ନୂଆଦିଲ୍ଲୀ,: ଦିନିକିଆ ବିଶ୍ବକପ୍ କ୍ରିକେଟ୍ ପ୍ରତିଯୋଗିତା ୧୯୭୫ ମସିହାରୁ ଆରମ୍ଭ ହୋଇଛି। ଏ ପର୍ଯ୍ୟନ୍ତ ୧୧ଟି ସଂସ୍କରଣ ଶେଷ ହେଲାଣି। କିନ୍ତୁ ହ୍ୟାଟ୍ରିକ୍ ଭଳି ବିରଳ ସଫଳତା ମାତ୍ର ୯ ଜଣ ଖେଳାଳିଙ୍କୁ ମିଳିଛି। ଶ୍ରୀଲଙ୍କା ଦ୍ରୁତ ବୋଲର ଲସିତ ମାଲିଙ୍ଗା ଦୁଇ ଥର ହ୍ୟାଟ୍ରିକ ପାଇଥିଲା ବେଳେ ଭାରତର କେବଳ ଚେତନ ଶର୍ମାଙ୍କ ନାମ ଏହି କ୍ଲବ୍ରେ ରହିଛି। ଏଥିସହ ବିଶ୍ବକପ୍ର ପ୍ରଥମ ହ୍ୟାଟ୍ରିକ୍ ହାସଲକାରୀ କୀର୍ତିମାନ କିନ୍ତୁ ଚେତନ ଶର୍ମାଙ୍କ ନାମରେ ରହିଛି। ବିଶ୍ବକପ୍ର ହ୍ୟାଟ୍ରିକ୍କୁ ନେଇ ଆମର ଉପସ୍ଥାପନା।
ଚେତନ ଶର୍ମା
(ଦେଶ-ଭାରତ ବନାମ ନ୍ୟୁଜିଲାଣ୍ଡ, ସଂସ୍କରଣ-୧୯୮୭):
ଭାରତର ଏହି ପୂର୍ବତନ ଦ୍ରୁତ ବୋଲର ବିଶ୍ବକପ୍ରେ ହ୍ୟାଟ୍ରିକ୍ ହାସଲ କରିବାର ପ୍ରଥମ ବ୍ୟକ୍ତି ହୋଇଥିଲେ। ଏହି ଡାହାଣହାତୀ ଦ୍ରୁତ ବୋଲର ବିଶ୍ବକପ୍ର ଚତୁର୍ଥ ସଂସ୍କରଣ (୧୯୮୭)ରେ ନ୍ୟୁଜିଲାଣ୍ଡ ବିପକ୍ଷ ନାଗପୁରଠାରେ ଏହି ସଫଳତା ହାସଲ କରିଥିଲେ। ଶେଷ ଗ୍ରୁପ୍ ମ୍ୟାଚ୍ରେ ଚେତନ ଲଗାତାର ୩ଟି ବଲ୍ରେ ନ୍ୟୁଜିଲାଣ୍ଡର କେନ ରଦରଫୋର୍ଡ, ଇଆନ୍ ସ୍ମିଥ୍ ଏବଂ ଇୱେନ୍ ଚାଟ୍ଫିଲ୍ଡଙ୍କୁ ବୋଲ୍ଡ କରି ପ୍ୟାଭିଲିୟନ ପଠାଇଥିଲେ।
ସାକଲିନ୍ ମୁସ୍ତାକ୍
(ଦେଶ-ପାକିସ୍ତାନ ବନାମ ଜିମ୍ବାୱେ, ସଂସ୍କରଣ-୧୯୯୯)
ଭାରତର ଚେତନ ଶର୍ମାଙ୍କ ପ୍ରଥମ ବିଶ୍ବକପ୍ ହ୍ୟାଟ୍ରିକ୍ ପରେ ଦର୍ଶକ ୧୨ ବର୍ଷ ପରେ ୧୯୯୯ ସଂସ୍କରଣରେ ହ୍ୟାଟ୍ରିକ୍ ଦେଖିବାକୁ ପାଇଥିଲେ। ଜିମ୍ବାୱେ ବିପକ୍ଷରେ ପାକିସ୍ତାନ ଅଫ୍ସ୍ପିନର ସାକଲିନ୍ ମୁସ୍ତାକ ୩ ବଲ୍ରୁ ଶେଷ ୩ ବ୍ୟାଟ୍ସମ୍ୟାନ୍ଙ୍କୁ ଆଉଟ୍ କରି ଏହି ସଫଳତା ପାଇଥିଲେ। ହେନରି ଓଲୋଙ୍ଗାଙ୍କୁ ମୋଇନ ଅଲ୍ଲୀଙ୍କ ହାତରେ ଷ୍ଟମ୍ପ୍ କରିଥିବା ସାକଲିନ୍ ପରବର୍ତୀ ଦୁଇ ବଲ୍ରେ ଆଦାମ ହକ୍ଲେ ଏବଂ ପୋମି ବାଙ୍ଗୱାଙ୍କୁ ପ୍ୟାଭିଲିୟନ ପଠାଇଥିଲେ।
