ଭୁବେନଶ୍ବର: ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ବକପ୍ ଖେଳିବା ଲାଗି ଭାରତୀୟ ଦଳ ସଂପ୍ରତି ରାଉରକେଲାର ବୀର୍ସା ମୁଣ୍ଡା ଷ୍ଟାଡିୟମରେ ଅଭ୍ୟାସ ଜୋର୍ସୋର୍ରେ ଚଳାଇଛି। ଏହିଠାରେ ଦଳ ୧୩ ତାରିଖରେ ସ୍ପେନ୍ ବିପକ୍ଷରେ ଖେଳି ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ। ଏହା ପୂର୍ବରୁ ଡ୍ରେସିଂ ରୁମ୍ରେ ଦଳର ସ୍ଥିତି କିଭଳି ରହିଛି ବଖାଣିଛନ୍ତି ଅଧିନାୟକ ହର୍ମନପ୍ରୀତ ସିଂହ। ‘‘ସମାନ ଭାବେ ଡ୍ରେସିଂ ରୁମ୍ରେ ଆଶା ଓ ଉତ୍ସାହ ଭରି ରହିଛି। ଯେତେବେଳେ ଆମ ବସ୍ ରାଉରକେଲା ସହରରେ ପ୍ରବେଶ କଲା ହଜାର ହଜାର ପ୍ରଶଂସକ ରାସ୍ତାକଡ଼ରେ ଠିଆ ହୋଇ ତ୍ରିରଙ୍ଗା ଧରି ଆମକୁ ସ୍ବାଗତ କରିଥିଲେ।
ଏମାନଙ୍କ ଏଭଳି ସ୍ବାଗତ ଦେଖି ଆମେ ନିରବ ହୋଇଯାଇଥିଲୁ ଏବଂ ଏ ଅଞ୍ଚଳ ଲୋକଙ୍କର ହକି ପ୍ରତି ଭଲ ପାଇବା ଭୁଝି ଯାଇଥିଲୁ। ଅମିତ ଓ ନୀଲମଙ୍କଠୁ ଆମେ ଏଠାଲୋକଙ୍କ ହକି ପ୍ରତି ଉତ୍ସାହ ଏବଂ ଭଲପାଇବା ବିଷୟରେ ଶୁଣିଥିଲୁ। କିନ୍ତୁ ପହଞ୍ଚିବା ପରେ ଏସବୁ ଦେଖିଥିଲୁ। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ୨୦୧୮ ବିଶ୍ବକପ୍ରେ ସମସ୍ତ ଅଂଶଗ୍ରହଣକାରୀ ଦଳ ଅନେକ ସ୍ମୃତି ନେଇ ଫେରିଥିଲେ। ଏଠାକାର ଦର୍ଶକଙ୍କ ଭଲପାଇବା, ଆତିଥ୍ୟ ଅନ୍ୟ ବିଶ୍ବକପ୍ଠାରୁ ସ୍ବତନ୍ତ୍ର ଥିଲା। ଚଳିତ ବର୍ଷ ରାଉରକେଲା ପରିବେଶ ଏହାକୁ ଦ୍ୱିଗୁଣିତ କରିବାର ଆଶା ଅଛି’’ ବୋଲି ହର୍ମନପ୍ରୀତ କହିଛନ୍ତି।