ହକି ଦ୍ରୋଣାଚାର୍ଯ୍ୟ ହରେନ୍ଦ୍ର ସିଂହଙ୍କ ସହ ସାକ୍ଷାତକାର: ଶିବିର ବାହାର ଖେଳାଳିଙ୍କୁ ସୁଯୋଗ ମିଳିବ

ଭୁବନେଶ୍ୱର: ମହିଳା ହକି ଦଳକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ପରେ ଦ୍ରୋଣାଚାର୍ଯ୍ୟ ହରେନ୍ଦ୍ର ସିଂହଙ୍କୁ ପୁରୁଷ ଦଳର ଦାୟିତ୍ୱ ଦେଇଛି ହକି ଇଣ୍ଡିଆ। ଅଷ୍ଟାଦଶ ଏସିଆଡ୍‌ରେ ତାଙ୍କ ତତ୍ତ୍ୱାବଧାନ ଓ ପ୍ରଶିକ୍ଷଣରେ ହିଁ ଭାରତୀୟ ପୁରୁଷ ଦଳ କାଂସ୍ୟ ପଦକ ଜିତିଛି। ଇଣ୍ଡୋନେସିଆରୁ ଫେରିବା ପରେ ଭୁବନେଶ୍ୱରରେ ରହି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳକୁ ପ୍ରସ୍ତୁତ କରୁଛନ୍ତି ହରେନ୍ଦ୍ର। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଶିବିରକୁ ପରିଚାଳନା କରୁଛନ୍ତି ସେ। ଏହି ଅବସରରେ ଭୁବନେଶ୍ୱର ହକି ବିଶ୍ୱକପ୍‌ ସହ ଆଗକୁ ଥିବା ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ହକି ଦଳର ଲକ୍ଷ୍ୟ ଏବଂ ଯୋଜନା ବିଷୟରେ ‘ସମ୍ବାଦ’କୁ ହରେନ୍ଦ୍ର ଦେଇଥିଲେ ବ୍ୟାପକ ଏବଂ ବିସ୍ତତ ସୂଚନା। ସେହିଭଳି ଏସିଆଡ୍‌ ସ୍ୱର୍ଣ୍ଣ ହାତଛଡ଼ା ହେବା ନେଇ ମନରେ ଥିବା ଦୁଃଖ ଏବଂ ଅବସୋସକୁ ବି ବଖାଣି ଥିଲେ।

ସମ୍ବାଦ: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ଶିବିରରେ ଜଣେ ହେଲେ ବି ଓଡ଼ିଆ ଖେଳାଳି ନଥିଲେ? ଏହା ଏକ ନୀତିଗତ ନିଷ୍ପତ୍ତି ଥିଲା ନା ସେମାନଙ୍କ ପ୍ରଦର୍ଶନ ଶିବିରରେ ସ୍ଥାନ ପାଇବା ଲାଗି ଯୋଗ୍ୟ ନଥିଲା?
ହରେନ୍ଦ୍ର: ନା ସେମିତି ନୁହେଁ। ଅମିତ ଶିବିରରେ ଅଛନ୍ତି। ପୂର୍ବରୁ ଘୋଷଣା ହୋଇଥିବା ତାଲିକା ବିଷୟରେ ମୁଁ ବିଶେଷ କିଛି ଜାଣି ନାହିଁ। ଓଡ଼ିଶା, ପଞ୍ଜାବ, ହରିଆଣା ବୋଲି କିଛି ନାହିଁ। ଦେଶ ପାଇଁ ଖେଳିଲା ବେଳେ ‘ଭାରତ’ ସର୍ବାଗ୍ରେ ଥାଏ। ହକି ଇଣ୍ଡିଆର ମୂଳ ୪୮ ଜଣିଆ କୋର ପ୍ରୋବାବଲ୍ସରେ ଥିବା ଖେଳାଳିଙ୍କୁ ଏହି ଶିବିରକୁ ଡାକରା ମିଳିଛି। ତା’ ବାହାରୁ ନୁହେଁ। ଯେଉଁମାନେ ସେହି ୪୮ ଜଣିଆ ଦଳରେ ଥିଲେ ସେମାନେ ସମସ୍ତେ ପର୍ଯ୍ୟାୟ କ୍ରମେ ଶିବିରରେ ସାମିଲ ହେବେ।

ସମ୍ବାଦ: ଏହି ଶିବିରରୁ କେତେ ଜଣ ଖେଳାଳି ବିଶ୍ୱକପ୍‌ ଦଳରେ ସ୍ଥାନ ପାଇବେ ବୋଲି ଭାବୁଛନ୍ତି?
