ଚେନ୍ନାଇ: ଆଇପିଏଲ୍‌ର ୧୭ତମ ମ୍ୟାଚ୍‌ରେ ଅକ୍ଷର ପଟେଲଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ଦଳ ଭାବେ ହ୍ୟାଟ୍ରିକ୍ ବିଜୟ ସହ ଶୀର୍ଷରେ ପହଞ୍ଚିଛି। ଚେପକରେ ଶନିବାର ଅପରାହ୍ଣରେ ଖେଳାଯାଇଥିବା ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୨୫ ରନ୍‌ରେ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପରାସ୍ତ କରିଛି। ଏଥିସହ ସଫଳତମ ଦଳ ସିଏସ୍‌କେ ମଧ୍ୟ ହ୍ୟାଟ୍ରିକ୍ ପରାଜୟ ବରଣ କରିଛି। ଚେପକ୍‌ର ଏମଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଓଭରରେ ଜ୍ୟାକ୍‌ ଫ୍ରେଜର୍‌ ମ୍ୟାକ୍‌ଗର୍କଙ୍କୁ ଖଲିଲ୍ ଅହମ୍ମଦ ପ୍ୟାଭିଲିଅନ୍ ଫେରାଇ ଦେଇଥିଲେ। ଏହା ପରେ କିନ୍ତୁ ୱିକେଟ୍‌ରକ୍ଷକ କେଏଲ୍ ରାହୁଲ୍‌ ୩୩ ବଲ୍‌ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିବା ସହ ଶେଷ ଓଭର ପର୍ଯ୍ୟନ୍ତ ଲଢ଼ିଥିଲେ। ୫୧ ବଲ୍‌ ଖେଳି ୬ ଚୌକା, ୩ ଛକା ବଳରେ ୭୭ ରନ୍‌ କରିଥିଲେ। ଏହି ପାଳି ଅବସରରେ ସେ ଅଭିଷେକ ପୋରେଲ୍ (୨୦ ବଲ୍‌ରୁ ୩୩ ରନ୍‌), ଅକ୍ଷର ପଟେଲ୍ (୧୪ ବଲ୍‌ରୁ ୨୧ ରନ୍), ସମୀର ରିଜ୍‌ଭି (୧୫ ବଲ୍‌ରୁ ୨୦ ରନ୍) ଏବଂ ତ୍ରିଷ୍ଟନ୍ ଷ୍ଟବ୍ସ (୧୨ ବଲ୍‌ରୁ ୨୪ ରନ୍)ଙ୍କୁ ସାଥୀ କରି ଛୋଟ ଛୋଟ ଭାଗୀଦାରି ଗଢ଼ିବାରୁ ଦିଲ୍ଲୀ କ୍ୟାପିଟାଲ୍‌ସ ୧୮୩ ରନ୍‌ର ଆହ୍ବାନଭରା ସ୍କୋର୍‌ ଛିଡ଼ା କରିଥିଲା। ଖଲିଲ୍ ଅହମ୍ମଦ (୪-୦-୨୫-୨) ସଫଳ ବୋଲର ଥିବାବେଳେ ରବୀନ୍ଦ୍ର ଜାଡ଼େଜା, ନୂର ଅହମ୍ମଦ, ମଥିସା ପଥିରଣା ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।

Advertisment

ଜବାବରେ ଚେନ୍ନାଇ ସୁପର୍ କିଙ୍ଗ୍ସ ପାୱାର ପ୍ଲେ ଭିତରେ ୩ ୱିକେଟ୍ ହରାଇବା ସହ ୪୬ ରନ୍ ସଂଗ୍ରହ‌ କରି ପ୍ରଥମ କିଛି ଓଭର୍‌ରେ ହିଁ ହାରିଯାଇଥିଲା। ନ୍ୟୁଜିଲାଣ୍ଡ୍‌ ଓପନିଂ ଯୋଡ଼ି ରାଚିନ ରବୀନ୍ଦ୍ର ଓ ଡେଭନ୍ କନୱେଙ୍କ ସହ ଅଧିନାୟକ ଋତୁରାଜ ଗାଏକ୍ବାଡ ସଅଳ ଫେରିଯାଇଥିଲେ। ଜମି ଆସୁଥିବାବେଳେ ଶିବମ ଦୁବେ (୧୫ ବଲ୍‌ରୁ ୧୮ ରନ୍)ଙ୍କୁ ବିପରାଜ ନିଗମ ଦ୍ବିତୀୟ ଶିକାର କରି ପୁଣି ବ୍ରେକ୍ ଲଗାଇଥିଲେ। ରବୀନ୍ଦ୍ର ଜାଡ଼େଜା (୨)ଙ୍କୁ ତାଙ୍କ ଭାରତୀୟ ସାଥୀ ବାମହାତୀ ସ୍ପିନର୍‌ କୁଲଦୀପ ୟାଦବ ଏଲବିଡବ୍‌ଲ୍ୟୁ କରିଦେଇଥିଲେ। ଏଦାକଶ ଓଭର ବେଳକୁ ଚେନ୍ନାଇ ୭୪/୫ରେ ସଂଘର୍ଷ କରିଥିଲା। ଏହି ସମୟରେ ବିଜୟ ଶଙ୍କର ଏବଂ ମହେନ୍ଦ୍ର ସିଂହ ଧୋନି ଏକାଠି ‌ହୋଇଥିଲେ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ବୋଲର୍‌ଙ୍କ ଉପରେ ଉଭୟ ପ୍ରଭାବ ବିସ୍ତାର କରିପାରିନଥିଲେ। ବିଜୟ ଶଙ୍କର ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଏଥି ପାଇଁ ୪୩ ବଲ୍ ଲୋଡ଼ିଥିଲେ। ଉଭୟ ଶେଷ ଭାଗରେ କିଛି ଆକ୍ରମଣାତ୍ମକ ସଟ୍‌ ଖେଳିଥିଲେ ମଧ୍ୟ ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର୍ କିଙ୍ଗ୍ସ ଠାରୁ ଦହୁ ଦୂରକୁ ଚାଲିଯାଇଥିଲା। ବିଜୟ ଶଙ୍କର ୫୪ ବଲ୍‌ରୁ ୬୯* ରନ୍ ଏବଂ ଧୋନି ୨୬ ବଲ୍‌ରୁ ୩୦* ରନ୍ କରିଥିଲେ।

ସଂକ୍ଷିପ୍ତ ସ୍କୋର: ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୮୩/୬ (କେଏଲ୍ ରାହୁଲ୍‌-୭୭, ଅଭିଷେକ ପୋରେଲ୍‌-୩୩, ତ୍ରିଷ୍ଟନ୍ ଷ୍ଟବ୍ସ-୨୪*, ଖଲିଲ୍ ଅହମ୍ମଦ-୨/୨୫, ରବୀନ୍ଦ୍ର ଜା‌ଡ଼େଜା-୧/୧୯, ମଥିସା ପଥିରଣା-୧/୩୧, ନୂର ଅହମ୍ମଦ-୧/୩୬)। ଚେନ୍ନାଇ ସୁପର୍ କିଙ୍ଗ୍ସ ୨୦ ଓଭରରେ ୧୫୮/୫ (ବିଜୟ ଶଙ୍କର-୬୯*, ମହେନ୍ଦ୍ର ସିଂହ ଧୋନି-୩୦*, ବିପରାଜ ନିଗମ-୨/୨୭, ମିଚେଲ୍ ଷ୍ଟାର୍କ-୧/୨୭, କୁଲଦୀପ ୟାଦବ-୧/୩୦, ମୁକେଶ କୁମାର-୧/୩୬)।