ସଚିନଙ୍କୁ ଆଉଟ୍ ଦେଇ ଲୋକପ୍ରିୟ ହୋଇଥିଲେ ହାର୍ପର୍‌ ! ‘ବିଶ୍ବର ଏକ ଷଷ୍ଠାଂଶ ‌ଲୋକ ମୋ ନାମ ଜାଣିପାରିଥିଲେ’

ନୂଆଦିଲ୍ଲୀ: ଦୀର୍ଘ ୨୧ ବର୍ଷ ତଳେ ସଚିନ ତେନ୍ଦୁଲକରଙ୍କୁ ଏସ୍‌ବିଡବ୍ଲ୍ୟୁ ବଦଳରେ ଏଲ୍‌ବିଡବ୍ଲ୍ୟୁ ଆଉଟ୍ ଦେଇ ବେଶ ଲୋକପ୍ରିୟ ହୋଇପାରିଥିଲେ ଅଷ୍ଟ୍ରେଲୀୟ ଅମ୍ପାୟାର୍‌ ଡାରିଲ୍ ହାର୍ପର। ଏହି ଘଟଣାକୁ ମନେ ପକାଇ ହାର୍ପର ନିଜ ଆଉଟ୍‌ ନିଷ୍ପତ୍ତି ସଠିକ ଥିଲା ବୋଲି ଦୋହରାଇବା ସହ ସେଥିପାଇଁ ମୋ ନାମକୁ ବିଶ୍ବର ଏକ ଷଷ୍ଠାଂଶ ଲୋକ ଜାଣିପାରିଥିଲେ ବୋଲି ପ୍ରକାଶ କରିଛନ୍ତି। ଏସିଆନେଟ୍‌ ନ୍ୟୁଜେବଲ୍‌ ସହ ଏକ ଆଲୋଚନା ବେଳେ ହାର୍ପର ୧୯୯୯ ମସିହାର ଆଡିଲେଡ୍‌ ଟେଷ୍ଟ୍‌ରେ ଦେଇଥିବା ବିବାଦୀୟ ଏଲ୍‌ବିଡବ୍ଲ୍ୟୁ ନିଷ୍ପତ୍ତି ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଗ୍ଲେନ୍ ମ୍ୟାକଗ୍ରାଙ୍କ ଏକ ବାଉଁସରକୁ ଏଡ଼ାଇବାକୁ ଯାଇ ସଚିନ ବସିପଡ଼ିବାରୁ ବଲ୍‌ ତାଙ୍କ କାନ୍ଧରେ ବାଜିଥିଲା। କିନ୍ତୁ କ୍ରିକେଟର୍‌ ନିୟମ ବହିକୁ ଧରି ବସିଥିବାରୁ ହାର୍ପର ସଚିନଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ ଘୋଷଣା କରି ଦେଇଥିଲେ। ଏହାପରେ ଭାରତର କୋଣ ଅନୁକୋଣରୁ କଡ଼ା ସମାଲୋଚନାର ସମ୍ମୁଖୀନ ହୋଇଥିଲେ ହାର୍ପର। ଏହା ବିବାଦ ଓ ବିତର୍କର କାରଣ ସାଜିଥିଲା। ସଚିନଙ୍କ ଲୋକପ୍ରିୟତା ଓ ତାଙ୍କ ପ୍ରତି ଥିବା ପ୍ରଶଂସକଙ୍କ ଭଲ ପାଇବାର ଝଲକ ପାଇଥିଲେ ହାର୍ପର। ସେତେବେ‌ଳକୁ ସଚିନଙ୍କୁ ପ୍ରଶଂସକମାନେ ‘କ୍ରିକେଟ୍‌ର ଭଗବାନ’ ବୋଲି ବିବେଚନା କରି ସାରିଥା’ନ୍ତି ଏବଂ ତାଙ୍କ ପ୍ରତିଟି ମ୍ୟାଚ୍‌ର ଯଥେଷ୍ଟ ପୂର୍ବରୁ ପଡ଼ିଆ କିମ୍ବା ଟିଭି ସାମନାକୁ ଚାଲି ଆସୁଥା’ନ୍ତି।