ହରେନ୍ଦ୍ର: ଏକଥା ଏବେ କହିବା ସମ୍ଭବ ନୁହେଁ। ମୁଁ ଆପଣଙ୍କୁ ସଂଖ୍ୟା ଦେଇ ପାରିବି ନାହିଁ। ଚୟନକର୍ତା ସମସ୍ତଙ୍କ ପ୍ରଦର୍ଶନ ଦେଖୁଛନ୍ତି। ଯାହା ପ୍ରଦର୍ଶନ ଭଲ ହେବ, ସେ ଦଳରେ ସ୍ଥାନ ପାଇବ। ଏବେ ଚାଲୁଥିବା ଶିବିର ବାହାରେ ଥିବା ଖେଳାଳିଙ୍କୁ ମଧ୍ୟ ବିଶ୍ୱକପ୍‌ ଦଳ ଘୋଷଣା ବେଳେ ବିଚାରକୁ ନିଆଯିବ। ବୀରେନ୍ଦ୍ର ଲାକ୍ରାକୁ ୨୦୦୬ରେ ପାନପୋଷ ଛାତ୍ରାବାସରୁ ମୁଁ ହିଁ ଜାତୀୟ ଦଳକୁ ପଠାଇଥିଲି।
ସମ୍ବାଦ: ବିଶ୍ୱକପ୍‌ ପୂର୍ବରୁ ଆଉ ଏକ ଶିବିର ହେବ ନା ଏହା ଶେଷ ଶିବିର।
ହରେନ୍ଦ୍ର: ନା ବିଶ୍ୱକପ୍‌ ନଭେମ୍ବର ୨୮ରୁ ଆରମ୍ଭ ହେବ। ଆମେ ଅକ୍ଟୋବର ୨୯ରେ ଏଠାକୁ ପୁଣି ଆସିବୁ। ସେତେବେଳେ ମଧ୍ୟ ପାଖାପାଖି ମାସେ ପାଇଁ ଆଉ ଏକ ଶିବିରର ଆୟୋଜନ ହେବ।
ସମ୍ବାଦ: ଏସିଆଡ୍‌ରେ ଭାରତ ସ୍ୱର୍ଣ୍ଣ ଜିତିବ ବୋଲି ଆଶା ଥିଲା। ହେଲେ କାଂସ୍ୟରେ ସନ୍ତୁଷ୍ଟ ରହିଲା, ଏମିତି କାହିଁକି ହେଲା ବୋଲି ଭାବୁଛନ୍ତି?
