ହର୍ଷ ଭୋଗଲେ, ମଙ୍କଡିଂ ବିବାଦକୁ ଭୁଲି ଖେଳ ଉପରେ ଧ୍ୟାନ ଦେଲେ ଭଲ

ଶୁକ୍ରବାରର ରାଜସ୍ଥାନ ରୟାଲ୍ସ-ସନ୍‌ରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍ ଉଭୟ ଦଳ ପାଇଁ ପ୍ରତ୍ୟାବର୍ତନ ସୁଯୋଗ ବହନ କରିବ। ଏହି ଦୁଇ ଦଳ ନିଜ ନିଜର ପ୍ରଥମ ମୁକାବିଲାରେ ଏକଦା ଦୃଢ଼ ସ୍ଥିତିରେ ଥିଲେ। ହେଲେ ପରେ ଦିଗ ହରାଇ ବାଟବଣା ହୋଇଥିଲେ। ସନ୍‌ରାଇଜର୍ସ ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ହାରମାନିଥିଲା। ରୟାଲ୍ସ ମଙ୍କଡିଂ ଅଧ୍ୟାୟରେ ଛନ୍ଦି ହୋଇଯାଇଥିଲା। ମୋ ମତରେ ସନ୍‌ରାଇଜର୍ସ ଅପେକ୍ଷା ରାଜସ୍ଥାନ ପାଇଁ ଏହି ମ୍ୟାଚ୍ ଜିତିବା ଅଧିକ ମହତ୍ବପୂର୍ଣ୍ଣ ରହିବ। କିଙ୍ଗ୍ସ ଏକାଦଶ ବିପକ୍ଷ ମ୍ୟାଚ୍‌ରେ ହୋଇଥିବା ମଙ୍କଡିଂ ଅଧ୍ୟାୟ ପାଇଁ ରାଜସ୍ଥାନ ଖେଳାଳିଙ୍କ ମନରେ ରାଗ ଆଶିବା ସ୍ବାଭାବିକ। ଏହା ଦୂର ହେବା ପରେ କିନ୍ତୁ ସେମାନେ ସଫଳ ପ୍ରତ୍ୟାବର୍ତନ ଉପରେ ଅଧିକ ଧ୍ୟାନ ଦେବା ଉଚିତ। ନନ୍‌ଷ୍ଟ୍ରାଇକର ପଟରେ କ୍ରିଜ୍ ଭିତରେ ରହିବା ଏକ ଛୋଟିଆ କଥା ବୋଲି ସେମାନଙ୍କୁ ଭାବିବାକୁ ହେବ। କାରଣ ଆଇନ ଏବଂ ଖେଳୁଆଡ଼ ମନୋଭାବ ନେଇ ଚାଲିଥିବା ଟଣା ଓଟରାରେ ଆଇନ ସବୁବେଳେ ବିଜୟ ଲାଭ କରିବ। ବଲ୍ ପଡ଼ିବା ପୂର୍ବରୁ ନନ୍‌ଷ୍ଟ୍ରାଇକର କ୍ରିଜ୍ ଭିତରେ ରହିବା ଦରକାର ବୋଲି ସ୍ପଷ୍ଟ ହୋଇଗଲେ ଏଥିନେଇ ଚାଲିଥିବା ବିତର୍କ ବି ଥମିଯିବ। ସମସ୍ତେ ଖେଳ ଉପରେ ଧ୍ୟାନ ଦେବେ। ରୟାଲ୍ସ ଏକ ଭଲ ଦଳ । ସେମାନେ ଅବଶ୍ୟ ତିନିଟି ସ୍ତମ୍ଭ ଉପରେ ନିର୍ଭରଶୀଳ। ଏହି ଦଳକୁ ଆଗକୁ ବଢ଼ିବାକୁ ହେଲେ ଏହି ତିନି ସ୍ତମ୍ଭଙ୍କୁ ଭଲ କରିବାକୁ ହେବ। ଜୋସ୍ ବଟଲର ଏବଂ ଜୋଫ୍ରା ଆର୍ଚର ଭଲ ଫର୍ମରେ ଅଛନ୍ତି। ଷ୍ଟୋକ୍ସଙ୍କୁ ନିଜକୁ ପୁଣି ଥରେ ଆବିଷ୍କାର କରିବାକୁ ହେବ। ରାଜସ୍ଥାନ ପାଇଁ ତାଙ୍କୁ ରସେଲଙ୍କ ଭୂମିକା ନେବାକୁ ହେବ। ଅନ୍ୟ ପକ୍ଷରେ କେନ୍ ୱିଲିୟମସନ୍ ଫେରିଲେ ସନରାଇଜର୍ସକୁ ନିଜ ଚୂଡ଼ାନ୍ତ ଏକାଦଶରେ କେତେକ ଅଦଳ ବଦଳ କରିବାକୁ ପଡ଼ିବ। ସେମାନେ ବିଲି ଷ୍ଟାନଲେକଙ୍କୁ ଖେଳାଇ ପାରନ୍ତି। କାରଣ ସନରାଇଜର୍ସର ତିନି ଭାରତୀୟ ଦ୍ରୁତ ବୋଲରଙ୍କ ବୋଲିଂ ଶୈଳୀ ପ୍ରାୟତଃ ଏକପ୍ରକାର। କୌଣସି ଲମ୍ବା ପ୍ରତିଯୋଗିତାର ପ୍ରଥମ ଦୁଇ ତିନିଟି ମ୍ୟାଚ୍‌ରେ ସବୁଦଳ କିଛି ନା କିଛି ଅସୁବିଧାର ସମ୍ମୁଖୀନ ହୁଅନ୍ତି। ପରେ କିନ୍ତୁ ସ୍ଥିର ପ୍ରଦର୍ଶନ ଦିଅନ୍ତି। ସେହି ଦୃଷ୍ଟିରୁ ଆସନ୍ତାକାଲିର ମୁକାବିଲା ବେଶ୍ ରୋମାଞ୍ଚକର ‌ହେବ ବ‌ୋଲି ଆଶା କରୁଛି।

ସମ୍ବନ୍ଧିତ ଖବର