ଆର୍‌ସିବିର ହ୍ୟାଟ୍ରିକ୍ ବିଜୟ

ବେଙ୍ଗାଲୁରୁ: ଆର୍‌ସିବି ତାର ପୁରୁଣା ଚମକ ଫେରି ପାଇଛି। ଗୁଜରାଟ ଟାଇଟନ୍ସକୁ ୪ ୱିକେଟ୍‌ରେ ହରାଇ ଚଳିତ ଆଇପିଏଲ୍‌ରେ ହ୍ୟାଟ୍ରିକ୍ ବିଜୟ ପାଇଛି। ଶନିବାର ଗୁଜରାଟ ମାତ୍ର ୧୪୮ ରନ୍‌ର ଲକ୍ଷ୍ୟ ଦେଇଥିଲା। ଅଧିନାୟକ ଫାଫ୍ ଡୁ’ପ୍ଲେସିସ୍‌ (୬୪ ରନ୍, ୨୩ ବଲ୍, ୧୦ ଚୌକା, ୩ ଛକା) ଓ ପୂର୍ବତନ ଅଧିନାୟକ ବିରାଟ କୋହଲି (୪୨ ରନ୍, ୨୭ ବଲ୍, ୨ ଚୌକା, ୪ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଆର୍‌ସିବି ସହଜ ବିଜୟ ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେଉଥିଲା। ହେଲେ ଠିକ୍ ଏତିକି ବେଳେ ଗୁଜରାଟ ଅଚାନକ ୨୫ ରନ୍‌ ଭିତରେ ୬ ୱିକେଟ୍ ନେଇ ମ୍ୟାଚ୍‌ରେ ରୋମାଞ୍ଚ ଭରିଥିଲା। ଶେଷରେ କିନ୍ତୁ ୱିକେଟ୍ ରକ୍ଷକ ଦୀନେଶ କାର୍ତ୍ତିକ (୨୧*), ସ୍ବପ୍ନିଳ ସିଂହ (୧୫*) ଙ୍କ ସହ ମିଶି ୩୮ ବଲ୍‌ ପୂର୍ବରୁ ଦଳର ମହତ୍ତ୍ବପୂର୍ଣ୍ଣ ବିଜୟରେ ମୁଣ୍ଡି ମାରିଥିଲେ। ଏକାଦଶ ମ୍ୟାଚ୍‌ରୁ ଏହା ଆର୍‌ସିବିର ଚତୁର୍ଥ ବିଜୟ ଥିଲା। ଏହି ବିଜୟ ବଳରେ ବହୁ ଦିନ ପରେ ଆର୍‌ସିବି ମଧ୍ୟ ଶେଷ ସ୍ଥାନରୁ ଏକାଥରକେ ତିନିଟି ସ୍ଥାନ ଉପରକୁ ଲମ୍ଫ ମାରି ମୁମ୍ବାଇ, ଗୁଜରାଟ ଓ ପଞ୍ଜାବ ଉପରକୁ ସପ୍ତମ ସ୍ଥାନକୁ ଉଠିଛି।

ପୂର୍ବରୁ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ର ଦୋମୁହାଁ ପିଚ୍‌ରେ ଟସ୍ ଜିତି କ୍ଷେତ୍ରରକ୍ଷଣ କରିବା ଆର୍‌ସିବି ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା। ଦଳର ୪ ଦ୍ରୁତ ବୋଲର ମହମ୍ମଦ ସିରାଜ, ୟଶ୍ ଦୟାଲ୍, ବିଜୟ କୁମାର ବୈଶାକ ଓ କା‌ମେରନ୍ ଗ୍ରିନ୍ ମାପଚୁପ ବୋଲିଂ କରି ନିଜ ନିଜ ମଧ୍ୟରେ ୭ ୱିକେଟ୍ ବାଣ୍ଟିନେବା ପରେ ଗୁଜରାଟ ଟାଇଟନ୍ସ ୩ ବଲ୍ ପୂର୍ବରୁ ମାତ୍ର ୧୪୭ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ଗୁଜରାଟ ମାତ୍ର ୧୯ ରନ୍‌ରେ ୩ ୱି‌କେଟ୍ ହରାଇ ସଂଘର୍ଷ କରୁଥିଲା ବେଳେ ଶାହରୁଖ ଖାନ୍, ଡେଭିଡ୍ ମିଲର ଓ ରାହୁଲ ତିୱାତିଆଙ୍କ ଉପଯୋଗୀ ପାଳି ପାଇଁ ଦେଢ଼ ଶହ ରନ୍‌ର ନିକଟତର ହୋଇପାରିଥିଲା। ପାୱାର ପ୍ଲେରେ ଅଧିନାୟକ ଶୁବମନ ଗିଲ୍‌ଙ୍କ ସମେତ ଶୀର୍ଷ ୩ ବ୍ୟାଟର୍‌ଙ୍କୁ ହରାଇବା ଝଟ୍‌କାରୁ ଗୁଜରାଟ ପୂରା ପାଳିରେ ମୁକୁଳି ପାରି ନଥିଲା। ଏପରିକି ରନ୍ ଗତି ବଢ଼ାଇବା ଲୋଭରେ ଗତଥରର ଏହି ଉପବିଜେତା ଶେଷ ଓଭରର ପ୍ରଥମ ୩ ବଲ୍‌ରେ ୩ ୱିକେଟ୍ ହରାଇଥିଲା।

ସଂକ୍ଷିପ୍ତ ସ୍କୋର୍: ଗୁଜରାଟ ଟାଇଟନ୍ସ ୧୯.୩ ଓଭରରେ ୧୪୭ (ଶାହରୁଖ ଖାନ୍ ୩୭, ରାହୁଲ ତିୱାତିଆ ୩୫, ଡେଭିଡ୍ ମିଲର ୩୦, ୟଶ୍ ଦୟାଲ୍ ୨/୨୧, ବିଜୟ କୁମାର ବୈଶାକ ୨/୨୩, ମହମ୍ମଦ ସିରାଜ ୨/୨୯)। ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ୧୩.୪ ଓଭରରେ ୧୫୨/୬ (ଫାଫ୍ ଡୁ’ପ୍ଲେସିସ୍ ୬୪, ବିରାଟ କୋହଲି ୪୨, ଦୀନେଶ କାର୍ତ୍ତିକ ୨୧*, ସ୍ବପ୍ନିଳ ସିଂହ ୧୫*, ଜୋସ୍ ଲିଟିଲ ୪/୪୫, ନୁର୍ ଅହମଦ ୨/୨୩)।

ସମ୍ବନ୍ଧିତ ଖବର