ହରେନ୍ଦ୍ର: ଏସିଆଡ୍‌ରେ ଆମେ ବହୁତ ଖରାପ ଖେଳିଲୁ ବୋଲି କହିବିନି। ୫୬ ପ୍ରତିଶତ ବଲ୍‌ ଆମ ପାଖରେ ଥିଲା। ହେଲେ ମାଲେସିଆ ବିପକ୍ଷ ଶେଷ ୫ ମିନିଟ୍‌ରେ ଆମେ ବଲ୍‌ ନିଜ ପାଖରେ ରଖି ପାରିଲୁନି। ୟା ଉପରେ ଆମେ କାମ କରୁଛୁ। ସବୁ ମ୍ୟାଚ୍‌ରେ ଯେମିତି ଏହି ପ୍ରତିଶତକୁ ବଜାୟ ରଖି ପାରିବୁ ସେ ଚେଷ୍ଟା କରୁଛୁ। ହକିରେ ବଲ୍‌ ପଜେସନର ବହୁତ ଗୁରୁତ୍ୱ ରହିଛି। ପ୍ରତିପକ୍ଷକୁ ବଲ୍‌ ଦେଲେ ହିଁ ସେ ଗୋଲ୍‌ କରିବ, ନଦେଲେ କେମତି ଗୋଲ୍‌ କରିବ ? ଏସିଆଡ୍‌ ଦୁଃଖ ସାରା ଜୀବନ ରହିବ। ହେଲେ ଆମେ ଏଥିରୁ ଶିକ୍ଷା ନେଇ ଆଗକୁ ବଢ଼ିବୁ।
ସମ୍ବାଦ: ବିଶ୍ୱକପ୍‌ରେ ଭାରତ ଲକ୍ଷ୍ୟ କ’ଣ ରହିବ?
ହରେନ୍ଦ୍ର: ଆମେ ଏବେ ୫ ନମ୍ବରରେ ଅଛୁ। ତିନି ନମ୍ବରକୁ ଉଠି ପାରିଲେ ଆହୁରି ଭଲ। ଏବେ ବିଶ୍ୱକପ୍‌ ଉପରେ ମତ ଦେବା ଠିକ୍‌ ହେବନି। ଆଗକୁ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି ଅଛି, ସଂପ୍ରତି ଆମେ ତା’ ଉପରେ ଧ୍ୟାନ ଦେଉଛୁ। ହକିର ଲୋକପ୍ରିୟତା ବଢ଼ୁଥିବାରୁ ମୁଁ ବହୁତ ଖୁସି। ବିଶ୍ୱକପ୍‌ ପରେ ଭାରତୀୟ ହକି ଆହୁରି ଆଗକୁ ବଢ଼ିବ ବୋଲି ଭାବୁଛି।
ସମ୍ବାଦ: ଆପଣ ଆଗରୁ ମହିଳା ଦଳର ପ୍ରଶିକ୍ଷକ ଥିଲେ। ଏବେ ପୁରୁଷ ଦଳ ଦାୟିତ୍ୱରେ ଅଛନ୍ତି। ମହିଳା ଓ ପୁରୁଷ ଦଳର ପ୍ରଶିକ୍ଷଣରେ କିଛି ପାର୍ଥକ୍ୟ ଅଛି କି?
ହରେନ୍ଦ୍ର: ପ୍ରଶିକ୍ଷଣର ଶୈଳୀରେ ବିଶେଷ କିଛି ଫରକ ନାହିଁ। ହେଲେ ମହିଳାମାନେ ଟିକିଏ ଭାବପ୍ରବଣ ହୋଇ ଥାଆନ୍ତି। ସେମାନଙ୍କୁ ପ୍ରଶିକ୍ଷଣ ଦେଲା ବେଳେ ଏକଥା ଧ୍ୟାନରେ ରଖିବାକୁ ପଡ଼ିଥାଏ। ପୁରୁଷ ଦଳକୁ ପ୍ରଶିକ୍ଷଣ ଦେଲା ବେଳେ ଏସବୁ ଅଙ୍କୁଶ ନଥାଏ।
ସମ୍ବାଦ: ଦେଶୀ ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣରେ ମଧ୍ୟ ଭାରତୀୟ ହକି ଦଳ ସଫଳ ହୋଇ ପାରିବ, ଆପଣ ଏହା ପ୍ରମାଣିତ କରିଛନ୍ତି, ଏଥିନେଇ ଆପଣଙ୍କ ମତ କ’ଣ?
