ନୂଆଦିଲ୍ଲୀ: ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସ ପଦକ ଜିତି ଭାରତୀୟ ପୁରୁଷ ହକି ଦଳ ସଫଳତାର ନୂଆ ଶିଖର ଛୁଇଁଛି। ମହିଳା ଦଳ ମଧ୍ୟ ବିଶ୍ବ ହକିର ଅନ୍ୟତମ ମହାଶକ୍ତି ଭାବେ ଉଭା ହୋଇଛି। ତେବେ ଏହା ପରେ ଆଉ କଣ? ଏମିତି ଏକ ପ୍ରଶ୍ନ ନିଶ୍ଚିତ ଭାବେ ହକିପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଥିବ। ତା ସହ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ କ’ଣ ଭାରତର ସ୍ବର୍ଣ୍ଣ ସ୍ବପ୍ନ ସାକାର ହେବ ? ମହିଳା ଦଳ କ’ଣ ଆଗାମୀ ଚାରିବର୍ଷ ପର୍ଯ୍ୟନ୍ତ ନିଜର ଫର୍ମକୁ ବଜାୟ ରଖି ପାରିବ ?। ଏମିତି କିଛି ପ୍ରଶ୍ନ ବି ହକିପ୍ରେମୀଙ୍କ ମନରେ ଉଙ୍କିମାରିବା ସ୍ବଭାବିକ। ପ୍ରଶଂସକଙ୍କ ଏଭଳି ଆଶା ଓ ଆକାଂକ୍ଷାକୁ ପୂରଣ କରିବା ଲାଗି ଇତିହାସ ରଚିଥିବା ଭାରତୀୟ ଖେଳାଳିଙ୍କ ପରବର୍ତ୍ତୀ ପଥ ଓ ପଦକ୍ଷେପ କିଭଳି ହେବା ଉଚିତ, ହକିର ଚମକକୁ ବଜାୟ ରଖିବା ଲାଗି କ’ଣ କରିବା ଦରକାର, ଏସବୁର ଉତ୍ତର ଦେଇଛନ୍ତି ଭାରତୀୟ ପୁରୁଷ ହକି ଦଳର ପୂର୍ବତନ ପ୍ରଶିକ୍ଷକ ହରେନ୍ଦ୍ର ସିଂହ। ସଂପ୍ରତି ଆମେରିକା ପୁରୁଷ ଦଳର ପ୍ରଶିକ୍ଷକ ଥିବା ହରେନ୍ଦ୍ର ବିଶ୍ବାସ କରନ୍ତି ଯେ ଏଥିଲାଗି ଭାରତୀୟ ଦଳର ମୂଳଦୁଆ ଆହୁରି ଶକ୍ତିଶାଳୀ ହେବା ଦରକାର। ସେହିଭଳି ଆଗାମୀ ପିଢ଼ିକୁ ଅନୁପ୍ରେରିତ କରିବା ଲାଗି ହକିକୁ ଆହୁରି ସୁଦୂରପ୍ରସାରୀ କରିବାକୁ ଆହ୍ବାନ ଦେଇଛନ୍ତି ହରେନ୍ଦ୍ର।
ପ୍ରଶ୍ନ: ଭାରତୀୟ ପୁରୁଷ ହକି ଦଳ ୧୯୮୦ ମସିହା ପରେ ପ୍ରଥମ ଅଲିମ୍ପିକ୍ସ ପଦକ ଜିତିଛି। ଟୋକିଓ ଅଲିମ୍ପିକ୍ସ ପୂର୍ବର ସ୍ଥିତିକୁ ଯଦି ଦେଖିବା, ଅପଣ ଭାରତର ଏଭଳି ସଫଳତାରେ ସନ୍ତୁଷ୍ଟ କି?
