ଟସ୍ ଗୁରୁତ୍ବପୂର୍ଣ୍ଣ, କିନ୍ତୁ ନିର୍ଣ୍ଣାୟକ ହେବ ନାହିଁ

ହର୍ଷ ଭାଗ୍‌ଲେ

ଭାରତର ଶକ୍ତି ଏବଂ ପ୍ରତିପକ୍ଷର ଅସ୍ଥିରତା ହିଁ ବିରାଟ କୋହଲିଙ୍କ ଦଳକୁ ଦୃଢ଼ ଦାବିଦାର କରିଛି। ତଥାପି ଏଭଳି ପରିସ୍ଥିତି ଉଭୟ ଦଳର ଖେଳାଳିଙ୍କ ପରୀକ୍ଷା ନେବ। ନ୍ୟୁଜିଲାଣ୍ଡ୍ ନିଜ ଖେଳରେ ବଡ଼ ପରିବର୍ତନ କରିଦେବା ଭଳି କ୍ଷମତା ରଖିଥାଏ। ଜଣେ ଲମ୍ବା ଦୂରତା ଧାବକ ପ୍ରଥମରୁ ସ୍ପ୍ରିଣ୍ଟ୍ ମାରି ଶେଷ ଭାଗରେ ଦୌଡ଼ରୁ ବାହାରିଯିବା ଭଳି ଘଟଣା ଘଟିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ସହଜ ବିଜୟ ପାଇଥିଲା ନ୍ୟୁଜିଲାଣ୍ଡ୍‌। କିନ୍ତୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବ୍ରାଥ୍‌ୱେଟ୍‌ଙ୍କ ହିଟ୍‌କୁ କାବୁ କରିନେବାରୁ ମାତ୍ର ୧୨ ଇଞ୍ଚ ଦୂରରୁ ହିଁ ବର୍ତିଯାଇଥିଲା। ଦଳର ଶେଷ ୨ ପରାଜୟର ବ୍ୟବଧାନକୁ ମିଶାଇଲେ ମୋଟ ୨୦୫ ରନ୍ ହେଉଛି। ଏଭଳି ପରିସ୍ଥିତିରେ ଦଳ ନିକଟରେ ନିଶ୍ଚିତ ଆତ୍ମବିଶ୍ବାସର ଅଭାବ ଥିବ। କିନ୍ତୁ ଦଳକୁ କିଛି ହରାଇବାର ନ ଥିବାରୁ ସମ୍ପୂର୍ଣ୍ଣ ଉତ୍ସାହର ସହ ଖେଳିପାରିବ। ଭାରତକୁ ନିଶ୍ଚିତ ମ୍ୟାଚ୍‌କୁ ପ୍ରଥମରୁ ନିୟନ୍ତ୍ରଣରେ ରଖିବାକୁ ହେବ। ଫଳରେ ପ୍ରତିପକ୍ଷ ପୁଣି ଏକ ଖରାପ ପ୍ରଦର୍ଶନ କରିବାକୁ ଯାଉଥିବା ବିଶ୍ବାସ ଭରିଦେବାକୁ ହେବ। ଭାରତ ଶକ୍ତିଶାଳୀ ଏବଂ ପ୍ରଶଂସନୀୟ ପ୍ରଦର୍ଶନ କରି ଆସିଛି। ବିରାଟ କୋହଲିଙ୍କଠାରୁ ଗୋଟିଏ ବି ଶତକ ପାଇ ନ ଥିଲେ ମଧ୍ୟ ଦଳର ଏଭଳି ପ୍ରଶଂସନୀୟ ଅଗ୍ରଗତି ମଜାଦାର କଥା। ଦଳ ଶୀର୍ଷ ୩ ଜଣଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳ। କିନ୍ତୁ ଏଭଳି ଭାବେ ଭଲ ଦିନିକିଆ ଦଳ ଗଠିତ ହେଉଛି। ପ୍ରଥମ ପାୱାର ପ୍ଲେ ମଧ୍ୟରେ ଭାରତ ଅଦ୍ୟାବଧି ମାତ୍ର ୪ ୱିକେଟ୍‌ ହରାଇଛି। କୌଣସି ମ୍ୟାଚ୍‌ରେ ଏକାଧିକ ୱିକେଟ୍‌ ମଧ୍ୟ ଏହି ସମୟରେ ହରାଇନାହିଁ। ଏହା ହିଁ ଭାରତୀୟ ଦଳର ଶକ୍ତି ଏବଂ ସାମର୍ଥ୍ୟ। ଏହା ହିଁ ଖେଳକୁ ଦେଖିବାକୁ ଅଧିକ ଆକର୍ଷଣୀୟ କରି ଦେଇଛି। ଭାରତ ନିଜ ସାମର୍ଥ୍ୟ ମୁତାବକ ଖେଳିଛି ଏବଂ ନିଜ ସମ୍ଭାବ୍ୟ ଦୁର୍ବଳତାକୁ ପଦାରେ ପକାଇବାକୁ ଦେଇନାହିଁ। ଅନ୍ୟ ପଡ଼ିଆ ଭଳି ଓଲ୍ଡ ଟ୍ରାଫୋର୍ଡ ପ୍ରଥମେ ବ୍ୟାଟିଂ କରିବା ପଡ଼ିଆ। ଏଠାକାର ସତେଜ ପିଚ୍‌ରେ ୩୨୫ କିମ୍ବା ୨୯୧ ଭଳି ରନ୍ ପ୍ରାୟ ପିଛା କରି ହୋଇଥାଏ। ଟସ୍ ନିଶ୍ଚିତ ଗୁରୁତ୍ବପୂର୍ଣ୍ଣ, କିନ୍ତୁ ଫଳାଫଳ ନିର୍ଣ୍ଣୟ କରିବ ନାହିଁ।

ସମ୍ବନ୍ଧିତ ଖବର