ନୂଆଦିଲ୍ଲୀ : ଆଇପିଏଲ୍ ଗତ ୧୪ ବର୍ଷ ଇତିହାସରେ ସର୍ବାଧିକ ହ୍ୟାଟ୍ରିକ୍ ଅର୍ଜନ କରିବା ଭାରତୀୟଙ୍କ ମଧ୍ୟରେ ଅମିତ ମିଶ୍ର ଆଗରେ ରହିଛନ୍ତି। ମୋଟ ୧୨ ଭାରତୀୟ ହ୍ୟାଟ୍ରିକ ଅର୍ଜନ କରିଥିଲା ବେଳେ ଅମିତ ମିଶ୍ର ସର୍ବାଧିକ ୩ ଥର ଏବଂ ଯୁବରାଜ ସିଂହ ୨ ଥର ଏଭଳି ସଫଳତା ହାତେଇଛନ୍ତି। ୨୦୦୮ ପ୍ରଥମ ସଂସ୍କରଣରେ ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ପ୍ରତିନିଧିତ୍ବ କରିଥିବା ଅମିତ ପ୍ରତିପକ୍ଷ ଡେକାନ ଚାର୍ଜର୍ସର ରବି ତେଜା, ପ୍ରଜ୍ଞାନ ଓଝା ଏବଂ ଆର୍ପି ସିଂହଙ୍କୁ ଆଉଟ୍ କରି ପ୍ରଥମ ଥର ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ଏହାପରେ ୨୦୧୧ରେ ଡେକାନ ଚାର୍ଜର୍ସ ପକ୍ଷରୁ ଖେଳି ସେ କିଙ୍ଗ୍ସ ଇଲେଭେନ ପଞ୍ଜାବର ରୢାନ ମ୍ୟାକ୍ଲରେନ, ମନ୍ଦୀପ ସିଂହ ଓ ରୢାନ୍ ହାରିସ୍ଙ୍କ ୱିକେଟ୍ ଦଖଲ କରି ଦ୍ବିତୀୟ ଏବଂ ୨୦୧୩ରେ ସନ୍ରାଇଜର୍ସ ହାଇଦ୍ରବାଦ ପକ୍ଷରୁ ଖେଳି ପୁଣେ ୱାରିୟର୍ସର ଭୁବନେଶ୍ବର କୁମାର, ରାହୁଲ ଶର୍ମା ଓ ଅଶୋକ ଦିଣ୍ଡାଙ୍କୁ ଆଉଟ୍ କରି ତୃତୀୟ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ସେ ମଧ୍ୟ ୩ ଥର ହ୍ୟାଟ୍ରିକ୍ କରିବାରେ ଆଇପିଏଲ୍ ଇତିହାସରେ ପ୍ରଥମ ବୋଲର ହେବାର କୀର୍ତ୍ତିମାନ ନିଜ ନାମରେ ରଖିଛନ୍ତି।

ଦ୍ବିତୀୟ ଭାରତୀୟ ଭାବେ ଯୁବରାଜ ସିଂହ ୨ ଥର ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ଉଭୟ ହ୍ୟାଟ୍ରିକ୍ ସେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ପକ୍ଷରୁ ଖେଳି ୨୦୦୯ ସଂସ୍କରଣରେ ହିଁ ପାଇଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ରବିନ ଉଥପ୍ପା, ଜାକ୍ସ କାଲିସ ଓ ମାର୍କ ବୌଚରଙ୍କୁ ଆଉଟ୍ କରି ଯୁବି ପ୍ରଥମ ହ୍ୟାଟ୍ରିକ୍ ଅର୍ଜନ କରିଥିଲା ବେଳେ ଡେକାନ ଚାର୍ଜର୍ସ ବିପକ୍ଷରେ ହର୍ସେଲ ଗିବ୍ସ, ଆଣ୍ଡରୁ ସାଇମଣ୍ଡ୍ସ ଓ ବେଣୁଗୋପାଳ ରାଓଙ୍କୁ ଆଉଟ୍ କରି ଦ୍ବିତୀୟ ହ୍ୟାଟ୍ରିକ ଅର୍ଜନ କରିଥିଲେ।

ଅନ୍ୟ ଭାରତୀୟ ଭାବେ ଲକ୍ଷ୍ମୀପତି ବାଲାଜୀ କିନ୍ତୁ ଆଇପିଏଲ୍ରେ ପ୍ରଥମ ହ୍ୟାଟ୍ରିକ ସଫଳତାର ଅଧିକାରୀ ହୋଇଥିଲେ। ଚେନ୍ନାଇ ସୁପର କିଙ୍ଗ୍ସର ପ୍ରତିନିଧିତ୍ବ କରିଥିବା ବାଲାଜୀ ୨୦୦୮ ପ୍ରଥମ ସଂସ୍କରଣରେ କିଙ୍ଗ୍ସ ଇଲେଭେନ ପଞ୍ଜାବର ଇର୍ଫାନ ପଠାନ, ପୀୟୂଷ ଚାୱଲା ଓ ଭିଆର୍ଭି ସିଂହଙ୍କୁ ଆଉଟ୍ କରି ହ୍ୟାଟ୍ରିକ ପୂରଣ କରିଥିଲେ।

