ଆର୍‌ସିବିରେ ଯୋଗଦେଲେ ହସରଙ୍ଗା, ଚାମିରା ଓ ଡେଭିଡ୍‌

ବେଙ୍ଗାଲୁରୁ: ଆସନ୍ତାମାସ ୧୯ ତାରିଖରୁ ୟୁଏଇରେ ଆୟୋଜିତ ହେବାକୁ ଯାଉଥିବା ଅବଶିଷ୍ଟ ଆଇପିଏଲ୍‌-୨୦୨୧ ପୂର୍ବରୁ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ତିନି ଜଣ ବିଦେଶୀ ଖେଳାଳିଙ୍କୁ ଦଳରେ ସାମିଲ କରିଛି। ସିଂହଳୀ ଅଲ୍‌ରାଉଣ୍ଡର ୱାନିନ୍ଦୁ ହସରଙ୍ଗା ଓ ଦ୍ରୁତ ବୋଲର ଦୁଷ୍ମନ୍ତ ଚାମିରାଙ୍କ ସହିତ ସିଙ୍ଗାପୁରର ଟିମ୍‌ ଡେଭିଡ୍‌ ଆର୍‌ସିବି ସହ ଚୁକ୍ତିବଦ୍ଧ ହୋଇଛନ୍ତି। ନ୍ୟୁଜିଲାଣ୍ଡ୍‌ର ଫିନ୍‌ ଆଲେନ୍‌ ଓ ସ୍କଟ୍‌ କୁଗେଲେଜିନ୍‌ ବାଂଲାଦେଶ ବିପକ୍ଷ ଶୃଙ୍ଖଳା ପାଇଁ ସେମାନଙ୍କ ଜାତୀୟ ଦଳରେ ସ୍ଥାନ ପାଇଥିବାରୁ ଏବଂ ଆଦାମ୍‌ ଜାମ୍ପା, ଡାନିଏଲ୍‌ ସାମ୍‌ସ ଓ କେନ୍‌ ରିଚାର୍ଡସନ୍‌ ଆଇପିଏଲ୍‌ ଦ୍ବିତୀୟ ଚରଣ ପାଇଁ ଉପଲବ୍‌ଧ ହେବେନାହିଁ ବୋଲି ଘୋଷଣା କରିବା ପରେ ଆର୍‌ସିବି ଶନିବାର ସେମାନଙ୍କ ବଦଳ ଖେଳାଳି ଭାବେ ହସରଙ୍ଗା, ଚାମିରା ଓ ଡେଭିଡ୍‌ଙ୍କୁ ଦଳରେ ନେଇଛି। ଦଳରେ ଆଉ ଜଣେ ବିଦେଶୀ ଖେଳାଳିଙ୍କ ସ୍ଥାନ ଖାଲି ପଡ଼ିଥିଲା ବେଳେ ଆସନ୍ତା କିଛି ଦିନ ମଧ୍ୟରେ ପୂରଣ ହେବ ବୋଲି ଦଳ ଆଶା ରଖିଛି।

ହସରଙ୍ଗା ଶ୍ରୀଲଙ୍କା ସୀମିତ ଓଭର ଦଳର ଜଣେ ଉଦୀୟମାନ ତାରକା। ନିକଟରେ ସେ ଭାରତ ବିପକ୍ଷ ଘରୋଇ ଟି-୨୦ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ସେହିପରି ଚାମିରା ସେହି ଭାରତ ବିପକ୍ଷ ଶୃଙ୍ଖଳାରେ ୫.୨୫ ଇକୋନୋମୀରେ ୪ ୱିକେଟ୍‌ ଦଖଲ କରିଥିଲେ। ଅନ୍ୟପକ୍ଷରେ ସିଙ୍ଗାପୁର ଜନ୍ମିତ ଡେଭିଡ୍‌ ପିଏସ୍‌ଏଲ୍‌ ଓ ବିଗ୍‌ବାସ୍‌ ଲିଗ୍‌ ସାଙ୍ଗକୁ କାଉଣ୍ଟିରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ।

ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିଲେ କଟିଚ୍‌
ଆର୍‌ସିବି ବଦଳ ଖେଳାଳିଙ୍କୁ ଚୁକ୍ତିବଦ୍ଧ କରିଥିଲା ବେଳେ ଅନ୍ୟପଟେ ଏହାର ମୁଖ୍ୟ ପ୍ରଶିକ୍ଷକ ସାଇମନ କାଟିଚ୍‌ ପଦରୁ ଓହରିଯାଇଛନ୍ତି। ଏହି ଅଷ୍ଟ୍ରେଲୀୟ ତାରକା ବ୍ୟକ୍ତିଗତ କାରଣ ଦର୍ଶାଇ ପଦତ୍ୟାଗ କରିଥିଲା ବେଳେ ଅବଶିଷ୍ଟ ଆଇପିଏଲ୍‌ ପାଇଁ ମାଇକ୍‌ ହେସନ୍‌ ପ୍ରଶିକ୍ଷଣ ଦାୟିତ୍ବ ତୁଲାଇବେ ବୋଲି ଫ୍ରାଞ୍ଚାଇଜ୍‌ ପକ୍ଷରୁ କୁହାଯାଇଛି। ନ୍ୟୁଜିଲାଣ୍ଡ୍‌ ତାରକା ହେସନ୍‌ କ୍ରିକେଟ୍‌ ନିର୍ଦେଶକ ପଦ ସହିତ କାଟିଚ୍‌ଙ୍କ ପଦ ସମ୍ଭାଳିବେ ବୋଲି ସୂଚନା ଦିଆଯାଇଛି।

ରିଚାର୍ଡସନ୍‌, ମେରିଡିଥ୍‌ ଓହରିଲେ: ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଏଲିସ୍‌ଙ୍କୁ ନେଲା ପଞ୍ଜାବ କିଙ୍ଗ୍‌ସ
ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ନାଥନ୍‌ ଏଲିସ୍‌ ୟୁଏଇରେ ଆୟୋଜିତ ହେବାକୁ ଯାଉଥିବା ଆଇପିଏଲ୍‌ ଦ୍ବିତୀୟ ଚରଣରେ ପଞ୍ଜାବ କିଙ୍ଗସ ଦଳରେ ଯୋଗଦେବେ। ଚଳିତ ମାସରେ ବାଂଲାଦେଶ ବିପକ୍ଷ ଟି-୨୦ ପଦାର୍ପଣରେ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ ଏଲିସ୍‌। ଟି-୨୦ ପଦାର୍ପଣରେ ହ୍ୟାଟ୍ରିକ୍‌ ଅର୍ଜନ କରିବାରେ ସେ ମଧ୍ୟ ପ୍ରଥମ ପୁରୁଷ ଖେଳାଳି ହୋଇଥିଲେ। ଏଲିସ୍‌ ମଧ୍ୟ ଅଷ୍ଟ୍ରେଲୀୟ ଟି-୨୦ ବିଶ୍ବକପ୍‌ ଦଳରେ ତିନି ଜଣ ରିଜର୍ଭ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ। ଏହି ୨୬ ବର୍ଷ ବୟସ୍କ ଦ୍ରୁତ ବୋଲରଙ୍କ ସହ ପଞ୍ଜାବ କିଙ୍ଗ୍‌ସ ଶୁକ୍ରବାର ଚୁକ୍ତି କରିଛି। ମୁଖ୍ୟତଃ ଦଳର ଦୁଇ ଅଷ୍ଟ୍ରେଲୀୟ ଝେ ରିଚାର୍ଡସନ୍‌ ଓ ରିଲି ମେରିଡିଥ୍‌ ଅବଶିଷ୍ଟ ଆଇପିଏଲ୍‌ରୁ ଓହରିଯିବାରୁ କେଏଲ୍‌ ରାହୁଲଙ୍କ ପଞ୍ଜାବ କିଙ୍ଗ୍‌ସ ଏଲିସ୍‌ଙ୍କୁ ସାମିଲ କରିଛି। ରିଚାର୍ଡସନ୍‌ ଓ ମେରିଡିଥ୍‌ ଆଇପିଏଲ୍‌ରେ ଉପଲବ୍‌ଧ ହୋଇପାରିବେନି ବୋଲି ଗୁରୁବାର କ୍ରିକେଟ୍‌ ଅଷ୍ଟ୍ରେଲିଆ ଘୋଷଣା କରିବାର ପରଦିନ ହିଁ ଏଲିସ୍‌ଙ୍କ ସହ ଫ୍ରାଞ୍ଚାଇଜ୍‌ ଚୁକ୍ତି କରିଛି। ଆମେ ଆଉ କିଛି ଖେଳାଳିଙ୍କ ସହ ଯୋଗାଯୋଗ ରଖିଛୁ ଏବଂ ମୁଖ୍ୟ ପ୍ରଶିକ୍ଷକ ଅନିଲ କୁମ୍ବଲେ ଖୁବ୍‌ ଶୀଘ୍ର ଚୂଡାନ୍ତ କରିବେ ବୋଲି ପଞ୍ଜାବ କିଙ୍ଗ୍‌ସ କହିଛି।

ସମ୍ବନ୍ଧିତ ଖବର