ହର୍ମନପ୍ରୀତଙ୍କ ବିସ୍ଫୋରକ ଶତକ: ଇଂଲଣ୍ଡ ୮୮ ରନ୍‌ରେ ପରାସ୍ତ, ଭାରତ ଶୃଙ୍ଖଳା ଜିତିଲା

୩୦୦୦ ଦିନିକିଆ ରନ୍‌ରେ ମନ୍ଧାନା ଦ୍ରୁତତମ ଭାରତୀୟ ମହିଳା

କ୍ୟାଣ୍ଟରବୁରୀ: ଅଧିନାୟିକା ହର୍ମନପ୍ରୀତଙ୍କ ବିସ୍ଫୋରକ ଶତକ ବଳରେ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆରେ ଭାରତ ୫ ୱିକେଟ୍ ବିନିମୟରେ ୩୩୩ ରନ୍‌ର ବିଶାଳ ସ୍କୋର କରିଥିଲା। ‌ଇଂଲଣ୍ଡ ବିପକ୍ଷରେ ମଧ୍ୟ ଭାରତର ଏହା ଦିନିକିଆରେ ସର୍ବୋଚ୍ଚ ଦଳଗତ ସ୍କୋର। ବୁଧବାର ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇବା ପରେ ଶେଫାଳି ବର୍ମା (୮) ପୁଣି ଥରେ ବିଫଳ ହୋଇଥିଲେ। ଫଳରେ ଭାରତ ୧୨ ରନ୍‌ରେ ପ୍ରଥମ ୱିକେଟ୍ ହରାଇଥିଲା। ସ୍ମୃତି ମନ୍ଧାନା (୪୦) ଓ ୟାସ୍ତିକା ଭାଟିଆ (୨୬) ବଡ଼ ନହେଲେ ମଧ୍ୟ ଉପଯୋଗୀ ପାଳି ଖେଳିବା ପରେ ଭାରତ ୩ ୱିକେଟ୍ ହରାଇ ୯୯ ରନ୍ କରିନେଇଥିଲା। ଏହାପରେ କିନ୍ତୁ ହର୍ମନପ୍ରୀତ ଓ ହର୍ଲିନ ଦିଓଲ (୫୮)ଙ୍କ ‌ଯୋଡ଼ି ଇଂଲଣ୍ଡ ବୋଲରଙ୍କୁ ନୟାନ୍ତ କରିଥିଲେ।

ଉଭୟ ଦ୍ରୁତ ଏବଂ ଦାୟିତ୍ବବାନ ବ୍ୟାଟିଂ କରି ଚତୁର୍ଥ ୱିକେଟ୍‌ରେ ବହୁମୂଲ୍ୟ ୧୧୪ ରନ୍ ଯୋଡ଼ିଥିଲେ। ଏହା ମଧ୍ୟ ଭାରତୀୟ ପାଳିର ସର୍ବବୃହତ୍ ଭାଗୀଦାରି ଥିଲା। ହର୍ମନପ୍ରୀତ ଠିକ୍ ୧୦୦ ବଲ୍‌ରୁ ନିଜର ପଞ୍ଚମ ଶତକ ପୂରଣ କରିଥିଲେ। ତେବେ ଏହା ପରେ ହଠା‌ତ୍ ଗିୟର ବଦଳାଇ ପରବର୍ତ୍ତୀ ୪୩ ରନ୍ ମାତ୍ର ୧୧ ବଲ୍‌ରୁ ଅମଳ କରିଥିଲେ। ଶେଷ ଓଭରରୁ ୩ ଚୌକା ଏବଂ ୧ ଛକା ସହ ମୋଟ ୧୯ ରନ୍ ଆଦାୟ କରିଥିଲେ ସେ। ପୂଜା ଭସ୍ତ୍ରକାର (୧୮) ଓ ଦୀପ୍ତି ଶର୍ମା (୧୫*) ମଧ୍ୟ ଇଂଲଣ୍ଡ ବୋଲରଙ୍କୁ ବଡ଼ ସଟ୍ ଖେଳି ଘାଇଲା କରିଥ‌ିଲେ। ସେଥିପାଇଁ ଫ୍ରେୟା କେମ୍ପ ୧୦ ଓଭରରେ ୮୨ ରନ୍ ବ୍ୟୟ କରି ପଦାର୍ପଣରେ ଦ୍ବିତୀୟ ସର୍ବାଧିକ ମହଙ୍ଗା ମହିଳା ବୋଲର ହୋଇଥିଲେ। ହର୍ମନପ୍ରୀତ ଓ ଦୀପ୍ତି ବ୍ୟାଟିଂ କରୁଥିଲା ବେଳେ ୧୭.୭୫ ହାରରେ ରନ୍ କରିଥିଲେ। ‌ଯେ କୌଣସି ୱିକେଟ୍‌ରେ ହୋଇଥିବା ୫୦ରୁ ଅଧିକ ରନ୍‌ର ଭାଗୀଦାରିରେ ଭାରତର ଏହା ସର୍ବୋଚ୍ଚ ରନ୍ ସଂଗ୍ରହ ହାର।

