ହର୍‌ମନପ୍ରୀତ୍‌ଙ୍କ ଚମକ: ରେନିଗେଡ୍‌ସ ବିଜୟୀ

ଲୌନ୍‌ସିଷ୍ଟନ: ଭାରତୀୟ ଅଲ୍‌ରାଉଣ୍ଡର ହରମନ୍‌ପ୍ରୀତ କୌରଙ୍କ ଚମକରେ ମହିଳା ବିଗ୍‌ ବାସ୍‌ ଲିଗ୍‌ (ଡବ୍ଲୁବିବିଏଲ୍‌)ର ରବିବାର ମ୍ୟାଚ୍‌ରେ ମେଲ୍‌ବର୍ଣ୍ଣ ରେନିଗେଡ୍ସ ୭ ୱିକେଟ୍‌ରେ ସିଡ୍‌ନି ସିକ୍ସର୍ସକୁ ମାତ୍‌ ଦେଇଛି। ହରମନ୍‌ପ୍ରୀତ ୩୫* ରନ୍‌ (୨୯ ବଲ୍‌) କରିଥିଲା ‌‌ବେଳେ ୪ ଓଭରରେ ୧୭ ରନ୍‌ ଦେଇ ୨ ୱିକେଟ୍‌ ନେଇଥିଲେ। ସେ ଆସ୍‌ଲେ ଗାର୍ଡନର ଓ ଅଲିସା ହିଲିଙ୍କ ୱିକେଟ୍‌ ନେଇଥିଲେ। ଏହି ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ହରମନ୍‌ପ୍ରୀତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଟସ୍‌ ଜିତି ‌କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲେ ରେନିଗେଡ୍ସ ଅଧିନାୟିକା ସୋଫିଆ ମୋଲିନ୍ୟୁକ୍ସ। ଅଧିନାୟିକାଙ୍କ ନିଷ୍ପତ୍ତିକୁ ଯଥାର୍ଥ ସାବ୍ୟସ୍ତ କରି ରେନିଗେଡ୍ସ ବୋଲର ପାୱାରପ୍ଲେ ମଧ୍ୟରେ ସିକ୍ସର୍ସର ପ୍ରମୁଖ ୩ ବ୍ୟାଟର୍‌ ଶେଫାଳି ବର୍ମା, ଅଲିସା ହିଲି ଓ ଆସ୍‌ଲେ ଗାର୍ଡନରଙ୍କ ୱିକେଟ୍‌ ଝାଡ଼ି ଦେଇଥିଲେ। ଅଧିନାୟିକା ଏଲସ୍‌ ପେରିଙ୍କ ଅର୍ଦ୍ଧଶତକ ଏବଂ ନିକୋଲ ବୋଲଟନ୍‌ଙ୍କ ୩୮ ରନ୍‌ ବଳରେ ସିକ୍‌ର୍ସ ୧୧୮/୪ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ରେନିଗେଡ୍ସ ୩ ଓଭର ପୂର୍ବରୁ ୩ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଇଭି ଜୋନ୍ସ (୩୮ ରନ୍‌) ଏବଂ ଜେମିମା ରଦ୍ରିଗୋଏଜ (୧୪ ରନ୍‌) ଚଳିତ ଡବ୍ଲୁବିବିଏଲ୍‌ରେ ପାୱାର ପ୍ଲେ’ରେ ସର୍ବୋଚ୍ଚ ସ୍କୋର ୪୪/୧ କରିବାର କୀର୍ତ୍ତିମାନ କରିଥିଲେ। ହରମନ୍‌ପ୍ରୀତ୍‌ ଲଗାତାର ଦୁଇ ଛକା ମାରି ଦଳକୁ ବିଜୟ ଭେଟି ଦେଇଥିଲେ। ରେନିଗେଡ୍ସ ପରବର୍ତ୍ତୀ ମ୍ୟାଚ୍‌ ବୁଧବାର ସିଡ୍‌ନି ଥଣ୍ଡର ବିପକ୍ଷରେ ଖେଳିବ।

ସମ୍ବନ୍ଧିତ ଖବର