ସେହିପରି ଡେକାନ ଚାର୍ଜର୍ସ ପକ୍ଷରୁ ୨୦୦୯ରେ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସର ଅଭିଷେକ ନାୟାର, ହରଭଜନ ସିଂହ ଓ ଜିନ୍ ପଲ୍ ଡୁମିନିଙ୍କୁ ଶିକାର କରି ହ୍ୟାଟ୍ରିକ୍ ସଫଳତା ନିଜ ନାମରେ କରିଥିଲେ। ୨୦୧୦ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳି ପ୍ରବୀଣ କୁମାର ରାଜସ୍ଥାନ ରୟାଲ୍ସର ଡାମିଏନ ମାର୍ଟିନ, ସୁମିତ ନରୱାଲ ଓ ପରାସ ଡୋଗ୍ରାଙ୍କୁ ଆଉଟ୍ କରି ହ୍ୟାଟ୍ରିକ୍ ଅର୍ଜନ କରିଥିଲା ବେଳେ ୨୦୧୨ରେ ଅଜିତ ଚାନ୍ଦିଲା (ରାଜସ୍ଥାନ ରୟାଲ୍ସ) ପୁଣେ ୱାରିୟର୍ସର ଜେସି ରାଇଡର, ସୌରଭ ଗାଙ୍ଗୁଲି ଓ ରବିନ ଉଥପ୍ପାଙ୍କୁ ଶିକାର କରି ହ୍ୟାଟ୍ରିକ ସଫଳତା ହାତେଇଥିଲେ।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଥିବା ପ୍ରବୀଣ ତାମ୍ବେ ୨୦୧୪ରେ କୋଲ୍କାତା ନାଇଟ୍ ରାଇଡର୍ସର ମନୀଷ ପାଣ୍ଡେ, ୟୁସୁଫ ପଠାନ ଓ ରୢାନ ଟେନ୍ ଡୋଏଶ୍ଚେଟ୍ଙ୍କୁ ଆଉଟ୍ କରି ହ୍ୟାଟ୍ରିକ୍ ତାଲିକାରେ ଯୋଡ଼ି ହୋଇଥିଲେ। ୨୦୧୬ରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ପକ୍ଷରୁ ଅକ୍ଷର ପଟେଲ ଗୁଜରାଟ ଲାୟନ୍ସର ଦୀନେଶ କାର୍ତିକ, ଡ୍ବାନ ବ୍ରାଭୋ ଓ ରବୀନ୍ଦ୍ର ଜାଦେଜାଙ୍କୁ ଆଉଟ୍ କରି ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ରାଇଜିଂ ପୁଣେ ସୁପରଜାଏଣ୍ଟ୍ସ ପକ୍ଷରୁ ପ୍ରତିନିଧିତ୍ବ କରି ଜୟଦେବ ଉନାଦ୍କଟ୍ ୨୦୧୭ରେ ସନ୍ରାଇଜର୍ସ ହାଇଦ୍ରାବାଦର ବିପୁଳ ଶର୍ମା, ରସିଦ ଖାନ୍ ଓ ଭୁବନେଶ୍ବର କୁମାରଙ୍କୁ ଆଉଟ୍ କରି ହ୍ୟାଟ୍ରିକ୍ ଅର୍ଜନ କରିଥିଲା ବେଳେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଥିବା

ଶ୍ରେୟସ ଗୋପାଳ ୨୦୧୯ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି, ଏବି ଡିଭିଲିୟର୍ସ ଓ ମାର୍କସ ଷ୍ଟୋଇନିସଙ୍କ ପ୍ରାଇଜ୍ ୱିକେଟ୍ ଝଡ଼ାଇ ସ୍ମରଣୀୟ ହ୍ୟାଟ୍ରିକ୍ ସଫଳତା ହାତେଇଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦ୍ରୁତ ବୋଲର ହର୍ଷଲ ପଟେଲ ୨୦୨୧ରେ ମୁମ୍ବାଇ ଇଣ୍ଡିଆନ୍ସର ହାର୍ଦିକ୍ ପାଣ୍ଡ୍ୟା, କିରଣ ପୋଲାର୍ଡ ଓ ରାହୁଲ ଚହରଙ୍କୁ ଶିକାର କରି ହ୍ୟାଟ୍ରିକ୍ ତାଲିକାରେ ନିଜ ନାମକୁ ଯୋଡ଼ିଥିଲେ। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଥିବା ୟୁଝ୍ବେନ୍ଦ୍ର ଚହଲ ୨୦୨୨ ସଂସ୍କରଣରେ କୋଲ୍କାତା ନାଇଟ୍ ରାଇଡର୍ସର ଶ୍ରେୟସ ଆୟର, ଶିବମ ମାଭି ଓ ପ୍ୟାଟ୍ କମିନ୍ସଙ୍କୁ ଶିକାର କରି ଶେଷ ଭାରତୀୟ ଭାବେ ହ୍ୟାଟ୍ରିକ୍ ତାଲିକାରେ ଯୋଡ଼ି ହୋଇଥିଲେ।