ରାଉରକେଲା: ସ୍ଥାନୀୟ ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ରବିବାର ହକି ଇଣ୍ଡିଆ ଲିଗ୍ର ଦୁଇଟି ମ୍ୟାଚ୍ ଖେଳାଯାଇଛି। ପ୍ରଥମ ମ୍ୟାଚ୍ରେ ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍ସ ୩-୨ ଗୋଲରେ ହାଇଦ୍ରାବାଦ ତୁଫାନ୍ସକୁ ପରାସ୍ତ କରିଥିବା ବେଳେ ଦ୍ବିତୀୟ ମ୍ୟାଚ୍ରେ ହର୍ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ସୁର୍ମା ହକି କ୍ଲବ୍ ୪-୧ (୧-୧) ସୁଟ୍ଆଉଟ୍ରେ ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ତାମିଲନାଡ଼ୁ ଡ୍ରାଗନ୍ସକୁ ପରାସ୍ତ କରିଛି।
ସୁର୍ମା ହକି କ୍ଲବ ଓ ତାମିଲନାଡ଼ୁ ଡ୍ରାଗନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଘନଘନ ଆକ୍ରମଣ ପ୍ରତିଆକ୍ରମଣ ସତ୍ତ୍ବେ ପ୍ରଥମ ତିନି କ୍ବାର୍ଟର ଗୋଲ୍ଶୂନ୍ୟ ରହିଥିଲା। ଚତୁର୍ଥ କ୍ବାର୍ଟର କିନ୍ତୁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ତାମିଲନାଡ଼ୁର ନାଥନ ଏଫ୍ରାମ୍ସ ୪୯ତମ ମିନିଟ୍ରେ ଏକ ପେନାଲ୍ଟି କର୍ଣ୍ଣର୍କୁ ଗୋଲ୍ରେ ପରିବର୍ତ୍ତନ କରି ଦଳକୁ ଆଗୁଆ କରିଥିଲେ। ତେବେ ୫୪ତମ ମିନିଟ୍ରେ ସୁର୍ମା ହକି କ୍ଲବ୍ର ଗୁର୍ଜାନ୍ତ ସିଂହ ଗୋଲ୍ ଶୁଝି ଦେଇଥିଲେ। ଶେଷସୁଦ୍ଧା ଆଉ କେହି କାହାରିକୁ ଗୋଲ୍ ଦେଇ ନପାରିବାରୁ ମ୍ୟାଚ୍ ଅମୀମାଂସିତ ରହିଥିଲା। ଫଳରେ ପେନାଲ୍ଟି ସୁଟ୍ଆଉଟ୍ର ସହାୟତା ନିଆଯାଇଥିଲା। ଏଥିରେ କିନ୍ତୁ ସୁର୍ମା ବାଜିମାରି ନେଇଥିଲା। ପ୍ରଥମ ମ୍ୟାଚ୍ର ବିଜୟୀ ବେଙ୍ଗଲ ଟାଇଗର୍ସର ଯୁଗରାଜ ସିଂହ (୯), ସୁଖଜିତ ସିଂହ (୨୦) ଓ ଆଫାନ ୟୁସୁଫ (୩୬) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିବା ବେଳେ ହାଇଦ୍ରାବାଦ ତୁଫାନ୍ସର ତିମୋଥି ଡାନିଏଲ(୪୧) ଓ ଆର୍ଥର ଡି’ ସ୍ଲୁଭର(୫୯) ଗୋଟିଏ ଲେଖାଏଁ ଗୋଲ୍ ଶୁଝି ଥିଲେ।