ଭୁବନେଶ୍ବର: ନୂଆଦିଲ୍ଲୀରେ ଅନୁଷ୍ଠିତ ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ‌ଲିଗ୍ ଖେଳାଳି ନିଲାମରେ ଭାରତୀୟ ଦଳର ଅଧିନାୟକ ହର୍ମନପ୍ରୀତ ସିଂହ ସବୁଠୁ ଦାମୀ ଖେଳାଳି ହୋଇଛନ୍ତି। ତାଙ୍କୁ ସୁରମା ହକି କ୍ଲବ୍ ୭୮ ଲକ୍ଷ ଟଙ୍କାରେ କିଣି ସମସ୍ତଙ୍କୁ ଚକିତ କରି ଦେଇଛି। ସେହିଭଳି ଯୁବ ତାରକା ଅଭିଷେକଙ୍କୁ ଦ୍ବିତୀୟ ଦାମୀ ଖେଳାଳି ଭାବେ ବେଙ୍ଗଲ ଟାଇଗର୍ସ ୭୨ ଲକ୍ଷ ଟଙ୍କାରେ କିଣିଛି। ଅନ୍ୟମାନଙ୍କ ମଧ୍ୟରେ ହାର୍ଦିକ ସିଂହଙ୍କୁ ୟୁପି ରୁଦ୍ରସ୍ ୭୦ ଲକ୍ଷ, ଯୁଗରାଜ ସିଂହଙ୍କୁ ବେଙ୍ଗଲ ଟାଇଗର୍ସ ୪୮ ଲକ୍ଷ ଏବଂ  ଅରାଇଜିତ ସିଂହ ହୁଣ୍ଡାଲ ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ମନପ୍ରୀତ ସିଂହଙ୍କୁ ଟିମ୍ ଗୋନାସିକା ୪୨ ଲକ୍ଷ ଟଙ୍କା ‌ଲେଖାଏଁରେ କିଣି ନେଇଛି। ଏହି ଦଳ ମଧ୍ୟ ଭାରତୀୟ କନିଷ୍ଠ ହକି ଦଳର ଅଧିନାୟକ ଅମୀର ଅଲୀଙ୍କୁ ନେବାକୁ ୩୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ଅନ୍ୟପକ୍ଷରେ ଘରୋଇ ରକ୍ଷଣଭାଗ ଖେଳାଳିଙ୍କ ମଧ୍ୟରେ ଓଡ଼ିଆ ତାରକା ଅମିତ ରୋହିଦାସଙ୍କୁ ସର୍ବାଧିକ ୪୮ ଲକ୍ଷ ଟଙ୍କାରେ ନେଇଛି ତାମିଲନାଡ଼ୁ ଡ୍ରାଗନ୍ସ। ଭେଟେରାନ୍ ଓଡ଼ିଆ ତାରକା ତଥା ଅଲିମ୍ପିଆନ୍ ବୀରେନ୍ଦ୍ର ଲାକ୍ରାଙ୍କୁ ଟିମ୍ ଗୋନାସିକା କିନ୍ତୁ ମାତ୍ର ୧୦ ଲକ୍ଷ ଟଙ୍କା‌ରେ କିଣିଛି। ଓଡ଼ିଶା ଦଳ କଳିଙ୍ଗ ଲାନସର୍ସ ଦିଲପ୍ରୀତ ସିଂହଙ୍କୁ ୩୪ ଲକ୍ଷ, ଗୋଲ୍‌ ରକ୍ଷକ କ୍ରିଶନ ବାହାଦୂର ପାଠକଙ୍କୁ ୩୨ ଲକ୍ଷ ଏବଂ ବବି ସିଂହ ଧାମିଙ୍କୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜ ଦଳରେ ସାମିଲ କରିଛି। କଳିଙ୍ଗ ଲାନସର୍ସ ତାର ସବୁଠୁ ଦାମୀ ଖେଳାଳି ଭାବେ ଭାରତୀୟ ରକ୍ଷଣଭାଗ ଖେଳାଳି ସଂଜୟ ଏବଂ ‌ନେଦରଲାଣ୍ଡ୍ସର ଥିଏରି ବ୍ଲିଙ୍କମ୍ୟାନଙ୍କୁ ୩୮ ଲକ୍ଷ ଟଙ୍କାରେ କ୍ରୟ କରିଛି। 