କାଣ୍ଟରବୁରି: ଭାରତର ତାରକା ବ୍ୟାଟର୍‌ ସ୍ମୃତି ମନ୍ଧାନା ବୁଧବାର ୩୦୦୦ ଅନ୍ତର୍ଜାତୀୟ ଦିନିକିଆ ରନ୍‌ ଛୁଇଁଛନ୍ତି। ଏହି ମାଇଲଖୁଣ୍ଟ ଛୁଇଁବାରେ ସେ ମିତାଲି ରାଜ ଓ ହର୍ମନପ୍ରୀତ କୌରଙ୍କ ପରେ ତୃତୀୟ ଭାରତୀୟ ମହିଳା ବ୍ୟାଟର୍‌ ହୋଇଛନ୍ତି। ମନ୍ଧାନା ୭୬ ଦିନିକିଆ ପାଳି‌ରୁ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। ଦ୍ରୁତତମ ଭାରତୀୟ ମହିଳା ଭାବେ ସେ କିଂବଦନ୍ତି ମିତାଲି ରାଜ୍‌ (୮୮ ପାଳି)ଙ୍କୁ ଟପିଥିଲେ। ସେ ମଧ୍ୟ ଶିଖର ଧାୱନ (୭୨ ପାଳି) ଏବଂ ବିରାଟ କୋହଲି (୭୫ ପାଳି)ଙ୍କ ପରେ ତୃତୀୟ ଦ୍ରୁତତମ ଭାରତୀୟ ହୋଇଛନ୍ତି। ମୋଟ ୨୨ ମହିଳା ଖେଳାଳି ୩୦୦୦ ରନ୍‌ରୁ ଅଧିକ କରିଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଜଣ ବେଲିଣ୍ଡା କ୍ଲାର୍କ (୬୨ ପାଳି) ଓ ମେଗ୍‌ ଲାନିଙ୍ଗ୍‌ (୬୪ ପାଳି) ମନ୍ଧାନାଙ୍କଠାରୁ ଆଗରେ ରହିଛନ୍ତି। ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦିନିକିଆରେ ମନ୍ଧାନା ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ୨୦୧୩ରେ ଦିନିକିଆ ପଦାର୍ପଣ କରିଥିବା ଏହି ବାମହାତୀ ଓପନର୍‌ ୪୩ରୁ ଅଧିକ ହାର, ୮୫ ‌ଷ୍ଟ୍ରାଇକ୍‌ରେଟ୍‌ ଏବଂ ୫ ଶତକ ଓ ୨୪ ଅର୍ଦ୍ଧଶତକ ସହାୟତାରେ ଦିନିକିଆ ଫର୍ମାଟ୍‌ରେ ୩୦୦୦ ରନ୍‌ ପୂରଣ କରିଛନ୍ତି।

ସମ୍ବନ୍ଧିତ ଖବର