କେପ୍‌ଟାଉନ୍‌: ଭାରତୀୟ ମହିଳା କ୍ରିକେଟ୍‌ ଦଳ ଅଧିନାୟିକା ହର୍ମନପ୍ରୀତ୍‌ କୌର ସୋମବାର ୧୫୦ ତମ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବା ମାଇଲ୍‌ଖୁଣ୍ଟ ଛୁଇଁଛନ୍ତି। ଏପରି କରିବାରେ ସେ ବିଶ୍ବରେ ପ୍ରଥମ ଖେଳାଳି ହୋଇପାରିଛନ୍ତି। ତାଙ୍କ ପଛକୁ ଭାରତୀୟ ପୁରୁଷ କ୍ରିକେଟର୍‌ ରୋହିତ ଶର୍ମା ଦ୍ବିତୀୟ ସର୍ବାଧିକ ୧୪୮ ମ୍ୟାଚ୍‌ ଖେଳିଛନ୍ତି। ମହିଳାମାନଙ୍କ କ୍ଷେତ୍ରରେ ହର୍ମନପ୍ରୀତ୍‌ଙ୍କ ପଛକୁ ନ୍ୟୁଜିଲାଣ୍ଡର ସୁଜି ବେଟ୍ସ ୧୪୩ ମ୍ୟାଚ୍‌ ସହ ଦ୍ବିତୀୟ ଓ ଇଂଲଣ୍ଡର ଡାନିଏଲ୍‌ ନିକୋଲ୍‌ ୱାଟ୍‌ ୧୪୧ ମ୍ୟାଚ୍‌ ଖେଳି ତୃତୀୟ ସ୍ଥାନରେ ରହିଛନ୍ତି। ଭାରତୀୟ ମହିଳାଙ୍କ ମଧ୍ୟରେ ସ୍ମୃତି ମନ୍ଧାନା ଦ୍ବିତୀୟ ସର୍ବାଧିକ (୧୧୫) ରହିଛନ୍ତି।

Advertisment

କେବଳ ଏତିକି ନୁହେଁ, ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ରେ ୩ ହଜାର ରନ୍‌ ପୂରଣ କରିବାରେ ହର୍ମନପ୍ରୀତ୍‌ ପ୍ରଥମ ଭାରତୀୟ ହୋଇଛନ୍ତି। ଆୟର୍ଲାଣ୍ଡ ବିପକ୍ଷରେ ଖେଳୁଥିବା ବେଳେ ସେ ୧୩ ରନ୍ କରି ଆଉଟ୍‌ ହୋଇଥିଲେ। ତେବେ ସପ୍ତମ ରନ୍‌ ସଂଗ୍ରହ ପରେ ସେ ୩ ହଜାର ରନ୍‌ ଅତିକ୍ରମ କରି ୩୦୦୬ ରନ୍‌ରେ ପହଞ୍ଚିଥିଲେ। ତାଙ୍କ ପୂର୍ବରୁ ସୁଜି ବେଟ୍ସ ୩୮୨୦ ରନ୍‌, ମେଘାନ୍‌ ଲାନିଂ ୩୩୪୬ ରନ୍‌ ଓ ଷ୍ଟାଫେନି ଟେଲର ୩୧୬୬ ରନ୍‌ କରି ଏହି କ୍ଲବ୍‌ରେ ସ୍ଥାନ ପାଇଛନ୍ତି। ଭାରତୀୟଙ୍କ ମଧ୍ୟରେ ମନ୍ଧାନା ସୋମବାର ୮୭ ରନ୍‌ର ପାଳି ଖେଳିବା ପରେ ୨୮୦୦ ରନ୍‌ରେ ପହଞ୍ଚିଛନ୍ତି।