ହସରଙ୍ଗାଙ୍କୁ ୫ ୱିକେଟ୍‌: ଆର୍‌ସିବିର ସପ୍ତମ ବିଜୟ

୬୮ ଅଲ୍‌ ଆଉଟ୍‌ର ପ୍ରତିଶୋଧ ୬୭ ରନ୍ ବିଜୟ

ମୁମ୍ବାଇ: ଦୁଇ ସପ୍ତାହ ତଳେ ଯେଉଁ ଦଳ ବିପକ୍ଷରେ ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ମାତ୍ର ୬୮ ରନ୍‌ରେ ଅଲ୍‌ ଆଉଟ୍‌ ‌ହୋଇ ଲଜ୍ଜିତ ହୋଇଥିଲା ରବିବାର ସେହି ଦଳକୁ ୬୭ ରନ୍‌ରେ ପରାସ୍ତ କରି ମଧୁର ପ୍ରତିଶୋଧ ନେଇଛି। ସନ୍‌ରାଇଜର୍ସ ହାଇଦ୍ରାବାଦଠୁ ଏହି ବିଜୟ ସହ ଆର୍‌ସିବି ମଧ୍ୟ ବିଗିଡ଼ିଯାଇଥିବା ନିଜ ଏନ୍‌ଆର୍‌ଆର୍‌କୁ କିଛି ମାତ୍ରାରେ ସୁଧାରିନେଇଛି। ଦ୍ବାଦଶ ମ୍ୟାଚ୍‌ରୁ ସପ୍ତମ ବିଜୟ ସହ ମଧ୍ୟ ଦଳ ଚତୁର୍ଥ ସ୍ଥାନକୁ ଅଧିକ ଦୃଢ଼ କରିଛି। ଫାଫ୍ ଡୁ ପ୍ଲେସିସ୍‌ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ସାଙ୍ଗକୁ ରଜତ ପଟିଦାର, ଗ୍ଲେନ ମ୍ୟାକ୍ସୱେଲ୍ ଏବଂ ଦୀନେଶ କାର୍ତିକଙ୍କ ବିସ୍ଫୋରକ ପାଳି ଆର୍‌ସିବିକୁ ୧୯୨ ରନ୍‌ର ଲଢ଼ୁଆ ସ୍କୋର୍‌ ପ୍ରଦାନ କରିଥିଲା।

ଜବାବରେ ରାହୁଲ ତ୍ରିପାଠୀ ଆଉ ଏକ ଲଢ଼ୁଆ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଅନ୍ୟ କାହାରିଠାରୁ ସହଯୋଗ ନ ପାଇବାରୁ କେନ୍‌ ୱିଲିୟମ୍‌ସନ୍‌ଙ୍କ ଦଳ ୪ ବଲ୍‌ ପୂର୍ବରୁ ମାତ୍ର ୧୨୫ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ରବିବାର ମ୍ୟାଚ୍‌ରେ ଆର୍‌ସିବିର ସିଂହଳୀ ଲେଗ୍‌ସ୍ପିନର୍‌ ୱାନିନ୍ଦୁ ହସରଙ୍ଗା ସବୁଠୁ ଚମତ୍କାର ବୋଲିଂ ଚିତ୍ର (୪-୧-୧୮-୫) ପାଇଥିଲେ। ଅନ୍ୟତମ ଓଭରସିଜ୍‌ ଖେଳାଳି ଅଷ୍ଟ୍ରେଲିଆର ଜୋସ ହାଜେଲଉଡ୍‌ ସବୁଠୁ ମିତ୍ତବ୍ୟୟୀ (୪-୦-୧୭-୨) ବୋଲିଂ କରି ହାଇଦ୍ରାବାଦକୁ କୌଣସି ସୁଯୋଗ ଦେଇନଥିଲେ। ହସରଙ୍ଗା ନିଜ ଶ୍ରେଷ୍ଠ ବୋଲିଂ ଚିତ୍ର ସହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଥିଲେ।

ଉଭୟ ପାଳି ପ୍ରଥମ ବଲ୍ ୱିକେଟ୍‌

କ୍ରିକେଟ୍ ଇତିହାସରେ ବିରଳ ନହେଲେ ବି ଚଳିତ ସଂସ୍କରଣରେ ପ୍ରଥମ ଥର ପାଇଁ ଗୋଟିଏ ମ୍ୟାଚ୍‌ର ଉଭୟ ପାଳି ପ୍ରଥମ ବଲ୍‌ରେ ୱିକେଟ୍ ପତନ ଦେଖିବାକୁ ମିଳିଥିଲା ରବିବାର। ଆର୍‌ସିବି ପାଳିର ପ୍ରଥମ ବଲରେ ବିରାଟ କୋହଲିଙ୍କୁ ଜଗଦୀଶା ସୁଚିତ କେନ୍‌ ୱିଲିୟମସନ୍‌ଙ୍କ ହାତରେ କ୍ୟାଚ୍‌ କରାଇଥିଲେ। ଅନୁରୂପ ଭାବେ ସନ୍‌ରାଇଜର୍ସ ହାଇଦ୍ରାବାଦ ପାଳି ବେଳକୁ ଅଧିନାୟକ କେନ୍‌ ୱିଲିୟମ୍‌ସନ ପ୍ରଥମ ବଲ୍‌ରେ ସାହବାଜ ଅହମ୍ମଦଙ୍କ ଦ୍ବାରା ରନ୍‌ ଆଉଟ୍‌ ହୋଇଥିଲେ। ଆଇପିଏଲ ଇତିହାସରେ ତୃତୀୟ ଥର ପାଇଁ ଏଭଳି ବିରଳ ଉଦାହରଣ ଦେଖିବାକୁ ମିଳିଥିଲା।

୨୦୧୨ରେ ଡେକାନ୍‌-ପୁଣେ ୱାରିୟର୍ସ ମ୍ୟାଚ୍‌ରେ ପାର୍ଥୀବ ପଟେଲ୍-ମନୀଷ ପାଣ୍ଡେ ଏବଂ ଦିଲ୍ଲୀ ଡେୟାର୍‌ ଡେଭିଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍‌ରେ ମୟଙ୍କ ଅଗ୍ରୱାଲ-ଲେଣ୍ଡଲ୍ ସିମନ୍ସ ମଧ୍ୟ ପ୍ରଥମ ବଲ୍‌ରେ ଆଉଟ୍ ହୋଇଥିଲେ। ସେହିଭଳି କୋହଲିଙ୍କୁ ଆଉଟ୍ କରିଥିବା ଜଗଦୀଶା ସୁଚିତ ଏକ ଆଇପିଏଲ୍‌ ମ୍ୟାଚ୍‌ର ପ୍ରଥମ ବଲରେ ୱିକେଟ୍ ନେବାରେ ତୃତୀୟ ସ୍ପିନର୍ ହୋଇଛନ୍ତି। ୨୦୦୯ରେ ଡର୍ବାନ୍‌ରେ କେଭିନ୍ ପିଟରସନ୍‌ ଏବଂ ୨୦୧୨ରେ କଟକରେ ମାର୍ଲନ ସାମୁଏଲ୍ସ ଏଭଳି ସଫଳତା ମଧ୍ୟ ପାଇଥିଲେ।

ସମ୍ବନ୍ଧିତ ଖବର