ରସିଦ ପ୍ରେରଣାର ଉତ୍ସ ପାଲଟିଛନ୍ତି: ହର୍ଷ ଭୋଗଲେ

ଚଳିତ ଆଇପିଏଲ୍‌ରେ ସବୁକିଛି ମିଳିଛି। ଦର୍ଶକ ଭିନ୍ନ ଭିନ୍ନ ପିଚ୍‌ ସହ ଅଲଗା ଅଲଗା କ୍ରିକେଟ୍‌ ପରିବେଶ ଦେଖିବାକୁ ପାଇଛନ୍ତି। ଖେଳସୂଚୀ ଅବଶ୍ୟ କେବେ କେବେ ଖେଳାଳିଙ୍କୁ ଚିନ୍ତାରେ ପକାଇଛି। କିଛି ଲଗାତାର ମ୍ୟାଚ୍‌ ଖେଳିିଥିଲା ବେଳେ ଏବଂ ଅନ୍ୟମାନେ ଲମ୍ବା ବ୍ୟବଧାନରେ ପଡ଼ିଆକୁ ଓହ୍ଲାଇଛନ୍ତି। ସେଥିପାଇଁ ସେମାନଙ୍କ ଲୟ ମଧ୍ୟ ବିଗିଡ଼ି ଯାଇଛି। ତାରକା ଖେଳାଳିମାନେ ନିରାଶ କରିଥିଲା ବେଳେ ନୂଆ ତାରକା ସୃଷ୍ଟି ହୋଇଛନ୍ତି। ହେଲେ ଏଥର ଭଲ ବୋଲିଂ ସବୁଠାରୁ ମହତ୍ୱପୂର୍ଣ୍ଣ ଭୂମିକା ନେଇଛି। ଆଇପିଏଲ୍‌ର ଏହି ଦିଗରୁ ମୁଁ ସର୍ବାଧିକ ଆନନ୍ଦ ଉଠାଇଛି। ସେହିଭଳି ଏଥରର ଆଇପିଏଲ୍‌ରେ ଅଧିନାୟକଙ୍କ ଗୁରୁତ୍ୱ ପୁଣି ଥରେ ନଜରକୁ ଆସିଛି। ପରିସଂଖ୍ୟାନ ଓ ସମୀକ୍ଷାକୁ ବି ଯଥାସମ୍ଭବ ମହତ୍ୱ ମିଳିଛି। ସେପଟେ ପ୍ରଶିକ୍ଷକଙ୍କ ଗୁରୁତ୍ୱ ଦିନକୁ ଦିନ ବଢ଼ି ଚାଲିଛି। ହେଲେ କ୍ରିକେଟ୍‌ରେ ଅଧିନାୟକ ହିଁ ସର୍ବୋପରି ତାହା ପୁଣି ପ୍ରମାଣିତ ହୋଇଛି। ଯାହା ମୋ ମନରେ ଖୁସି ଭରି ଦେଇଛି। ଯୁବ ଭାରତୀୟ ଖେଳାଳିମାନେ ସ୍ଥିିର ପ୍ରଦର୍ଶନ ଦେଇ ସମସ୍ତଙ୍କ ମନ କିଣି ନେଇଛନ୍ତି। ଘଡ଼ିସନ୍ଧି ମୁହୁର୍ତରେ ଶୁଭମନ ଗିଲ୍‌ ଏବଂ ଶିବମ୍‌ ମାଭିଙ୍କ ଭଳି ଖେଳାଳି ଜିତିବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ପ୍ରଶଂସିତ ହୋଇଛନ୍ତି। ଋଷବ ପନ୍ତ ଭଲ କରିଛନ୍ତି, ଉମେଶ ଯାଦବ ନିଜକୁ ଜଣେ ଷ୍ଟ୍ରାଇକ୍‌ ବୋଲର ଭାବେ ପୁଣି ଥରେ ପ୍ରମାଣିତ କରିଛନ୍ତି। ଦୀନେଶ କାର୍ତିକ ଶ୍ରେଷ୍ଠ ସମୟ ଦେଇ ଗତି କରୁଛନ୍ତି। ଅମ୍ବାତି ରାୟୁଡୁ, ଲୋକେଶ ରାହୁଲ ଓ ମହେନ୍ଦ୍ର ସିଂହ ଧୋନି ନିଜ ନିଜ ଖେଳକୁ ପୂରା ଭପଭୋଗ କରିଛନ୍ତି। ମୁଁ କିନ୍ତୁ ଅଧିକ ଭାରତୀୟ ଅଲରାଉଣ୍ଡର ଦେଖିବାକୁ ଚାହୁଁଥିଲି। କାରଣ ତା’ ଉପରେ ହିଁ ସବୁବେଳେ ଦଳର ସନ୍ତୁଳନ ନିର୍ଭର କରେ। ଏହାକୁ ସ୍ୱୀକାର କରିବାକୁ ହେବ ଯେ ଭାରତ ପାଖରେ ସଂପ୍ରତି ପର୍ଯ୍ୟାପ୍ତ ଅଲରାଉଣ୍ଡର ନାହାନ୍ତି। ମାତ୍ରାଧିକ ଖେଳାଳି ବିଶେଷଜ୍ଞ ବ୍ୟାଟ୍ସମ୍ୟାନ୍‌ ହେବାକୁ ଚେଷ୍ଟା କରୁଛନ୍ତି। ସେହିଭଳି ବୋଲର ବ୍ୟାଟିଂକ୍ରମର ଶୀର୍ଷ ସ୍ଥାନ ପ୍ରୟାସ କରୁ ନାହାନ୍ତି। ଆଫଗାନ ବୋଲର ରସିଦ ଖାନ୍‌ଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବୋଲି କୁହାଯାଇପାରେ। ତାଙ୍କ ପ୍ରଦର୍ଶନ ପ୍ରମାଣିତ କରୁଛି ଯେ ପ୍ରତିଭା ଯେକୌଣସି ସ୍ଥାନ ଏବଂ ଯୁଦ୍ଧ ବିଧ୍ୱସ୍ତ ଅଞ୍ଚଳରେ ମଧ୍ୟ ବିକଶିତ ହୋଇ ପାରିବ। ଏହା ନିଶ୍ଚିତ ଭାବେ ଉତ୍ସାହଜନକ ଏବଂ ସ୍ୱାଗତଯୋଗ୍ୟ। ଆଫଗାନିସ୍ତାନର ଜଣେ ଖେଳାଳି ଶୀର୍ଷରେ ରହିବା କ୍ରିକେଟ୍‌ ପାଇଁ ବି ଭଲ ଲକ୍ଷଣ। (ଟିସିଏମ୍‌)

ସମ୍ବନ୍ଧିତ ଖବର