଓ ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠାଇଛନ୍ତି ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ। ସଂପୃକ୍ତ କେନ୍ଦ୍ରରେ ଖେଳାଳିଙ୍କୁ ଦିଆଯାଉଥିବା ଭୋଜନର ଗୁଣବତ୍ତା ଓ ସ୍ୱଚ୍ଛତା ସ୍ତରକୁ ତୀବ୍ର ସମାଲୋଚନା କରିଛନ୍ତି ହରେନ୍ଦ୍ର। ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଏନେଇ ହରେନ୍ଦ୍ର ଗତ ଶନିବାର ହକି ଇଣ୍ଡିଆକୁ ପତ୍ର ଲେଖିଛନ୍ତି। ବେଙ୍ଗାଲୁରୁ କେନ୍ଦ୍ରରେ ଖାଦ୍ୟ ଖାଇଥିବା ଅଧିକାଂଶ ହକି ଖେଳାଳିଙ୍କ ରକ୍ତ ପରୀକ୍ଷାରୁ ପୁଷ୍ଟିସାର ଅଭାବଜନିତ ସମସ୍ୟା ରହିଥିବା ଜଣାପଡ଼ିଛି। ଯାହାକି ଆଗାମୀ ଚାମ୍ପିଅନ୍ସ ଟ୍ରଫି, ଏସୀୟ କ୍ରୀଡ଼ା ଏବଂ ବିଶ୍ୱ କପ୍ ପୂର୍ବରୁ ଖେଳାଳିଙ୍କ ଶାରୀରିକ ଦକ୍ଷତା ଉପରେ ପ୍ରଭାବ ପକାଇବ ବୋଲି ହରେନ୍ଦ୍ର ପତ୍ରରେ ଉଲ୍ଲେଖ କରିଛନ୍ତି। ହରେନ୍ଦ୍ରଙ୍କଠୁ ଏଭଳି ଅଭିଯୋଗ ପାଇବା ପରେ ହକି ଇଣ୍ଡିଆ ଏନେଇ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)କୁ ଅବଗତ କରାଇଛି। ଏବେ ହରେନ୍ଦ୍ର ଏବଂ ହକି ଇଣ୍ଡିଆର ଅଭିଯୋଗ ଉପରେ ଆଲୋଚନା ପାଇଁ ସାଇ ଏକ ଜରୁରୀକାଳୀନ ବୈଠକ ଆହ୍ଵାନ କରିଛି। ଆଞ୍ଚଳିକ ମୁଖ୍ୟଙ୍କ ସହ ସାଇ ମହାସଚିବ ଏହି ବୈଠକ ଡାକିଛନ୍ତି। ବୈଠକରେ ଅଭିଯୋଗକୁ ନେଇ ଖାଦ୍ୟର ଗୁଣବତ୍ତା ଓ ସ୍ୱଚ୍ଛତା ଉପରେ ସମୀକ୍ଷା କରାଯିବ। କ୍ରୀଡ଼ାବିତ୍ଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟର ମାନ ଉନ୍ନତ କି ନିମ୍ନ ମାନର ସେନେଇ ଆଞ୍ଚଳିକ ମୁଖ୍ୟ ହିଁ ଉତ୍ତରଦାୟୀ ରହିବେ। ଫଳରେ ଏଭଳି ନିନ୍ଦନୀୟ ଘଟଣାକୁ କେନ୍ଦ୍ର କରି ବେଙ୍ଗାଲୁରୁ କେନ୍ଦ୍ର ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସାଇ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି।
ମଙ୍ଗଳବାର ସାଇ ପକ୍ଷରୁ ଜାରି କରାଯାଇଥିବା ବିବୃତିରେ ଉଲ୍ଲେଖ କରାଯାଇଛି, ବେଙ୍ଗାଲୁରୁ କେନ୍ଦ୍ରରେ କ୍ରୀଡ଼ାବିତ୍ଙ୍କୁ ଯୋଗାଇ ଦିଆଯାଉଥିବା ଭୋଜନର ମାନ ଓ ସ୍ୱଚ୍ଛତା ନେଇ ଯେଉଁ ଅଭିଯୋଗ ଉଠିଛି ସେ ନେଇ ଆମେ ଗୁରୁତର ଭାବେ ବିଚାର କରୁଛୁ। ବେଙ୍ଗାଲୁରୁ କେନ୍ଦ୍ରରେ ଏଭଳି ସମସ୍ୟା ପୂର୍ବରୁ ମଧ୍ୟ ଆମ ନଜରକୁ ଆସିଥିଲା। ଚଳିତ ବର୍ଷ ମାର୍ଚରେ ବିଭାଗୀୟ ମନ୍ତ୍ରୀ ରାଜ୍ୟବର୍ଧନ ସିଂହ ରାଠୋରଙ୍କ ପରିଦର୍ଶନ ବେଳେ ଏଭଳି ସମସ୍ୟା ଦେଖାଦେଇଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୂର୍ବରୁ ଆୟୋଜତି ଏକ ଶିବିର ଅବସୀରେ ମନ୍ତ୍ରୀ କେନ୍ଦ୍ର ପରିଦର୍ଶନ କରିଥିଲେ। ସେତେବେଳେ ୨୪ ଘଣ୍ଟା ମଧ୍ୟରେ ଏଭଳି ପ୍ରସଙ୍ଗର ସମାଧାନ ହୋଇଯିବା ଉଚିତ୍ ବୋଲି ମନ୍ତ୍ରୀ ସାଇ ଆଞ୍ଜଳିକ ମୁଖ୍ୟଙ୍କୁ ନିର୍ଦେଶ ଦେଇଥିଲେ। ହେଲେ ମନ୍ତ୍ରୀଙ୍କ ସେହି ନିର୍ଦେଶ ମଧ୍ୟ କୌଣସି ପ୍ରଭାବ ପକାଇନଥିବା ହରେନ୍ଦ୍ରଙ୍କ ଅଭିଯୋଗ ପରେ ସ୍ପଷ୍ଟ ହୋଇଯାଇଛି। ତେଣୁ ଜଣେ ନୂଆ ରୋଷେୟା ନିଯୁକ୍ତ କରିବା, ଖାଦ୍ୟ ସରଞ୍ଜାମ ଯୋଗାଣ ଉପରେ ସ୍ୱଚ୍ଛତା ଅବଲମ୍ବନ କରିବା ସାଙ୍ଗକୁ ଗୁଣବତ୍ତା ବଜାୟ ରଖିବା ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦେଶ ଦିଆଯାଇଥିବା ସାଇ ପକ୍ଷରୁ କୁହାଯାଇଛି।
ହକି ଖେଳାଳିଙ୍କ ଖାଦ୍ୟକୁ ନେଇ ହରେନ୍ଦ୍ରଙ୍କ ସମାଲୋଚନା:ବେଙ୍ଗାଲୁରୁ କେନ୍ଦ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବ ସାଇ
/sambad/media/post_attachments/wp-content/uploads/2018/06/harendra-singh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)