ହସିନଙ୍କ ଉଗ୍ରରୂପ: ଗଣମାଧ୍ୟମକୁ ଆକ୍ରମଣ, କ୍ୟାମେରା ଭାଙ୍ଗିଲେ

କୋଲ୍‌କାତା: ଅନ୍ତର୍ଜାତୀୟ କ୍ରିକେଟର୍‌ ମହମ୍ମଦ ସାମିଙ୍କ ନାମରେ ଘରୋଇ ହିଂସା, ନିର୍ଯାତନା, ହତ୍ୟା ଉଦ୍ୟମ ଆଦି ଏକାଧିକ ଅଭିଯୋଗ ଆଣି ଚାଞ୍ଚଲ୍ୟ ସୃଷ୍ଟି କରିଥିବା ତାଙ୍କ ପତ୍ନୀ ହସିନ୍‌ ଜାହାଁ ମଙ୍ଗଳବାର ନିଜ ଉପରୁ ନିୟନ୍ତ୍ରଣ ହରାଇଛନ୍ତି। କୋଲ୍‌କାତା ରାଜରାସ୍ତାରେ ହସିନ୍‌ ଗଣମାଧ୍ୟମ ଉପରକୁ ଆକ୍ରମଣ କରିବା ଏବଂ ଏକ ଭିଡିଓ କ୍ୟାମେରା ଭାଙ୍ଗିଦେବା ଘଟଣା ତାଙ୍କ ବ୍ୟର୍ଥତାକୁ ପଦାରେ ପକାଇଛି। ମଙ୍ଗଳବାର ସେଣ୍ଟ୍‌ ସେବାଷ୍ଟିଏନ ସ୍କୁଲ୍‌ ବାହାରେ ହସିନ୍‌ ଜଣେ ସମ୍ବାଦିକଙ୍କୁ ଉଚ୍ଚସ୍ୱରରେ ଗାଳିଗୁଲଜ କରୁଥିବା ଏବଂ ଏକ ଭିଡ଼ିଓ କ୍ୟାମେରାକୁ ଟାଣିଓଟାରି ଭାଙ୍ଗିଦେବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହା ପରେ ସେ ଘଟଣାସ୍ଥଳରୁ ଏକ ଲାଲ୍‌ ଏସ୍‌ୟୁଭିରେ ପଳାଇଥିଲେ। ଭିଡିଓକୁ ନେଇ ହସିନ ବିରକ୍ତି ପ୍ରକାଶ କରୁଥିଲେ। କିନ୍ତୁ ସେ କେଉଁଥି ପାଇଁ ଏଭଳି କରୁଥିଲେ ଏବଂ କାହାକୁ କହୁଥିଲେ ସ୍ପଷ୍ଟ ହୋଇନାହିଁ। ସମ୍ପୃକ୍ତ ଗଣମାଧ୍ୟମ ପ୍ରତିନିଧି କିନ୍ତୁ ସାମାନ୍ୟ ଆହତ ହୋଇଛନ୍ତି।

