ବିଶ୍ବକପ୍‌ ପୂର୍ବ ଅଭ୍ୟାସ ମ୍ୟାଚ୍‌ରେ ହର୍ନୁରଙ୍କ ଶତକ: ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ଗୟନା: ପ୍ର‌ାରମ୍ଭିକ ବ୍ୟାଟର୍‌ ହର୍ନୁର ସିଂହଙ୍କ ଅପରାଜିତ ଶତକ ଏବଂ ସେକ ରସିଦ ଓ ଅଧିନାୟକ ୟସ ଧୁଲଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଭାରତ ବୁଧବାର ଖେଳାଯାଇଥିବା ବିଶ୍ବକପ୍‌ ପୂର୍ବ ଅଭ୍ୟାସ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଥିବା ଅଷ୍ଟ୍ରେଲିଆ ଅଧିନାୟକ କୁପର କୋନୋଲି (୧୧୭ ରନ୍‌, ୧୮ ଚୌକା)ଙ୍କ ଶତକ ସତ୍ତ୍ବେ ୪୯.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୬୮ ରନ୍‌ କରିଥିଲା। ଭାରତ ପକ୍ଷରୁ ରବି କୁମାର ୪ ଓ ରାଜବର୍ଦ୍ଧନ ହାଙ୍ଗାରଗେକର ୩ ୱିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ଭାରତ ୧୫ ବଲ୍‌ ପୂର୍ବରୁ ମାତ୍ର ଗୋଟିଏ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ହର୍ନୁର ୧୦୦* (୧୦୮ ବଲ୍‌, ୧୬ ଚୌକା) ଏବଂ ରସିଦ ୭୨* (୭୪ ବଲ୍‌, ୬‌ ଚୌକା, ‌୧ ଛକା) ରନ୍‌ କରି ରିଟାର୍ଡ ହର୍ଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଧୁଲ (୫୦, ୪୭ ବଲ୍‌, ୭ ଚୌକା) ଏବଂ ଦୀନେଶ ବାନା (୨ ରନ୍‌) ଅପରାଜିତ ରହି ଭାରତକୁ ବିଜୟ ଭେଟି ଦେଇଥିଲେ। ଭାରତ କେବଳ ଅଙ୍ଗକ୍ରିସ ରଘୁବଂଶୀ (୨୭, ୪୬ ବଲ୍‌, ୪ ଚୌକା)ଙ୍କୁ ‌ହରାଇଥିଲା। ଆସନ୍ତା ଶୁକ୍ରବାରଠୁ ବିଶ୍ବକପ୍‌ ଆରମ୍ଭ ହେବ। ଭାରତ ଶନିବାର ଦକ୍ଷିଣ ଆଫ୍ରିକାକୁୁ ଭେଟି ତା’ର ଅଭିଯାନ ଆରମ୍ଭ କରିବ।

ସମ୍ବନ୍ଧିତ ଖବର