ହର୍ଷ ଭୋଗଲେ: ଅମ୍ପାୟାରିଂ ମାନ ମନ ଛୁଉଁନି

ଲିଗ୍‌ ପର୍ଯ୍ୟାୟ ଶେଷ ହେବାକୁ ଆଉ ମାତ୍ର ଦୁଇ ଦିନ ଥିଲା ବେଳେ କେବଳ ଦୁଇଟି ଦଳ ଆନୁଷ୍ଠାନିକ ଭାବେ ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଛି। ଶକ୍ତିଶାଳୀ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇଥିଲେ ମଧ୍ୟ ଦିଲ୍ଲୀ ଡେୟାର ଡେଭିଲ୍ଦର ପ୍ଲେ ଅଫ୍‌ ଯିବାର କୌଣସି ସମ୍ଭାବନା ନାହିଁ। ବାଙ୍ଗାଲୋର ଅବସ୍ଥା ମଧ୍ୟ ଠିକ୍‌ ସେହିଭଳି। ଆଇପିଏଲ୍‌ ଯେତେବେଳେ ଶିଶୁ ଥିଲା ସେତେବେଳେ କରାଯାଇଥିବା ନିୟମ ପାଇଁ ହିଁ ଏହି ପ୍ରତିଯୋଗିତାର ରୋମାଞ୍ଚ ଶେଷ ପର୍ଯ୍ୟନ୍ତ ଅତୁଟ ରହୁଛି। ଯେଉଁ ଦଳର ମାଲିକ ଯେତେ ଧନୀ ହେଲେ ମଧ୍ୟ ସବୁ ଦଳ ସମାନ ଅର୍ଥ ବ୍ୟୟ କରି ପରିବାର ନିୟମ ଏହି କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ନେଉଛି। ଏହା ଗୁରୁକୁଳ ବିଦ୍ୟାଳୟ ଭଳିଆ, ଯେଉଁଠି ମାଲିକ ଏବଂ କର୍ମଚାରୀଙ୍କ ପିଲା ସମାନ ପକେଟ ଖର୍ଚ ପାଆନ୍ତି। ଏକଥା ବି ସତ ଯେ ଆଇପିଏଲ୍‌ ଏକ ଲମ୍ବା ପ୍ରତିଯୋଗିତା ଏବଂ ଗୋଟିଏ ଦୁଇଟି ମ୍ୟାଚ୍‌ରେ ଖେଳାଳିମାନେ ଅଳସୁଆମି କରିବା ଏକ ପ୍ରକାର ନିଶ୍ଚିତ। ମୋ ମତରେ ଲିଗ୍‌କୁ ଆହୁରି ରୋମାଞ୍ଚକର କରିବା ଲାଗି ଋତୁ ମଝିରେ ଖେଳାଳି କିଣା ବିକାକୁ ଅନୁମତି ମିଳିବା ଦରକାର। କାରଣ ଏମିତି ଅନେକ ଭଲ ଖେଳାଳି ଅଛନ୍ତି ଯେଉଁମାନେ ସୁଯୋଗ ଓ ସୁବିଧା ପାଉ ନାହାନ୍ତି। ଏହି ନିୟମ ପାଇଁ ସେମାନେ କିଛି ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଯିବେ। ଚଳିତ ବର୍ଷ କେକେଆରକୁ ଜଣେ ଭଲ ଦ୍ରୁତ ବୋଲରର ଦରକାର ଥିଲା। ଖଲିଦ ଅହମ୍ମଦ ଓ ନଭଦୀପ ସାଇନିଙ୍କ ଭଳି ବୋଲର ଥିଲେ ମଧ୍ୟ ସେମାନେ ଅନ୍ୟଦଳର ହୋଇଥିବାରୁ କେକେଆର ସେମାନଙ୍କୁ ନେଇ ପାରୁନି। ଏହି ଦୁଇ ଖେଳାଳି ନିଜ ଦଳରେ ମଧ୍ୟ ସୁଯୋଗ ପାଉ ନାହାନ୍ତି। ମୋ ମତରେ ଆଇପିଏଲ୍‌ ପାଇଁ ଏବେ ଦୁଇଟି ପ୍ରସଙ୍ଗ ମୁଣ୍ଡ ବ୍ୟଥାର କାରଣ ହୋଇଛି। ମ୍ୟାଚ୍‌ ଗୁଡ଼ିକ ନିର୍ଧାରିତ ସମୟରେ ଶେଷ ହେଉନାହିଁ ଏବଂ ଘଣ୍ଟା ପ୍ରତି ଓଭର ହାର ଭଲ ରହୁନି। ରିଭ୍ୟୁ ଆଂଶିକ ଭାବେ ଏହାର କାରଣ ହୋଇପାରେ। ଅମ୍ପାୟାରମାନେ କିନ୍ତୁ ଖେଳାଳିଙ୍କୁ ଠିକଣା ସମରେ ତାଗିଦ କଲେ ଏହି ସମସ୍ୟା ଦୂର ହୋଇଯିବ ବୋଲି ମୁଁ ଭାବୁଛି। ଭାରତୀୟ ଅମ୍ପାୟାରଙ୍କ ଦୃଢ଼ ସମର୍ଥକ ଭାବେ ମୁଁ କହିବି ଯେ ଆଇପିଏଲରେ ଅମ୍ପାୟାରିଂ ମାନ ଆହୁରି ଭଲ ହେବା କଥା। ହେଲେ କିଏ କହିବ ଚଳିତ ବର୍ଷର ଅମ୍ପାୟାର ହୁଏତ ଆସନ୍ତା ବର୍ଷକୁ ଆହୁରି ଭଲ କରି ପାରନ୍ତି। (ଟିସିଏମ୍‌)

ସମ୍ବନ୍ଧିତ ଖବର