ଚାମିଣ୍ଡା ଭାସ
(ଦେଶ-ଶ୍ରୀଲଙ୍କା ବନାମ ବାଂଲାଦେଶ, ସଂସ୍କରଣ-୨୦୦୩)
ପୂର୍ବତନ ସିଂହଳୀ ଦ୍ରୁତ ବୋଲର ଚାମିଣ୍ଡା ଭାସ ପିଟରମାରିଜବର୍ଗଠାରେ ଖେଳା ଯାଇଥିବା ୨୦୦୩ ବିଶ୍ବକପ୍ରେ ବାଂଲାଦେଶ ବିପକ୍ଷରେ ହ୍ୟାଟ୍ରିକ୍ ସଫଳତା ପାଇଥିଲେ। ଏହି ମ୍ୟାଚ୍ରେ ଶ୍ରୀଲଙ୍କା ଅଧିନାୟକ ସନଥ ଜୟସୂରିୟା ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ବାମହାତୀ ଦ୍ରୁତ ବୋଲର ଭାସ୍ଙ୍କୁ ବୋଲିଂ ପାଇଁ ଡାକିଥିଲେ। ପ୍ରଥମ ବଲ୍ରେ ହାନନାନ ସର୍କାରଙ୍କୁ ବୋଲ୍ଡ କରିବା ସହ ଦ୍ବିତୀୟ ବଲ୍ରେ ମହମ୍ମଦ ଅସ୍ରଫୁଲଙ୍କୁ କଟ୍ ଆଣ୍ଡ ବୋଲ୍ଡ ଏବଂ ତୃତୀୟ ବଲ୍ରେ ଏସାନୁଲ ହକ୍ଙ୍କୁ ମାହେଲା ଜୟବର୍ଧନେଙ୍କ ହାତରେ କ୍ୟାଚ୍ କରାଇ ଭାସ୍ ଏହି ବିରଳ କ୍ଲବ୍ରେ ସାମିଲ ହୋଇଥିଲେ। ଏଥିସହ ବିଶ୍ବକପ୍ ଏବଂ ଦିନିକିଆ ଇତିହାସରେ ସେ ପ୍ରଥମ ୩ ବଲ୍ରେ ହ୍ୟାଟ୍ରିକ ପାଇବାର କୀର୍ତିମାନ କରିଥିଲେ। ତାଙ୍କ ୬/୨୫ ବୋଲିଂ ସଫଳତା ଯୋଗୁଁ ଶ୍ରୀଲଙ୍କା ୧୦ ୱିକେଟ୍ରେ ବିଜୟ ପାଇଥିଲା ଏବଂ ଭାସ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ବ୍ରେଟ ଲି
(ଦେଶ-ଅଷ୍ଟ୍ରେଲିଆ ବନାମ କେନିୟା, ସଂସ୍କରଣ-୨୦୦୩)
୨୦୦୩ ସଂସ୍କରଣରେ ଦୁଇ ଥର ହ୍ୟାଟ୍ରିକ୍ ଦେଖିବାକୁ ମିଳିଥିଲା। ଶ୍ରୀଲଙ୍କାର ଚାମିଣ୍ଡା ଭାସଙ୍କ ପରେ ଅଷ୍ଟ୍ରେଲିଆର ବ୍ରେଟ୍ ଲି ଦ୍ବିତୀୟ ଖେଳାଳି ଭାବେ ଏହି କ୍ଲବ୍ରେ ସାମିଲ ହୋଇଥିଲେ। ସେ କେନିୟାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କେନେଡି ଓଟିଏନେଙ୍କ ସହ ବ୍ରିଜାଲ ପଟେଲ ଏବଂ ଡେଭିଡ ଓବୁୟାଙ୍କୁ ଆଉଟ୍ କରି ଏହି ବିରଳ କ୍ଲବ୍ରେ ନିଜ ନାମ ଯୋଡ଼ିଥିଲେ।
