ଧୋନିଙ୍କ ଆକାଂକ୍ଷା ସମ୍ଭବତଃ ଶେଷ: ଭୋଗ୍‌ଲେ

ନୂଆଦିଲ୍ଲୀ: ଆଇପିଏଲ୍‌-୧୩ ଅନିଶ୍ଚିତତା ଭିତରକୁ ଚାଲିଯାଇଥିବାରୁ ମହେନ୍ଦ୍ର ସିଂହ‌ ଧୋନିଙ୍କ ଶେଷ ଆକାଂକ୍ଷା ଏକ ପ୍ରକାର ଶେଷ ହୋଇଯାଇଛି। ଭାରତୀୟ ଦଳରୁ ଶେଷ ଥର ପାଇଁ ଖେଳିବାର ଅଭିଳାଷ ଏକ ପ୍ରକାର ମଉଳିଯାଇଛି‌ ବୋଲି କହିଛନ୍ତି କ୍ରିକେଟ୍ ଭାଷ୍ୟକାର ହର୍ଷ ଭୋଗ୍‌ଲେ। ମୋର ଅନ୍ତଃ ଅନୁଭବ ହେଉଛି ଧୋନି ଆଉ ସେପ୍ଟେମ୍ବର-ଅକ୍ଟୋବରରେ ଖେଳାଯିବାକୁ ଥିବା ଆଇସିସି ଟି-୨୦ ବିଶ୍ବକପ୍‌କୁ ନଜରରେ ରଖିନଥିବେ। ଆଇପିଏଲ୍‌କୁ ଏକ ଭଲ ସୁଯୋଗ ଭାବେ ବ୍ୟବହାର କରିବା ଲାଗି ସେ ନିଶ୍ଚିତ ଅପେକ୍ଷା କରିଥିବେ, ତା’ ପରଠାରୁ ଆଗକୁ ନୁହେଁ’ ବୋଲି ଭୋଗ୍‌ଲେ ପ୍ରକାଶ କରିଛନ୍ତି। ୨୦୨୯ ବିଶ୍ବକପ୍‌ ପରଠାରୁ ଧୋନି ଅଜ୍ଞାତବାସରେ ରହିବା ସହ କ୍ରିକେଟ୍‌ ପଡିଆଠାରୁ ଦୂରେଇ ରହିଥିଲେ। ଆଇପିଏଲ୍‌କୁ ପ୍ରତ୍ୟାବର୍ତନର ବାଟ ଭାବୁଥିଲେ ମଧ୍ୟ ଏବେ ଏହି ପ୍ରତିଯୋଗିତା ଉପରେ କଳାବାଦଲ ଛାଇଯାଇଛି।

ବିଶ୍ବକପ୍‌ ନ ହେଲେ ବି ଧୋନି ଏବେ ମଧ୍ୟ ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ପାଇଁ ନିଜ ଅବଦାନ‌ ଦେଇପାରିବେ। ଗତବର୍ଷ ଆଇପିଏଲ୍‌ର ଶେଷ ଭାଗରେ ମୁଁ କିଛି ମ୍ୟାଚ୍‌ ଶେଷରେ ଉପସ୍ଥାପନା ବେଳେ ଧୋନିଙ୍କୁ ଦେଖିଛି। ସାଧାରଣତଃ ୪/୫ ମିନିଟ୍‌ କହିବା ପରିବର୍ତ୍ତେ ସେ ୭/୯ ମିନିଟ୍‌ କହୁଥିଲେ। ଧୋନି କହୁଥିବା ବେଳେ ତାଙ୍କୁ ବା କିଏ ରୋକିବ’ ବୋଲି ଭୋଗ୍‌ଲେ ପ୍ରଶ୍ନ କରିଥିଲେ। ଭୋଗଲେଙ୍କ ଏଭଳି କହିବାର କଥା ହେଲା ଧୋନିଙ୍କ ଉତ୍ସାହ କମିନାହିଁ। ଧୋନିଙ୍କ ପିଲାଦିନର ପ୍ରଶିକ୍ଷକ କେଶବ ରଂଜନ ବାନାର୍ଜୀ କିନ୍ତୁ ବିଶ୍ବକପ୍‌ ପାଇଁ ଜଣେ ଅଭିଜ୍ଞ ୱିକେଟ୍‌ରକ୍ଷକଙ୍କ ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ। ଧୋନି ଉପଲବ୍‌ଧ ଥିବାବେଳେ ଶିଖିବା ଅବସ୍ଥାରେ ଥିବା ପନ୍ତ୍‌ଙ୍କ ନାମକୁ ବିଚାର କରିବା ଠିକ୍ ହେବ ନାହିଁ ବୋଲି ସେ ମତ‌ ରଖିଥିଲେ। ସୁନିଲ ଗାଭାସ୍କର ଏବଂ ବୀରେନ୍ଦ୍ର ସେହବାଗଙ୍କ ଭଳି କିଂବଦନ୍ତିମାନେ ମଧ୍ୟ ଭାରତୀୟ ଦଳକୁ ଧୋନିଙ୍କ ପ୍ରତ୍ୟାବର୍ତନ କଷ୍ଟକର ହେବ ବୋଲି କହି ସାରିଛନ୍ତି। କିନ୍ତୁ ୱିକେଟ୍‌ ପଛପଟେ ଧୋନି ଏବେ ସମ୍ପତ୍ତି ଭଳି ଏବଂ ବ୍ୟାଟିଂ ବେଳେ ପାଳି ଗଢ଼ିବାରେ ସେ ବନ୍ଧନ ଭଳି କାମ କରିଥାନ୍ତି ବୋଲି ବାନାର୍ଜୀ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର