ଆନ୍ତର୍ଜାତିକ କ୍ରିକେଟ୍‌ରୁ ବିରତି ଚାହିଁଲେ ହର୍‌ମନ୍‌ପ୍ରୀତ୍‌

ନୂଆଦିଲ୍ଲୀ: ଭାରତୀୟ ମହିଳା ଦଳର ଅଧିନାୟିକା ହର୍‌ମନ୍‌ପ୍ରୀତ୍‌ କୌର ଆନ୍ତର୍ଜାତିକ କ୍ରିକେଟ୍‌ରୁ ବିରତି ନେବା ପାଇଁ ଇଛା ପ୍ରକାଶ କରିଛନ୍ତି। ଏଥିପାଇଁ ସେ ୱେଷ୍ଟଇଣ୍ଡିଜ୍‌ରେ ଗତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ‌ବେଳର ବିବାଦକୁ କାରଣ ଭାବେ ନେଇଛନ୍ତି। ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବେଳେ ଇଂଲଣ୍ଡ୍‌ ବିପକ୍ଷ ସେମିଫାଇନାଲ୍‌ରେ ବରିଷ୍ଠ ଖେଳାଳି ମିତାଲି ରାଜ୍‌ଙ୍କୁ ବାଦ୍‌ ଦେବା ପାଇଁ ସେ ଏବଂ ଦଳୀୟ କର୍ତୃପକ୍ଷ ମିଳିତ ଭାବେ ନିଷ୍ପତ୍ତି ନେଇଥିଲେ। ସେହି ମ୍ୟାଚ୍‌ରେ ଭାରତ ପରାଜୟ ବରଣ କରିବା ପରେ ବିବାଦ ଉଗ୍ର ରୂପ ନେଇଥିଲା। ସେହି ବିବାଦକୁ କେନ୍ଦ୍ର କରି ପ୍ରଶିକ୍ଷକ ରମେଶ ପାୱାରଙ୍କୁ ପଦ ହରାଇବାକୁ ପଡ଼ିଥିଲା। ଏହାପରେ ହର୍‌ମନ୍‌ପ୍ରୀତ୍‌ ମହିଳା ବିଗ୍‌ବାସ୍‌ ଲିଗ୍‌ରେ ଖେଳିଥିଲେ। ସେଠାରୁ ସ୍ବଦେଶ ଫେରିବା ପରେ ତାଙ୍କୁ ଜେରା କରାଯାଇଥିଲା। ସେଥିରେ ସେ ଦଳର ସନ୍ତୁଳନ ସାଙ୍ଗକୁ ମିତାଲିଙ୍କ ସହ ସଂପର୍କକୁ ନେଇ ସ୍ପଷ୍ପୀକରଣ ଦେଇଥିଲେ। ପୁଣି ନୂଆ ପ୍ରଶିକ୍ଷକ ଡବ୍ଲୁ ଭି ରମଣଙ୍କ ତତ୍ତ୍ବାବଧାନରେ ଦଳର ନ୍ୟୁଜିଲାଣ୍ଡ୍‌ ଗସ୍ତ ପୂର୍ବରୁ ସେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ। ହେଲେ ତାଙ୍କ ଗୋଇଠି ଆଘାତ ଯୋଗୁଁ ସେ ଆବଶ୍ୟକ ବିଶ୍ରାମ ନେଇଥିଲେ। କିନ୍ତୁ ମିତାଲିଙ୍କ ସହ ବିବାଦ ଏତେ ଉଗ୍ର ଥିଲା ଯେ ତାହା ମୋର ମାନସିକ ସ୍ଥିତିକୁ ବିଗାଡ଼ି ଦେଇଥିଲା। ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରେ ପରେ ନକାରାତ୍ମକ ମନ୍ତବ୍ୟ ମଧ୍ୟ ମୋର ମନକୁ ଆଘାତ ଦେଇଥିଲା। ଯାହାଫଳରେ ମୁଁ ପରିବାର ସହ ପରାମର୍ଶ ଲୋଡି ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅନିର୍ଦିଷ୍ଟ କାଳ ପାଇଁ ବିରତି ନେବାକୁ ଚାହିଁଲି ବୋଲି ହର୍‌ମନ୍‌ପ୍ରୀତ୍‌ କହିଛନ୍ତି। ସେହି ବିବାଦୀୟ ଘଟଣା ମୋ ମନକୁ ଭାରାକ୍ରାନ୍ତ କରିଦେଇଥିଲା। ମୁଁ ସେଥିରୁ ମୁକୁଳିବାକୁ ପ୍ରୟାସ କରି ବି ପାରିଲିନି। ତେଣୁ ଜଣେ ବରିଷ୍ଠ ଖେଳାଳି ଭାବେ ଦଳରେ ଜାଗା ଅକ୍ତିଆର କରିବା ସପକ୍ଷରେ ନାର୍ହି। ଏଭଳି ମାନସିକ ଚାପରୁ ପୂରା ମୁକୁଳିବା ପାଇଁ ମୋତେ ସମୟ ଦରକାର। ଆହତ ମଧ୍ୟ ଆଉ ଏକ କାରଣ ହୋଇଥାଇପାରେ। ସେଥିପାଇଁ ଆନ୍ତର୍ଜାତିକ କ୍ରିକେଟ୍‌ରୁ ବିରତି ପାଇଁ ଇଛା କରିଛି ବୋଲି ୩୦ ବର୍ଷ ବୟସ୍କା ହର୍‌ମନ୍‌ପ୍ରୀତ୍‌ କହିଛନ୍ତି।

ସମ୍ବନ୍ଧିତ ଖବର