ହରେନ୍ଦ୍ର: ଦେଶୀ ଓ ବିଦେଶୀ ପ୍ରଶିକ୍ଷକ ବୋଲି କିଛି ନାହିଁ। ଏମିତି କିଛି ଲଢ଼େଇ ନାହିଁ, ଏହା ଏକ ଭ୍ରମ। ଦଳ ଯେପର୍ଯ୍ୟନ୍ତ ଭଲ କରୁଛି ସବୁକିଛି ଭଲ। ମୋତେ ଆହୁରି ଅନେକ କିଛି କରିବାର ଅଛି। ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ହକି ଇଣ୍ଡିଆ ନିକଟରେ ମୁଁ କୃତଜ୍ଞ। ମିଳିଥିବା ଦାୟିତ୍ୱକୁ ସୂଚାରୁ ରୂପରେ ତୁଲାଇବାକୁ ମୁଁ ଆପ୍ରଣ ଉଦ୍ୟମ କରିବି। ଯେତେ ଅଧିକ ଭାରତୀୟ ପ୍ରଶିକ୍ଷକ ଆଗକୁ ଆସିବେ, ମୋତେ ସେତେ ଖୁସି ଲାଗିବ।
ସମ୍ବାଦ: ପରମ୍ପରାଠୁ ଉର୍ଧ୍ୱକୁ ଯାଇ ହକି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରିବାରେ ଓଡ଼ିଶା ସମ୍ଭବତଃ ଏକମାତ୍ର ରାଜ୍ୟ। ବିଶ୍ୱ ହକିରେ ଏହାର କି ପ୍ରଭାବ ପଡ଼ିବ ବୋଲି ଭାବୁଛନ୍ତି?
ହରେନ୍ଦ୍ର: ଓଡ଼ିଶା ସରକାର ଯେଉଁ କାମ କରିଛନ୍ତି ସେଥିପାଇଁ ଧନ୍ୟବାଦ। ହେଲେ ମୁଁ କହିରଖେ ଏହା ଦ୍ୱାରା ବିଶ୍ୱ ଦରବାରେ ଭୁବନେଶ୍ୱରର ଭାବମୂର୍ତି ବଦଳିଛି। ଆଜି ସମସ୍ତେ ଭୁବନେଶ୍ୱର ଆସିବାକୁ ଚାହୁଁଛନ୍ତି। ମୋ ପାଖକୁ ପ୍ରତିଦିନ ବିଶ୍ୱକପ୍‌ ଟିକେଟ ଏବଂ ଓଡ଼ିଶା ସଂପର୍କିତ ଶହ ଶହ ମେସେଜ୍‌ ଆସୁଛି।
ସମ୍ବାଦ: କଳିଙ୍ଗ ଷ୍ଟାଡିୟମ୍‌ର ନୂଆ ଟର୍ଫ ନେଇ କ’ଣ କହିବେ? ପୁରୁଣା ଟର୍ଫରେ ଠାଏ ଠାଏ ପାଣି ଜମୁଥିବାର ଅଭିଯୋଗ ହେଉଥିଲା!
ହରେନ୍ଦ୍ର: ଆମେ ଏଠାରେ ପାଖାପାଖି ଦେଢ଼ ଘଣ୍ଟାର ଅଭ୍ୟାସ କରି ସାରିଲାଣୁ। ପିଚ୍‌ର ଦୋଷ ଦୁର୍ବଳତା ଜାଣିବା ପାଇଁ ଦିନକୁ ଦୁଇ ଥର ପାଣି ପକାଉଛୁ। ହେଲେ କୋଉଠି ବି ପାଣି ଜମୁ ଥିବାର ଦେଖିବାକୁ ପାଉନାହୁଁ। ଟର୍ଫ ବହୁତ ଭଲ ବୋଲି ମୋର ହୃଦୟଙ୍ଗମ ହୋଇଛି। ଆପଣ ଯେ କୌଣସି ଖେଳାଳିଙ୍କୁ ବି ପଚାରନ୍ତୁ, ବିଶ୍ୱରେ ଅନ୍ୟ କୌଣସିଠାରେ ଏମିତି ଷ୍ଟାଡିୟମ୍‌ ନାହିଁ ବୋଲି ସେ କହିବେ।

ସମ୍ବନ୍ଧିତ ଖବର