ହାର୍ପର କହିଛନ୍ତି, ‘ମୁଁ ଏବେ ବି ସେ ନିଷ୍ପତ୍ତିକୁ ବିନା ପ୍ରରୋଚନା ଓ ନିର୍ଭୟରେ ଦ‌େଇଥିବାରୁ ନିଜକୁ ଗର୍ବିତ ମନେ କରେ।‌ ଜୀବନର ପ୍ରତିଟି ଦିନ ମୁଁ ତେନ୍ଦୁଲକରଙ୍କ ଆଡିଲେଡ୍ ଆଉଟ୍‌କୁ ଫେରି ଦେଖିଥାଏ। ଏହାର ଅର୍ଥ ନୁହେଁ ମୁଁ ଶୋଇ ପାରିନଥାଏ କି ଦୁଃସ୍ବପ୍ନ ଦେଖିଛି। ମସ୍ତିସ୍କରେ ରିପ୍ଲେ ଉଦ୍‌ଭାସିତ ହୋଇଥାଏ। ଦିନେ ମୋ ଗ୍ୟାରେଜ୍‌ ଦେଇ ଯିବା ସମୟରେ ସଚିନ ଓ ମ୍ୟାକଗ୍ରାଙ୍କ ସେହି ମୁହୂର୍ତର ଏକ ବଡ଼ କାନଭାସ୍‌କୁ ମୁକାବିଲା କରିବାକୁ ପଡ଼ିଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେ‌ବେ ମୁଁ ଏବେ ବି ସେହି ନିଷ୍ପତ୍ତିକୁ ନେଇ ଭାରି ଗର୍ବିତ ମନେ କରେ। ନିଜ ପାଇଁ ଏହ‌ି ଏଲ୍‌ବିଡବ୍ଲ୍ୟୁ ନିଷ୍ପତ୍ତି ପ୍ରୟୋଗ କରି ଦେଖିଥାଏ, କୌଣସି ଅନୁକମ୍ପା କିମ୍ବା ଭୟ ବିନା କ୍ରିକେଟ୍‌ ନିୟମର ପ୍ରୟୋଗ କରିଥିଲି। ଅମ୍ପାୟାରମାନଙ୍କୁ ଏଭଳି ତାଲିମ ହିଁ ଦିଆଯାଇଥାଏ ଏବଂ ଏଭଳି ନିଷ୍ପତ୍ତି ବି ଆଶା କରାଯାଇଥାଏ। ଏହି ନିଷ୍ପତ୍ତିର ସଠିକତା ଉପରେ ଆଇସିସି ମଧ୍ୟ ମୋତେ କିଛି ‌ନୋଟ୍ କରିନଥିବା ଜଣାଇଥିଲା। ମୁଁ ହଠାତ୍ ଅନୁଭବ କରିଥିଲି ବିଶ୍ବର ଏକ ଷଷ୍ଠାଂଶ ଲୋକ ମୋତେ ଜାଣିଗଲେ। ସେମାନେ ସମ୍ଭବତଃ ମୋ ସମ୍ପର୍କରେ କିଛି ଭଲ କଥା ହେଉନଥିଲେ।

୨୦୧୮ ମସିହାରେ ବିସିସିଆଇ ତତକାଳୀନ ମୁଖ୍ୟ ଚୟନକର୍ତା ଏମ୍‌ଏସ୍‌କେ ପ୍ରସାଦ ମଧ୍ୟ ଏହାକୁ ସ୍ବୀକାର କରିଥିଲେ। ସେ ୧୯୯୯ ଆଡିଲେଡ୍ ଟେଷ୍ଟରେ ୱିକେଟରକ୍ଷକ ଥିଲେ। ସଚିନ ନିଜେ ବିଶ୍ବାସ କରିଥିଲେ ତାହା ଆଉଟ୍ ଥିଲା ବୋଲି ପ୍ରସାଦ ୨୦୧୮ ଡିସେମ୍ବର ଭେଟରେ ମୋତେ କହିଥିଲେ। ପ୍ରାୟ ୨୦ ବର୍ଷ ପରେ ଆମେ ପରସ୍ପରକୁ ଭେଟିବାର ସୁଯୋଗ ପାଇଥିଲୁ। ନିଜେ ସଚିନ ମଧ୍ୟ ଆଉଟ୍‌ ନିଷ୍ପତ୍ତି ଠିକ୍ ଥିବା ବିଶ୍ବାସ କରନ୍ତି ବୋଲି ପ୍ରସାଦ ମୋତେ କହିଥିଲେ। ‘ଏଭଳି ଆଉଟ୍ ଅସ୍ବାଭାବିକ ଥିଲା, କାରଣ ବର୍ଷ ବର୍ଷ ଧରି ଏଭଳି କେହି ଦେଖିନଥିଲେ, କିନ୍ତୁ ଆଉଟ୍ ସଠିକ୍ ଥିଲା’ ବୋଲି ହାର୍ପର କହିଥିଲେ। ସଚିନଙ୍କ ସହ ମୁଁ ଏହି ନିର୍ଦ୍ଦିଷ୍ଟ ଆଉଟ୍ ସମ୍ପର୍କରେ କେବେ କଥା ହୋଇନାହିଁ। ସବୁବେଳେ ଭାରତ ମ୍ୟାଚ୍‌କୁ ଏବଂ ବିଶେଷ କରି ଭାରତରେ ଅମ୍ପାୟାରିଂ କରିବାକୁ ଭଲ ପାଏ ବୋଲି ମଧ୍ୟ ହାର୍ପର କହିଥିଲେ। ସଚିନଙ୍କ ଆଡିଲେଡ୍ ଆଉଟ୍ ସତ୍ତ୍ବେ ବିଶ୍ବବ୍ୟାପୀ ହାର୍ପର ଭାରତର ୨୬ ଟେଷ୍ଟ୍‌ ଓ ୪୪ ଦିନିକିଆରେ ଅମ୍ପାୟାରିଂ କରିଥିଲେ।

ସମ୍ବନ୍ଧିତ ଖବର