ନୂଆଦିଲ୍ଲୀ: ଟାଇମ୍‌ ମାଗାଜିନ୍ ପକ୍ଷରୁ ପ୍ରକାଶିତ ବିଶ୍ବକୁ ଗଢିବା ପାଇଁ ଉଦୀୟମାନ ନେତୃତ୍ବ ତାଲିକା ‘୨୦୨୩ ଟାଇମ୍‌ ୧୦୦ ନେକ୍ସଟ’ ରେ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହର୍ମନପ୍ରୀତ୍‌ କୌର ସ୍ଥାନ ପାଇଛନ୍ତି। ବୁଧବାର ପ୍ରକାଶ ପାଇଥିବା ଏହି ତାଲିକାରେ ହର୍ମନପ୍ରୀତ୍‌ଙ୍କ ସହିତ ଭାରତରୁ ନନ୍ଦିତା ଭେଙ୍କଟେସନ୍‌ ଓ ଭିନୁ ଡାନିଏଲ୍‌ ମଧ୍ୟ ସ୍ଥାନ ପାଇଛନ୍ତି। ସେହିପରି ଭାରତୀୟ ବଂଶୋଦ୍ଭବ ନବରୁଣ ଦାସଗୁପ୍ତା ମଧ୍ୟ ଏହି ତାଲିକାରେ ସାମିଲ ହୋଇଛନ୍ତି। ମହିଳା କ୍ରିକେଟ୍‌କୁ ଅଧିକ ଲୋକପ୍ରିୟ କରାଇବାରେ ହର୍ମନପ୍ରୀତ୍‌ଙ୍କ ଅବଦାନ ଥିବା ମାଗାଜିନ୍‌ ଦର୍ଶାଇବା ସହ ତାଙ୍କୁ କିଂବଦନ୍ତିଙ୍କ ମାନ୍ୟତା ଦିଆଯାଇଛି।

Advertisment

ମାଗାଜିନ୍‌ ଅନୁସାରେ ୨୦୧୭ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୧୫ ବଲ୍‌ରୁ ୧୭୧ ରନ୍‌ର ଅପରାଜିତ ପାଳି ଖେଳିଥିଲେ, ସେତେବେଳେ ତାଙ୍କର ପ୍ରତିଭାକୁ ସାରା ବିଶ୍ବ ଚିହ୍ନି ପାରିଥିଲା। ଏବେ ମଧ୍ୟ ଏହି କ୍ରିକେଟର ଜଣକ ଖବର ମୁଖ୍ୟାଂଶରେ ସ୍ଥାନ ପାଉଛନ୍ତି। ବାଂଲାଦେଶ ଶୃଙ୍ଖଳାରେ ଅମ୍ପାୟାରଙ୍କୁ ସମାଲୋଚନା କରି ଦୁଇଟି ମ୍ୟାଚ୍‌ରୁ ନିଲମ୍ବିତ ହେବା ସହ ୭୫ ପ୍ରତିଶତ ମ୍ୟାଚ୍‌ ଫି’ ହରାଇଥିଲେ। ଗତ ମାର୍ଚ୍ଚରେ ମହିଳା ପ୍ରିମିୟର ଲିଗ୍‌ର ଉଦ୍‌ଘାଟନୀ ସଂସ୍କରଣରେ ହର୍ମନପ୍ରୀତ୍‌ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ବ ନେଇଥିଲେ ଓ ଦଳକୁ ବିଜେତା କରାଇଥବା ମାଗାଜିନ୍‌ରେ ଦର୍ଶାଯାଇଛି।