ହରେନ୍ଦ୍ର: ଅଲିମ୍ପିକ୍ସରେ ସାମିଲ ଥିବା ପ୍ରତ୍ୟେକ ଖେଳାଳିଙ୍କର ଗୋଟିଏ ଲକ୍ଷ୍ୟ ଥାଏ, ପଦକ ଜିତିବା। ଆମ ପୁରୁଷ ଓ ମହିଳା ହକି ଦଳ ମଧ୍ୟ ସେହି ମାନସିକତା ନେଇ ଟୋକିଓ ଯାଇଥିଲେ। କାରଣ ଗତ ୪ରୁ ୫ ବର୍ଷ ହେବ ଉଭୟ ଦଳ ବହୁତ ଭଲ ଖେଳୁଥିଲେ। ସେଥିପାଇଁ ସେମାନଙ୍କ ଉପରେ ପ୍ରଶଂସକଙ୍କ ଉଚ୍ଚ ଆଶା ଥିଲା। ସେମାନେ ବି ବହୁତ ଭଲ ଖେଳିଲେ। ବିଶେଷ କରି ମହିଳା ଦଳ ଚମତ୍କାର ପ୍ରଦର୍ଶନ କଲା। କାରଣ ବିଶ୍ବ ମାନ୍ୟତାର ୯ରୁ ୫ କିମ୍ବା ୬କୁ ଯିବା ବହୁତ କଷ୍ଟକର। ପ୍ରଥମ ତିନିଟି ମ୍ୟାଚ୍ରେ ପରାଜିତ ହେବା ପରେ ସେମିଫାଇନାଲ୍ ଖେଳିବା ମଧ୍ୟ ସମ୍ଭବତଃ ଅଲିମ୍ପିକ୍ସ ମହିଳା ହକି ଇତିହାସର ପ୍ରଥମ ଘଟଣା।
ପ୍ରଶ୍ନ: ଏହି କାଂସ୍ୟ ପଦକ ବ୍ୟକ୍ତିଗତ ଭାବେ ଆପଣଙ୍କ ପାଇଁ କେତେ ମହତ୍ବ ରଖେ। ତୃତୀୟ/ଚତୁର୍ଥ ସ୍ଥାନ ମ୍ୟାଚ୍ର ସିଧା ପ୍ରସାରଣ ବେଳେ ଆପଣ ବାରମ୍ବାର ଭାବବିହ୍ବଳ ହୋଇଯାଉଥିବା ଦେଖିବାକୁ ମିଳିଥିଲା?
ହରେନ୍ଦ୍ର: ହକି ସହ ପ୍ରତ୍ୟେକ ଭାରତୀୟଙ୍କର ଭାବପୂର୍ଣ୍ଣ ସଂପର୍କ ରହିଛି। ବ୍ୟକ୍ତିଗତ ଭାବେ ଏହା ମୋ ପାଇଁ ଆତ୍ମସନ୍ତୋଷ ଭରା ମୁହୂର୍ତ୍ତ ଥିଲା। ହକି ପଡ଼ିଆରେ ପାଦ ଦେବା କ୍ଷଣି, ମୁଁ ସବୁବେଳେ ସବୁ ଖେଳାଳିଙ୍କୁ କହୁଥିଲି, ମୁଁ ତୁମମାନଙ୍କ ବେକରେ ଏକ ଅଲିମ୍ପିକ୍ସ ପଦକ ଝୁଲୁ ଥିବାର ଦେଖିବାକୁ ଚାହୁଛି। ଏହାର ରଙ୍ଗ ଯାହା ହେଉନା କାହିଁକି। କାରଣ ସିଡ୍ନି ଅଲିମ୍ପିକ୍ସର ଦୁଃଖ (ପୋଲାଣ୍ଡ ବିପକ୍ଷ ମ୍ୟାଚ୍ର ଶେଷ ଦୁଇ ମିନିଟ୍ରେ ଦୁଇଟି ଗୋଲ୍ ବରଣ କରି ଭାରତ ସେମିଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଥିଲା) ମୋ ମନରୁ କେବେବି ଦୂର ହେବନି। ଛୋଟ ସହରରୁ ଏବଂ ଗରିବ ପରିବାରରୁ ଆସି ଅଲିମ୍ପିକ୍ସରେ ଦେଶ ପାଇଁ ସୁନାମ ଆଣିଥିବା ମହିଳା ଖେଳାଳିଙ୍କୁ ନେଇ ମୁଁ ଢେର ଗର୍ବିତ।
ପ୍ରଶ୍ନ: ଭାରତର ଟୋକିଓ ସଫଳତା ଛୋଟ ଛୋଟ ସହରରେ ହକିକୁ ଆହୁରି ଲୋକପ୍ରିୟ କରିବ ବୋଲି ଭାବୁଛନ୍ତି କି?
