ନୂଆଦିଲ୍ଲୀ : ଭାରତୀୟ ଡିଫେଣ୍ଡର୍ ହର୍ମନପ୍ରୀତ୍ ସିଂହ ଶୁକ୍ରବାର ଏଫ୍ଆଇଏଚ୍ ପ୍ଲେୟାର୍ ଅଫ୍ ଦ ଇୟର୍ ବିବେଚିତ ହୋଇଛନ୍ତି। ଲଗାତାର ଦ୍ବିତୀୟ ବର୍ଷ ପାଇଁ ହର୍ମନପ୍ରୀତ୍ ଏହି ସମ୍ମାନର ହକ୍ଦାର ହୋଇଛନ୍ତି। ୨୬ ବର୍ଷୀୟ ହର୍ମନପ୍ରୀତ୍ ବିଶ୍ବର ଚତୁର୍ଥ ଖେଳାଳି ଭାବେ ଏହି ପୁରସ୍କାରକୁ ଲଗାତାର ଭାବେ ପାଇବେ। ପୂର୍ବରୁ ନେଦରଲାଣ୍ଡ୍ସର ଟିଉନ୍ ଡି ନିଉର୍, ଅଷ୍ଟ୍ରେଲିଆର ଜାମି ଡାଏର୍ ଏବଂ ବେଲଜିୟମ୍ର ଆର୍ଥର୍ ଭାନ୍ ଡୋରେନ୍ ଏହି କ୍ଲବ୍ରେ ସାମିଲ ଅଛନ୍ତି। ହର୍ମନପ୍ରୀତ୍ ଆଧୁନିକ ହକିର ଜଣେ ଖାଣ୍ଟି ସୁପରଷ୍ଟାର୍। ପ୍ରତିପକ୍ଷର ଆକ୍ରମଣକୁ ପ୍ରତିହତ କରିବାକୁ ସେ ଠିକଣା ସମୟରେ ଠିକଣା ସ୍ଥାନରେ ନିଜକୁ ହାଜିର୍ କରିଥା’ନ୍ତି।’ ବୋଲି ଏଫ୍ଆଇଏଚ୍ ଏହାର ପ୍ରେସ୍ ବିଜ୍ଞପ୍ତିରେ ଉଲ୍ଲେଖ କରିଛି। ଚମତ୍କାର ଡ୍ରିବଲିଂ ସ୍କିଲ୍ ଜରିଆରେ ସେ ଡିଫେନ୍ସରୁ ବଲ୍ ବାହାର କରିବାରେ ସିଦ୍ଧହସ୍ତ। ସେ ମଧ୍ୟ ଗୋଲ୍ ସ୍କୋର କରିବାର କଳା ଓ ଆଗ୍ରହ ରଖିଛନ୍ତି। ଏଫ୍ଆଇଏଚ୍ ପ୍ଲେୟାର୍ ଅଫ୍ ଦ ଇୟର୍ ଦୌଡ ଭୋଟିଂରେ ହର୍ମନପ୍ରୀତ୍ ସର୍ବାଧିକ ୨୯.୪ ପଏଣ୍ଟ ଅର୍ଜନ କରିଥିବା ବେଳେ ଥିଏରି ବ୍ରିଙ୍କମ୍ୟାନ୍ (୨୩.୬) ଓ ଟମ୍ ବୁନ୍ (୨୩.୪) ପଛରେ ପଡ଼ିଯାଇଥିଲେ।
୨୦୨୧-୨୨ ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ହର୍ମନପ୍ରୀତ୍ ୧୬ ମ୍ୟାଚ୍ରୁ ୧୮ ଗୋଲ୍ ସ୍କୋର୍ କରିଥିବା ବେଳେ ଏଥିରେ ଦୁଇଟି ହ୍ୟାଟ୍ରିକ୍ ସାମିଲ ଥିଲା। ଇଂଲଣ୍ଡ ବିପକ୍ଷରେ ନିଜ ୧୦୦ତମ ଗୋଲ୍ ମଧ୍ୟ ସେ ସ୍କୋର୍ କରିଥିଲେ। ମୋଟ ୧୮ ଗୋଲ୍ ସହ ସେ ଭାରତର ଅଗ୍ରଣୀ ସ୍କୋରର୍ ହୋଇଥିଲେ। ଏପରିକି ଗୋଟିଏ ପ୍ରୋ ଲିଗ୍ ଋତୁରେ ସର୍ବାଧିକ ଗୋଲ୍ କରିବାର କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଏସିଆନ୍ ଚାମ୍ପିଅନ୍ସ ଟ୍ରଫିର ପ୍ରତି ୬ ମ୍ୟାଚ୍ରେ ଅନ୍ୟୂନ ଗୋଟିଏ ଗୋଲ୍ ସହିତ ମୋଟ ୮ ଗୋଲ୍ ଦେଇଥିଲେ। ଭାରତ ମଧ୍ୟ ପୋଡିୟମ୍ ଫିନିସ୍ କରିଥିଲା। ଚଳିତ ବର୍ଷର ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଭାରତକୁ ରୌପ୍ୟ ପଦକ ବିଜୟୀ କରାଇବାରେ ହର୍ମନପ୍ରୀତ୍ ପ୍ରମୁଖ ଭୂମିକା ତୁଲାଇଥିଲେ। ମହିଳା ବର୍ଗରେ ନେଦରଲାଣ୍ଡ୍ସର ଫେଲିସ୍ ଆଲବର୍ସ ମଧ୍ୟ ଏଫ୍ଆଇଏଚ୍ ପ୍ଲେୟାର୍ ଅଫ୍ ଦି ଇୟର୍ ବିବେଚିତ ହୋଇଛନ୍ତି। ବରିଷ୍ଠ ବର୍ଗର ଅନ୍ତର୍ଜାତୀୟ ପଦାର୍ପଣ କରିବା ପରଠାରୁ ସେ ୩୨ ମ୍ୟାଚ୍ରୁ ୧୬ ଗୋଲ୍ ଦେଇ ସାରିଛନ୍ତି।