ପାକିସ୍ତାନ ସୁପର୍ ଲିଗରେ କ୍ୟାଚ୍ ଛାଡିବାରୁ ବୋଲର୍ ଫିଲ୍ଡରଙ୍କୁ ମାରିଲେ ଚାପୁଡା ! ଭିଡିଓ ହେଲା ଭାଇରାଲ୍

ଲାହୋର୍: ପାକିସ୍ତାନ ସୁପର୍ ଲିଗର ଏକ ମ୍ୟାଚରେ ଲାହୋର୍ କଲଂଦର୍ସର ଦ୍ରୁତ ବୋଲର୍ ହାରିସ୍ ରୌଫ୍ ନିଜ ସାଥୀ ଖେଳାଳି କାମରାନ୍ ଗୁଲାମଙ୍କୁ ଚାପୁଡା ମାରିଛନ୍ତି। କାମରାନ୍ ଗୁଲାମ୍ ହାରିସ୍ ରୌଫଙ୍କ ବଲରେ ପେଶାଓ୍ଵର ଜାଲ୍ମିର ବ୍ୟାଟସ୍‌ମ୍ୟାନ୍‌ ହଜରତୁଲ୍ଲା ଜଜାଈଙ୍କ ଏକ କ୍ୟାଚ୍ ଛାଡିଥିଲେ, ଏଥିରେ ହାରିସ୍ ରୌଫ୍ ରାଗି ଯାଇଥିଲେ।

ଓଭରର ଶେଷ ବଲରେ ହାରିସ୍ ରୌଫ୍ ମହମ୍ମଦ ହାରିସଙ୍କୁ ଆଉଟ୍ କରିଥିଲେ। ଯେତେବେଳେ ସବୁ ଖେଳାଳି ଖୁସି ମନାଇବା ପାଇଁ ଏକାଠି ହେଉଥିଲେ ସେତେବେଳେ ହାରିସ୍ ରୌଫ୍ ନିଜ କ୍ରୋଧ ପ୍ରକାଶ କରିଥିଲେ ଓ କାମରାନଙ୍କୁ ଚାପୁଡା ମାରିଥିଲେ। ଏଥିରେ କୌଣସି ପ୍ରତିକ୍ରିୟା ନଦେଇ କାମରାନ୍ ହସିବାକୁ ଲାଗିଥିଲେ। ଏବେ ଏହି ଘଟଣାର ଭିଡିଓ ଭାଇରାଲ୍ ହୋଇଯାଇଛି।

ତେବେ ମ୍ୟାଚ୍ ସମୟରେ କାମରାନ୍ ନିଜ ଚମତ୍କାର ଖେଳ ଦ୍ଵାରା ହାରିସ୍ ରୌଫଙ୍କୁ ଜବାବ ବି ଦେଇଥିଲେ। ୧୭ତମ ଓଭରରେ ସେ ପେଶାଓ୍ଵର ଜାଲ୍ମିର ଅଧିନାୟକ ଓ୍ଵାହାବ୍ ରିଆଜଙ୍କୁ ରନ୍ ଆଉଟ୍ କରିଥିଲେ। ଓ୍ଵିକେଟ୍ ନେବା ପରେ ଯେତେବେଳେ କାମରାନ୍ ଖୁସି ମନାଉଥିଲେ ସେତେବେଳେ ହାରିସ୍ ରୌଫ୍ ତାଙ୍କୁ କୁଣ୍ଢାଇଥିଲେ। ବର୍ତ୍ତମାନ ସୁଦ୍ଧା ପାକିସ୍ତାନ କ୍ରକେଟ୍ ବୋର୍ଡ୍ ହାରିସ ରୌଫଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇନାହିଁ।

ପାକିସ୍ତାନ ସୁପର ଲିଗର ଅନ୍ୟ ଏକ ମ୍ୟାଚ୍ ସମୟରେ ପାକିସ୍ତାନର ଦ୍ରୁତ ବୋଲର୍ ସୋହେଲ୍ ତନଭୀର୍ ଓ ଅଷ୍ଟ୍ରେଲିଆର ବ୍ୟାଟର୍ ବେନ୍ କଟିଂଙ୍କ ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳିଥିଲା। ଦୁଇଜଣ ପରସ୍ପରକୁ ଅଭଦ୍ର ଇଙ୍ଗିତ କରୁଥିବାର ଦେଖାଯାଇଥିଲା।

ଦୁଇବର୍ଷ ପୂର୍ବରୁ ବିଗ୍ ବ୍ୟାସ୍ ଲିଗ୍ ସମୟରେ ପାକିସ୍ତାନର ଦ୍ରୃତ ବୋଲର୍ ହାରିସ୍ ରୌଫ୍ ‘ବେକ କାଟିବା’ ଇଙ୍ଗିତ କରି ଉତ୍ସବ ମନାଇବା ଯୋଗୁଁ ବିବାଦକୁ ଆସିଯାଇଥିଲେ। ହାରିସ୍ ଓ୍ଵିକେଟ୍ ନେବା ପରେ ସବୁଥର ବେକ କାଟିବାର ଇଙ୍ଗିତ କରୁଥିଲେ। ଏହାକୁ ନେଇ ଲୋକେ ଆପତ୍ତି ଉଠାଇଥିଲେ। ବିଗ୍ ବ୍ୟାସ୍ ଲିଗର ଟ୍ଵିଟର୍ ହେଣ୍ଡେଲ୍ ହିଁ ତାଙ୍କ ଉତ୍ସବ ମନାଉଥିବା ଭିଡିଓକୁ ସେୟାର୍ କରି ଏହାକୁ କ୍ରୂର ଓ ଅସଭ୍ୟ କହିଥିଲା।

ସମ୍ବନ୍ଧିତ ଖବର