ହରେନ୍ଦ୍ର: ମୁଁ ଭାବୁଛି କୁନି କୁନି ପିଲା ଅଧିକ ଅନୁପ୍ରେରିତ ହେବେ। ଏଭଳି ସ୍ଥିତିରେ ସମସ୍ତଙ୍କ ଭୂମିକାର ଗୁରୁତ୍ବ ବଢ଼ିଯାଇଛି। ହକିକୁ କ୍ରୀଡ଼ାର ମୁଖ୍ୟସ୍ରୋତକୁ ଆଣିବା ଲାଗି ଏହାକୁ ପୁଣି ଥରେ ସ୍କୁଲ ସ୍ତରକୁ ଆଣିବାକୁ ପଡ଼ିବ। ଛୋଟ ପଡ଼ିଆ ହେଉକି, ଫାଇଭ୍ ଏ ସାଇଡ୍, ହକିକୁ ପୁଣି ଥରେ ସ୍କୁଲ୍ ସ୍ତରକୁ ଫେରାଇ ଆଣିବାକୁ ହେବ। କାରଣ ବଡ଼ ବଡ଼ ସହରରୁ ଆଉ ପ୍ରତିଭାବାନ ହକି ଖେଳାଳି ବାହାରୁ ନଥିବା ଆମେ କହି ପାରିବା। ଦିଲ୍ଲୀରେ ଏବେ ପାଞ୍ଚଟି ଆଷ୍ଟ୍ରୋଟର୍ଫ ଅଛି। ହେଲେ ଜାତୀୟ କୋର୍ ଗ୍ରୁପ୍ରେ ଦିଲ୍ଲୀର ୫ଜଣ ଖେଳାଳି ବି ନାହାନ୍ତି। କାରଣ ସ୍କୁଲ୍ ଦଳ ଆଉ ନାହାନ୍ତି। ଏଣୁ ଆମକୁ ଛୋଟ ହେଉ କି ବଡ଼ ସହର, ସବୁଠି ତୃଣମୂଳ ହକି ଖେଳା ଯାଇ ପାରୁ ଥିବାର ବ୍ୟବସ୍ଥା କରିବାକୁ ହେବ।
ପ୍ରଶ୍ନ: ଅବିଭାବକମାନେ ସ୍ବଇଚ୍ଛାରେ ଆଗେଇ ଆସି ଛୋଟ ପିଲାଙ୍କୁ ପ୍ରେରିତ କଲେ ଆହୁରି ଭଲ ଫଳ ମିଳିବ ବୋଲି ଆପଣ ଭାବୁଛନ୍ତି କି?
ହରେନ୍ଦ୍ର: ଯେତେବେଳେ ଅବିଭାବକ ଓ ପିଲା ଏକତ୍ର କିଛି କରିବାର ଦମ୍ଭ ଦେଖାନ୍ତି, ସେତେବେଳେ ହିଁ କ୍ରୀଡ଼ାର ଉନ୍ନତି ହୁଏ। କାରଣ ପଡ଼ିଆକୁ କିଏ ପିଲାଙ୍କୁ ଆଣିବ? ଅବିଭାବକ ହିଁ ଏହି କାର୍ଯ୍ୟ କରିପାରିବେ। ଛୋଟ ଛୋଟ ପିଲାମାନେ ଯାହା ଦେଖନ୍ତି, ତାହା ହିଁ କରିବାକୁ ଭଲ ପା’ନ୍ତି। ଏଣୁ ଖେଳାଳି, ମହାସଂଘ ଓ ଗଣମାଧ୍ୟମ ଓ ପ୍ରସାରଣକାରୀ ସଂସ୍ଥା ସମସ୍ତେ ହକିକୁ ଘରେ ଘରେ ପହଞ୍ଚାଇବାର ଦାୟିତ୍ବ ନିଅନ୍ତୁ। ଏହି ଚର୍ଚ୍ଚା ୧୫ ଦିନ କିମ୍ବା ଗୋଟିଏ ମାସ ଭିତରେ ଥମି ନଯାଉ। ଖୁବଶୀଘ୍ର ଆମେ ଆଇପିଏଲ୍ ଦେଖିବା ଆରମ୍ଭ କରିବା ଏବଂ ଏସବୁ ହୋ ହଲ୍ଲା ବନ୍ଦ ହୋଇଯିବ। ମୋତେ ଦ୍ରେଣାଚାର୍ଯ୍ୟ ପୁରସ୍କାର ମିଳିଛି, ହେଲେ ମୋ ମତରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ତୃଣମୂଳସ୍ତରୀୟ ପ୍ରଶିକ୍ଷକଙ୍କୁ ମିଳିବା ଦରକାର। କାରଣ ସେମାନଙ୍କ ଅବଦାନ ଅଧିକ। ଅବତାର ସିଂହ (ସୁରଜିତ ହକି ଏକାଡେମି), କାଳୁ ଚରଣ ଚୌଧୁରୀ (ଓଡ଼ିଶା) ହେଉଛନ୍ତି ପରଦା ପଛର ଅସଲ ନାୟକ। ସେମାନେ ହିଁ ପିଲା ଠାବ କରନ୍ତି। ଆମେ କେବଳ ସେହି ପିଲାଙ୍କ ପ୍ରତିଭାକୁ ଶାଣିତ କରୁ। ଦୁଃଖର କଥା ହେଲା କେହି ସୁନାର ଉଦ୍ଭାବକଙ୍କୁ ମନେ ରଖନ୍ତିନି, ସେମାନଙ୍କ ସ୍ମରଣରେ କେବଳ ବଣିଆ ହିଁ ରହିଥାଏ।