ମହମ୍ମଦ ସାମିଙ୍କ ନାମରେ ଏତାଲା ଦେବା ଦିନଠାରୁ ବିଗତ ୨/୩ ଦିନ ଧରି ହସିନ୍‌ ବହୁବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଆଜି ସକାଳୁ ଆମେ ତାଙ୍କୁ ଅନୁଧାବନ କରୁଥିଲୁ। ପରବର୍ତୀ କାର୍ଯ୍ୟପନ୍ଥା କ’ଣ ବୋଲି ପ୍ରଶ୍ନ ହେବାରୁ ସେ ବିରକ୍ତ ହୋଇଯାଇଥିଲେ ବୋଲି କହିଛନ୍ତି ଇଣ୍ଡିଆ ଟୁଡେ ପ୍ରତିନିଧି ମନୋଜ୍ଞ ଲୋଇଓ୍ଵାଲ। ସେ ଫେସ୍‌ବୁକ୍‌ରେ ସାମିଙ୍କ ସମ୍ପର୍କରେ ସବୁକିଛି ଲେଖିଛନ୍ତି। ସମସ୍ତଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଛନ୍ତି। ସାମିଙ୍କ ସମ୍ପର୍କରେ ସବୁକିଛି ପଦାରେ ପକାଇଦେବା ପରେ ଏବେ ନିଜେ ସାଧାରଣ ଜୀବନ ଜିଇଁବାକୁ ଚେଷ୍ଟା କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ମନୋଜ୍ଞ। ଅନ୍ୟପକ୍ଷରେ ପତ୍ନୀଙ୍କ ର‍୍ୟାଗିଂର ଶିକାର ସମୟରେ ଯେଉଁମାନେ ତାଙ୍କୁ ସମର୍ଥନ ଦେଇଛନ୍ତି ସାମି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଯାଦବପୁର ଥାନାରେ ହସିନଙ୍କ ଅଭିଯୋଗ ପରେ କୋଲ୍‌କାତା ପୁଲିସ୍‌ ମାମଲା ରୁଜୁ କରିଛି। ତାଙ୍କ ନାମରେ ମଧ୍ୟ ଜାମିନବିହୀନ ଅଭିଯୋଗ ଫର୍ଦ ଯୋଡ଼ାଯାଇଛି। ସାମି କିନ୍ତୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବାରେ ଲାଗିଛନ୍ତି। ସମାଧାନ ପାଇଁ ସାମି ପ୍ରସ୍ତୁତ ଥିଲେ ମଧ୍ୟ ହସିନ ରାଜି ହେଉ ନାହାନ୍ତି। ହେଲେ ସାମି ସବୁ ସୀମା ଟପିଯାଇଛନ୍ତି ବୋଲି ହସିନ୍‌ କହୁଛନ୍ତି।
ହସିନ୍‌ଙ୍କ ଅଭିଯୋଗ କିନ୍ତୁ ସାମିଙ୍କୁ ମୁହଁରୁ ହସ ହଜାଇ ଦେଇଛି। ବିଶେଷ କରି ତାଙ୍କ କ୍ରିକେଟ୍‌ ଜୀବନ ଆଶଙ୍କା ଭିତରକୁ ଚାଲିଯାଇଛି। ବିସିସିଆଇ ତାଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍‌ ଦେଇ ସାରିଥିବାବେଳେ ଏବେ ଆଇପିଏଲ୍‌ ଅଂଶଗ୍ରହଣ ନେଇ ମଧ୍ୟ ଅନିଶ୍ଚିତତା ଦେଖା ଦେଇଛି।
ପ୍ରଥମ ପତି ତେଜରାତି ଦୋକାନୀ
ସାମି ଓ ହସିନ୍‌ ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡ଼ିବା ପରେ ଉଭୟଙ୍କ ଜୀବନର ଅନେକ ନୂଆ ନୂଆ ଏବଂ ଅନାଲୋଚିତ ଫର୍ଦ ଖୋଲିବାରେ ଲାଗିଛି। ବିଶେଷ କରି ହସିନ୍‌ଙ୍କ ବିବାଦୀୟ ଅତୀତ ଏବେ ଅଧିକ ଚର୍ଚାର ବିଷୟ ହୋଇଛି। ସାମିଙ୍କ ପ୍ରେମରେ ପଡ଼ିବା ପୂର୍ବରୁ ହସିନ୍‌ ଏସ୍‌କେ ସୈଫ୍‌ଉଦ୍ଦିନ ନାମକ ଜଣେ ଛୋଟ କାଟିଆ ବ୍ୟବସାୟୀଙ୍କ ପ୍ରେମରେ ଉବୁଟୁବୁ ହୋଇଥିଲେ। ତାଙ୍କୁ ବିବାହ ମଧ୍ୟ କରିଥିଲେ। ହସିନ ଯେତେବେଳେ ଦଶମ ଶ୍ରେଣୀରେ ପଢ଼ୁଥିଲେ ସଂପ୍ରତି କୋଲକାତାରେ ଏକ ତେଜରାତି ଦୋକାନ ଚଲାଉଥିବା ସୈଫ୍‌ଉଦ୍ଦିନ ତାଙ୍କ ସୁନ୍ଦରତାରେ ପାଗଳ ହୋଇ ଯାଇଥିଲେ। କାଳ ବିଳମ୍ବ ନ କରି ସେ ହସିନଙ୍କୁ ପ୍ରେମ ନିବେଦନ କରିଥିଲେ। ନୂଆ ନୂଆ ଯୌବନରେ ପାଦ ଥାପିଥିବା ହସିନ ବି ଏହାକୁ ସାଦରରେ ଗ୍ରହଣ କରି ନେଇଥିଲେ। ଏପରିକି ୨୦୦୨ରେ ଉଭୟ ନିକାହା କରି ପତି-ପତ୍ନୀ ଭାବେ ଜୀବନ ଆରମ୍ଭ କରିଥିଲେ। ସମୟକ୍ରମେ ଉଭୟ ଦୁଇଟି କନ୍ୟା ସନ୍ତାନର ମାତା-ପିତା ହୋଇଥିଲେ। ହେଲେ କିଛି ବର୍ଷ ପରେ ହସିନ ହଠାତ୍‌ ସୌଫୁଦିନଙ୍କୁ ଛାଡ଼ି ଦେଇଥିଲେ। ୨୦୧୦ରେ ଉଭୟଙ୍କର ତଲାକ ବା ଛାଡ଼ପତ୍ର ହୋଇ ଯାଇଥିଲା। ସାମି ବିବାଦରେ ମୁହଁ ଖୋଲି ସୈଫ୍‌ଉଦ୍ଦିନ କହିଛନ୍ତି ହସିନ ବହୁତ ମହତ୍ୱାକାଂକ୍ଷୀ। ସେ ସବୁବେଳେ ଚାହୁଁଥିଲେ କେମିତି ଉପରକୁ ଉଠିବେ। ବଡ଼ ଲୋକଙ୍କ ସହ ମିଶିବେ। ମୋତେ ସେ କାହିଁକି ଛାଡ଼ି ଚାଲିଗଲେ ସେକଥା କେବଳ ସେ ଜାଣିଥିବେ। ଆମ ଭିତରେ କେବେ କେବେ ଝଗଡ଼ା ହେଉଥିଲା। ସେ ନିଜ ଗୋଡ଼ରେ ଛିଡ଼ା ହେବାକୁ ଚାହୁଁଥିଲେ।

ସମ୍ବନ୍ଧିତ ଖବର