ଲସିଥ ମାଲିଙ୍ଗା (ଦେଶ-ଶ୍ରୀଲଙ୍କା ବନାମ ଦକ୍ଷିଣ ଆଫ୍ରିକା/କେନିୟା, ସଂସ୍କରଣ-୨୦୦୭/୨୦୧୧):
ଶ୍ରୀଲଙ୍କା ଦ୍ରୁତ ବୋଲର ଲସିଥ ମାଲିଙ୍ଗା ବିଶ୍ବକପ୍ରେ ଦୁଇ ଥର ହ୍ୟାଟ୍ରିକ୍ ହାସଲର ଗୌରବ ପାଇଛନ୍ତି। ୨୦୦୭ରେ ଦକ୍ଷିଣ ଆଫ୍ରିକା ଏବଂ ୨୦୧୧ରେ କେନିୟା ବିପକ୍ଷରେ ସେ ଏହି ବିରଳ ସଫଳତା ପାଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ସୁପର-୮ ମ୍ୟାଚ୍ରେ ମାଲିଙ୍ଗା ନିଜର ଗୋଟିଏ ଓଭରର ଶେଷ ଦୁଇ ବଲ୍ରେ ସନ୍ ପୋଲକ ଓ ଆଣ୍ଡ୍ର୍ୟ ହାଲ୍ଙ୍କୁ ଆଉଟ୍ କରିଥିଲା ବେଳେ ଏହାର ପରବର୍ତୀ ଓଭରର ପ୍ରଥମ ବଲ୍ରେ ଜାକ୍ସ କାଲିସଙ୍କ ୱିକେଟ୍ ନେଇ ହ୍ୟାଟ୍ରିକ କ୍ଲବ୍ରେ ସାମିଲ ହୋଇଥିଲେ। କିନ୍ତୁ ଏତିକିରେ ତାଙ୍କ ୱିକେଟ୍ ଭୋକ ମରିନଥିଲା ଏହାର ପର ବଲ୍ରେ ମାଖୟା ଏନ୍ଟିନିଙ୍କୁ ପ୍ୟାଭିଲିୟନ ପଠାଇ ୪ ବଲ୍ରୁ ୪ ୱିକେଟ୍ ଅକ୍ତିଆର କରିଥିଲେ। ଏହି ସଫଳତା ସତ୍ବେ ଶ୍ରୀଲଙ୍କା ମାତ୍ର ୧ ରନ୍ରେ ଦକ୍ଷିଣ ଆଫ୍ରିକାଠୁ ହାରିଯାଇଥିଲା।
୨୦୧୧ରେ କେନିୟା ବିପକ୍ଷରେ ହ୍ୟାଟ୍ରିକ୍ ନେଇ ବିଶ୍ବକପ୍ରେ ଏଭଳି ଦ୍ବିତୀୟ ସଫଳତା ପାଇବାର ଗୌରବ ପାଇଥିଲେ। ପୂର୍ବ ହ୍ୟାଟ୍ରିକ୍ ଭଳି ଏଥର ମଧ୍ୟ ଦୁଇ ଓଭରରେ ସେ ଏହି ସଫଳତା ପାଇଥିଲେ। ତନ୍ମୟ ମିଶ୍ରା, ପିଟର ଓଙ୍ଗୋଣ୍ଡୋ ଏବଂ ସେମ୍ ଏନ୍ଗୋଚେଙ୍କ ୱକେଟ୍ ନେଇ ସେ ଏହି ସଂସ୍କରଣରେ ୱେଷ୍ଟ୍ଇଣ୍ଡିଜ୍ର କେମାର ରୋଚଙ୍କ ପରେ ଦ୍ବିତୀୟ ହ୍ୟାଟ୍ରକ୍ ହାସଲକାରୀ ହୋଇଥିଲେ।
କେମାର ରୋଚ (ଦେଶ-ୱେଷ୍ଟ୍ଇଣ୍ଡିଜ୍ ବନାମ ନେଦରଲାଣ୍ଡ, ସଂସ୍କରଣ-୨୦୧୧):
ଭାରତରେ ଆୟୋଜିତ ୨୦୧୧ ବିଶ୍ବକପ୍ରେ ୱେଷ୍ଟ୍ଇଣ୍ଡିଜ୍ର କେମାର ରୋଚ ନେଦରଲାଣ୍ଡ ବିପକ୍ଷରେ ହ୍ୟାଟ୍ରିକ୍ ପାଇଥିଲେ। ୩୩୧ ରନ୍କୁ ପିଛା କରୁଥିବା ନେଦରଲାଣ୍ଡ ଏକଦା ୧୧୭/୭ ରହିଥିଲା ବେଳେ ରୋଚ ହ୍ୟାଟ୍ରିକ୍ ନେଇ ବିଜୟକୁ ଆଉ ଡେରି କରାଇନଥିଲେ। ରୋଚଙ୍କ ହ୍ୟାଟ୍ରିକ୍ ଶିକାରରେ ରହିଥିଲେ ପିଟର ସିଲର, ବର୍ନାର୍ଡ ଏବଂ ବିରେଣ୍ଡ ୱେଷ୍ଟ୍ଡିକ୍।
ଷ୍ଟିଭ୍ ଫିନ୍
(ଦେଶ-ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ, ସଂସ୍କରଣ-୨୦୧୫):
ଇଂଲଣ୍ଡ ଦ୍ରୁତ ବୋଳର ଷ୍ଟିଭ୍ ଫିନ୍ ପ୍ରଥମ ଇଂଲିସ୍ ଖେଳାଳି ଭାବେ ୨୦୧୫ ବିଶ୍ବକପ୍ରେ ହ୍ୟାଟ୍ରିକ୍ ୱିକେଟ୍ ନେଇଥିଲେ। ମେଲ୍ବର୍ନ କ୍ରିକେଟ୍ ଗ୍ରାଉଣ୍ଡ୍ରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ଏହି ସଫଳତା ପାଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୪୯.୩ ଓଭରରେ ୬ ୱିକେଟ୍ ହରାଇ ୩୪୨ ରନ୍ କରିଥିଲା। ଏହି ସମୟରେ ଶେଷ ୩ ବଲ୍ରେ ୩ ୱିକେଟ୍ ନେଇ ଫିନ୍ ଅଷ୍ଟ୍ରେଲିଆର ସ୍କୋର୍ ୩୪୨/୯ କରିଦେଇଥିଲେ। ତାଙ୍କ ଶେଷ ୩ ବଲ୍ରେ ବ୍ରାଡ୍ ହାଡିନ୍, ଗ୍ଲେନ୍ ମ୍ୟାକ୍ସୱେଲ ଓ ମିଚେଲ ଜନସନ୍ ଆଉଟ୍ ହୋଇଥିଲେ। ଏହି ମ୍ୟାଚ୍କୁ ଅଷ୍ଟ୍ରେଲିଆ ୧୧୧ ରନ୍ରେ ଜିତିଥିଲା।
ଜେପି ଡୁମିନି
(ଦେଶ-ଦକ୍ଷିଣ ଆଫ୍ରିକା ବନାମ ଶ୍ରୀଲଙ୍କା, ସଂସ୍କରଣ-୨୦୧୫):
୨୦୦୩ ଓ ୨୦୧୧ ସଂସ୍କରଣ ପରେ ୨୦୧୫ରେ ଦୁଇ ଥର ହ୍ୟାଟ୍ରିକ୍ ହୋଇଥିଲା। ଇଂଲଣ୍ଡ ଦ୍ରୁତ ବୋଲର ଫିନ୍ଙ୍କ ପରେ ଦକ୍ଷିଣ ଆଫ୍ରିକା ଅଲ୍ରାଉଣ୍ଡର ଜେପି ଡୁମିନି ଏହି ସଫଳତା ପାଇଥିଲେ। ସେ କ୍ବର୍ଟର୍ ଫାଇନାଲ୍ ମ୍ୟାଚ୍ରେ ଶ୍ରୀଲଙ୍କାର ୩ ବ୍ୟାଟ୍ସମ୍ୟାନ୍ ଆଞ୍ଜିଲୋ ମାଥ୍ୟୁସ, ନୁୱାନ୍ କୁଲସେକରା ଏବଂ ଥାରିନ୍ଦୁ କୌଶଲଙ୍କୁ ଆଉଟ୍ କରିଥିଲେ। ପ୍ରଥମ ଦକ୍ଷିଣ ଆଫ୍ରିକା ବୋଲର ଭାବେ ଗୌରବ ପାଇଥିବା ଡୁମିନି ୨ ଓଭରରେ ଏହି ହ୍ୟାଟ୍ରିକ୍ ସଫଳତା ମୁଠାଇଥିଲେ।
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର