ଜନ୍ମଦିନରେ ଲିଙ୍ଗରାଜଙ୍କ ଆଶୀର୍ବାଦ ନେଲେ ହରେନ୍ଦ୍ର

ପୁରୁଣା ଭୁବନେଶ୍ବର: ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଭାରତୀୟ ପୁରୁଷ ହକି ଦଳର ପ୍ରଶିକ୍ଷକ ହରେନ୍ଦ୍ର ସିଂ ଓ ଗୋଲ୍‌ରକ୍ଷକ ତଥା ପୂର୍ବତନ ଅଧିନାୟକ ଆର୍‌ ଶ୍ରୀଜେଶ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିଥିଲେ । ସେ ପ୍ରଥମେ ସିଦ୍ଧି ବିନାୟକଙ୍କୁ ପୂଜାର୍ଚନା କରିବା ପରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ପାଖକୁ ଯାଇଥିଲେ। ମନ୍ଦିରରେ ପୂଜା ଚାଲିଥିବା ବେଳେ ସେମାନେ ଆଡ଼କାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପରେ ସେ ମା’ ପାର୍ବତୀ, ମା’ ଭୁବନେଶ୍ବରୀ ଓ ନନ୍ଦିଙ୍କ ପାଖକୁ ଯାଇଥିଲେ। ଆଜି ହରେନ୍ଦ୍ର ଥିଲା ଜନ୍ମଦିନ। ସେଥି ପାଇଁ ସେ ଠାକୁରଙ୍କ ଆଶୀର୍ବାଦ ନେବାକୁ ଯାଇଥିଲେ। ସେହିପରି ଆଗକୁ ହକି ଖେଳରେ ଭାରତ ବିଜୟ ଲାଭ କରିବା ପାଇଁ ପୂଜା କରିଥିଲେ ବୋଲି ସେବାୟତମାନେ କହିଛନ୍ତି। ମନ୍ଦିର ସୁପରଭାଇଜର୍‌ ରାଜ କିଶୋର ମହାପାତ୍ର ତାଙ୍କର ପୂଜା କରାଇଥିଲେ । ତେବେ ତାଙ୍କୁ ଦେଖି ସାଧାରଣ ଲୋକଙ୍କ ଭିଡ଼ ଜମିଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଥିଲା। ହକି ମ୍ୟାଚ୍‌ ଦିନ ସକାଳୁ ପୁଣି ଆସିଲେ ଅଖଣ୍ଡ ଦୀପ ବସିବ ବୋଲି ସେବାୟତମାନେ କହିଥିଲେ। ଉଭୟଙ୍କ ମନ୍ଦିର ପରିଦର୍ଶନ ସମୟରେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧିତ ଖବର