ହରିଆଣା ଷ୍ଟିଲର୍ସର ଲଗାତାର ଚତୁର୍ଥ ବିଜୟ

ବେଙ୍ଗାଲୁରୁ: ଚଳିତ ପ୍ରୋ କବାଡ଼ି ଲିଗ୍‌ରେ ହରିଆଣା ‌ଷ୍ଟିଲର୍ସ ଲଗାତାର ଚତୁର୍ଥ ବିଜୟ ପାଇଛି। ସୋମବାର ପୁନେରି ପଲଟନ୍‌ ବିପକ୍ଷ ମ୍ୟାଚ୍‌କୁ ଏହି ଦଳ ୪୧-୨୭ ପଏଣ୍ଟ୍‌ରେ ଜିତି ୧୨ ମ୍ୟାଚ୍‌ରୁ ଅଷ୍ଟମ ବିଜୟ ସହ ୪୧ ପଏଣ୍ଟ୍‌ ପାଇ ତାଲିକାର ଦ୍ବିତୀୟ ସ୍ଥାନରେ ପହଞ୍ଚିଛି। ଅନ୍ୟପକ୍ଷରେ ପୁନେରି ପଲ୍‌ଟନ୍‌ (୨୫ ପଏଣ୍ଟ୍‌) ନିଜର ଦ୍ବାଦଶ ମ୍ୟାଚ୍‌ରୁ ସପ୍ତମ ପରାଜୟ ସହ ତାଲିକାର ଦଶମ ସ୍ଥାନରେ ରହିଛି। ହରିଆଣା ଷ୍ଟିଲର୍ସ ପକ୍ଷରୁ ବିକାଶ କନ୍ଦୋଲା ୧୧ ପଏଣ୍ଟ୍‌ କରି ଦଳକୁ ବିଜୟ ଦେବାରେ ପ୍ରମୁଖ ଭୁମିକା ତୁଲାଇଥିଲେ। ପୁନେରି ପଲ୍‌ଟନ୍‌ ପକ୍ଷରୁ ନିତିନ ତୋମାର ସର୍ବାଧିକ ୮ ପଏଣ୍ଟ୍‌ କରିଥିଲେ। ଅନ୍ୟଏକ ମ୍ୟାଚ୍‌ରେ ତେଲୁଗୁ ଟାଇଟାନ୍ସ ୩୫-୩୦ରେ ତାମିଲ ଥଲାଇବାଜ୍‌କୁ ପରାସ୍ତ କରିଥିଲା। ତେଲୁଗୁ ଟାଇଟାନ୍ସ ପକ୍ଷରୁ ସିଦ୍ଧାର୍ଥ ଦେଶାଇ ୯ ଓ ତାମିଲ ଥଲାଇବାଜ୍‌ ପକ୍ଷରୁ ଭି ଅଜିତ କୁମାର ୧୪ ପଏଣ୍ଟ୍‌ କରିଥିଲେ।

ସମ୍ବନ୍ଧିତ ଖବର