Advertisment

ପିଲେଟ୍ ଦାମୀ ବିଦେଶୀ, ଅମିତ ୪୮ ଲକ୍ଷ
ଗୋନାସିକାରୁ ଖେଳି‌ବେ ବୀରେନ୍ଦ୍ର, ମନପ୍ରୀତ

ବିଦେଶୀ ଖେଳାଳିଙ୍କ ମଧ୍ୟରେ ଜର୍ମାନୀର ଗୋଞ୍ଜାଲୋ ପିଲେଟ୍‌ଙ୍କୁ ସର୍ବାଧିକ ୬୮ ଲକ୍ଷ ଟଙ୍କାରେ ହାଇଦ୍ରାବାଦ ତୁଫାନ୍ସ ଦଳ କିଣିଛି। ଅନ୍ୟତମ ଦାମୀ ବିଦେଶୀ ଖେଳାଳି ଭାବେ ନେଦରଲାଣ୍ଡ୍ସର ଜିପ ଜାନେସନ୍ ୫୪ ଲକ୍ଷ ଟଙ୍କାରେ ତାମିଲନାଡ଼ୁ ଡ୍ରାଗନ୍ସକୁ ବିକ୍ରି ହୋଇଛନ୍ତି। ବେଲଜିୟମ୍‌ର ଭିକ୍ଟର ୱେଗନେଜ୍‌ଙ୍କୁ ସୁରମା ହକି କ୍ଲବ୍ ୪୦ ଲକ୍ଷରେ କିଣିଛି। ଦୁଇ ଦିନିଆ ନିଲାମର ପ୍ରଥମ ଦିନରେ ୫୪ଜଣ ଖେଳାଳି କିଣାବିକା ହୋଇଥିଲେ। ଦ୍ବିତୀୟ ଦିନରେ ପାଖାପାଖି ୧୪୦ ଖେଳାଳିଙ୍କୁ ବିଭିନ୍ନ ଦଳ କିଣିଛନ୍ତି। ଓଡ଼ିଶା ଖେଳାଳିଙ୍କ ମଧ୍ୟରେ ନୀଲମ ସଞ୍ଜୀପ ଖେସ୍ ୧୭ ଲକ୍ଷ (ଟିମ୍ ଗୋନାସିକା), ଶିଳା‌ନନ୍ଦ ଲାକ୍ରା ୨୧ ଲକ୍ଷ (ହାଇଦ୍ରାବାଦ ତୁଫାନ୍ସ), ଅନମୋଲ ଏକ୍କା ୯.୨ ଲକ୍ଷ (ଟିମ୍ ଗୋନାସିକା), ଦୀପସାନ ତିର୍କି ୬.୬ ଲକ୍ଷ (ଟିମ୍ ଗୋନାସିକା), ଅମନଦୀପ ଲାକ୍ରା ୯ ଲକ୍ଷ (ତାମିଲନାଡ଼ୁ ଡ୍ରାଗନ୍ସ), ଆନନ୍ଦ ଲାକ୍ରା ୫ ଲକ୍ଷ (ତାମିଲନାଡ଼ୁ ଡ୍ରାଗନ୍ସ), ମୁକେଶ ଟପ୍ପୋ ୫ ଲକ୍ଷ (କଳିଙ୍ଗ ଲାନସର୍ସ), ରୋଶନ ମିଞ୍ଜ ୨ ଲକ୍ଷ (କଳିଙ୍ଗ ଲାନର୍ସ), ସାହିଲ କୁମାର ନାୟକ ୨ ଲକ୍ଷ  (କଳିଙ୍ଗ ଲାନସର୍ସ) ଟଙ୍କାରେ ବିକ୍ରି ହୋଇଥିଲେ। ତେବେ ସୁମନ ବେକ୍‌ଙ୍କ ଭଳି ଖେଳାଳି ବିକ୍ରି ନହେବା ଓଡ଼ିଆ ହକିପ୍ରେମୀଙ୍କୁ ନିରାଶ କରିଥିଲା। 

ସୂଚନାଯୋଗ୍ୟ ଯେ ୮ ଦଳକୁ ନେଇ ଖେଳାଯିବାକୁ ଥିବା ହକି ଇଣ୍ଡିଆ ପୁରୁଷ ଲିଗ୍‌ରେ ପ୍ରତ୍ୟେକ ଦଳକୁ ୨୪ଜଣ ଖେଳାଳି ରଖିବାର ଅନୁମତି ମିଳିଛି। ସେଥିମଧ୍ୟରୁ ୧୬ଜଣ ଘରୋଇ ଖେଳାଳି ହେବା ଦରକାର। ପୁଣି ସେହି ୧୬ଜଣଙ୍କ ମଧ୍ୟରୁ ଅନ୍ୟୂନ ୪ଜଣ ଭାରତୀୟ କନିଷ୍ଠ ସ୍ତରୀୟ ହକି ଖେଳିଥିବା ବାଧ୍ୟତାମୂଳକ।  ଏହାର ନିଲାମ ଲାଗି ୪୦୦ରୁ ଅଧିକ ଭାରତୀୟ ଏବଂ ୧୫୦ ବିଦେଶୀ ଖେଳାଳି ନାମ ପଞ୍ଚୀକରଣ କରିଥିଲେ। ୨୫୦ ଅଣଅନ୍ତର୍ଜାତୀୟ ଖେଳାଳି ମଧ୍ୟ ନିଲାମ ପ୍ରକ୍ରିୟାରେ ସାମିଲ ଥିଲେ। ହକି ଇଣ୍ଡିଆ ଲିଗ୍ ଚଳିତବର୍ଷ ଡିସେମ୍ବର ୨୮ରୁ ଆରମ୍ଭ ହୋଇ ଫେବ୍ରୁଆରି ୧ ତାରିଖରେ ଶେଷ ହେବ। 

ଓଡ଼ିଶାର ଦ୍ବିତୀୟ ଦଳ ‘ଟିମ୍ ଗୋନାସିକା’
ହକି ଇଣ୍ଡିଆ ଲିଗ୍‌ରେ ଓଡ଼ିଶା ସରକାରଙ୍କ ମାଲିକାନାରେ ଥିବା କଳିଙ୍ଗ ଲାନ୍‌ସର୍ସ ଦଳ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା। ଗୋଟିଏ ଋତୁ ବିଳମ୍ବରେ ପଦାର୍ପଣ କରିଥିଲେ ମଧ୍ୟ ଲାନସର୍ସ ୨୦୧୬ରେ ଉପବିଜେତା ହେବା ପରେ ୨୦୧୭ରେ ବିଜେତା ହୋଇ ନିଜ ପ୍ରଶଂସକଙ୍କ ସଂଖ୍ୟାକୁ ବହୁଗୁଣା ବଢ଼ାଇଥିଲା। ଏହା ମଧ୍ୟ ସରକାରୀ ମାଲିକାନାରେ ଥିବା ଦେଶର ପ୍ରଥମ ପେସାଦାର କ୍ରୀଡ଼ା ଦଳ ଥିଲା। ଚଳିତବର୍ଷ ପାଖାପାଖି ୭ବର୍ଷର ବ୍ୟବଧାନ ପରେ ନୂଆ ରୂପ ଓ ରଙ୍ଗରେ ଫେରୁଥିବା ହକି ଇଣ୍ଡିଆ ଲିଗ୍‌ରେ ଓଡ଼ିଶା ଭିତ୍ତିକ କଳିଙ୍ଗ ଲାନସର୍ସ ଦଳର ନାଁ ଥିଲେ ମଧ୍ୟ ମାଲିକାନା ବଦଳି ଯାଇଛି। ଘରୋଇ କଂପାନି ବେଦାନ୍ତ ଏହାକୁ କିଣିଛି। ତେବେ ‘ଟିମ୍ ଗୋନାସିକା’ ନାଁରେ ଥିବା ବିଶାଖାପାଟଣା ଦଳକୁ ଓଡ଼ିଶାର ପ୍ରତିଷ୍ଠିତ ବ୍ୟବସାୟୀ ତାରିଣୀ ପ୍ରସାଦ ମହାନ୍ତି କିଣି ଓଡ଼ିଶା ହକିପ୍ରେମୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିଛନ୍ତି। ବୈତରଣୀ ନଦୀର ଉତ୍ପତ୍ତିସ୍ଥଳୀ ଭାବେ ପରିଚିତ କେନ୍ଦୁଝରର ‘ଗୋନାସିକା’ ନାମରେ ନାମିତ ଏହି ଦଳ, ହକି ପ୍ରତି ଓଡ଼ିଶା ତଥା ଓଡ଼ିଆଙ୍କ ଭଲପାଇବାର ଅନ୍ୟତମ ପ୍ରତୀକ ହେବାକୁ ଯାଉଛି। ସୂଚନା ଅନୁସାରେ ଶ୍ରୀ ମହାନ୍ତିଙ୍କର ମାଇନିଂ, ହୋଟେଲ ଏବଂ ଅନ୍ୟାନ୍ୟ ବ୍ୟବସାୟ ଥିଲା ବେଳେ ପ୍ରଥମ ଥର ଲାଗି ସେ ପେସାଦାର କ୍ରୀଡ଼ାର ଏକ ଦଳ କିଣିଛନ୍ତି। ସେ ମଧ୍ୟ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ଉପସଭାପତି ଦାୟିତ୍ବରେ ରହିସାରିଛନ୍ତି। ଟିମ୍ ଗୋନାସିକା ସହ ମହିଳା ହକି ଇଣ୍ଡିଆ ଲିଗ୍‌ରେ ରାଉରକେଲା ଭିତ୍ତିକ ‘ଓଡ଼ିଶା ୱାରିୟର୍ସ’ ଦଳ ଖେଳିବାକୁ ଯାଉଛି। ତେବେ ଏହାର ମାଲିକାନା ନୋଏଡାର ନଭୋୟମ ସ୍ପୋର୍ଟସ ଭେଞ୍ଚର ପ୍ରଇଭେଟ୍ ଲିମିଟେଡ୍ ନାମକ ଏକ କଂପାନି ହାତରେ ଥିବା ଜଣାପଡ଼ିଛି।