ବିଲିୟାଡ୍‌ର୍ସ ପରେ ସ୍ନକର କପ୍‌ ବି ଜିତିଲେ ସୁବ୍ରତ

ଷ୍ଟିଭ୍‌ ଡେଭିସ୍‌ କପ୍‌ରେ ହ୍ୟାଟ୍ରିକ୍‌ ସୁଯୋଗ

ଭୁବନେଶ୍ୱର: ରାଞ୍ଚିରେ ଆୟୋଜିତ ଷ୍ଟିଭ୍‌ ଡେଭିସ୍‌ କପ୍‌ରେ ଓଡ଼ିଶା କ୍ୟୁ ତାରକା ସୁବ୍ରତ ଦାସଙ୍କୁ ଦ୍ୱିମୁକୁଟ ମିଳିଛି। ୪ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ବିଲିଆର୍ଡସ ବିଜେତା ହୋଇଥିବା ସୁବ୍ରତ ବୁଧବାର ୧୦-ରେଡ୍‌ ସ୍ନକର ଟ୍ରଫି ମଧ୍ୟ ହାତେଇ ନେଇଛନ୍ତି। ଏଥି ସହିତ ରାଜ୍ୟ ବାହାରେ ଲାଗଲାଗ ଓପନ୍‌ ପ୍ରତିଯୋଗିତାରେ ଟ୍ରଫି ଜିତିବାରେ ସୁବ୍ରତ ଓଡ଼ିଶାର ପ୍ରଥମ କ୍ୟୁ ତାରକା ପାଲଟି ଯାଇଛନ୍ତି। ଏବେ ସେ ହ୍ୟାଟ୍ରିକ୍‌ ଅପେକ୍ଷାରେ ରହିଲେ। ଆଜିଠୁ ୬-ରେଡ୍‌ ସ୍ନକର ପ୍ରତିଯୋଗିତା ଆରମ୍ଭ ହୋଇଥିବାରୁ ହ୍ୟାଟ୍ରିକ୍‌ ଅର୍ଜନ ଲକ୍ଷ୍ୟ ରଖିଛନ୍ତି ସୁବ୍ରତ। ବୁଧବାର ୧୦-ରେଡ୍‌ ସ୍ନକର ଫାଇନାଲ୍‌ରେ ସୁବ୍ରତ ନିଜ ରାଜ୍ୟର ସୌଭାଗ୍ୟ ବେହେରାଙ୍କୁ ୪-୩ରେ ପରାସ୍ତ କରିଥିଲେ। ଫାଇନାଲ୍‌ ମୁକାବିଲା ବେଶ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା। ଏକ ସମୟରେ ସୌଭାଗ୍ୟ ୨-୦ରେ ଆଗୁଆ ରହିଥିଲା ବେଳେ ଚମତ୍କାର ପ୍ରତ୍ୟାବର୍ତନ କରି ସୁବତ୍ର ସ୍ଥିତି ୨-୨ କରିଥିଲେ। ଏହାପରେ ସୌଭାଗ୍ୟ ୩-୨ରେ ଆଗେଇ ଯାଇଥିଲେ ମଧ୍ୟ ସୁବ୍ରତ ୩-୩ କରିଥିଲେ। ଶେଷରେ ସୁବ୍ରତ ୪-୩ରେ ବାଜି ମାରି ନେଇଥିଲେ। ତଥାପି ଓଡ଼ିଶାକୁ ଉଭୟ ବିଜେତା ଓ ଉପବିଜେତା ଟ୍ରଫି ମିଳିଯାଇଛି।

ସମ୍ବନ୍ଧିତ ଖବର