ନୂଆଦିଲ୍ଲୀ: ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ୍ ପୃଥ୍ବୀ ସ’ ୨୦୧୮ ମସିହା ଅକ୍ଟୋବରରେ ରାଜକୋଟଠାରେ ୱେଷ୍ଟ୍ଇଣ୍ଡିଜ ବିପକ୍ଷରେ ଟେଷ୍ଟ୍ ପଦାର୍ପଣ କରିଥିଲେ। ଏହି ଟେଷ୍ଟ୍ରେ ସେ ୧୩୪ ରନ୍ ସଂଗ୍ରହ କରିବା ସହ ୧୫ତମ ଭାରତୀୟ ଭାବେ ପଦାର୍ପଣରେ ଶତକ ହାସଲର କୀର୍ତ୍ତିମାନ କରିଥିଲେ। ତାଙ୍କର ବ୍ୟାଟିଂ କ୍ଷମତାକୁ ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ୱାସିମ ଜାଫର ପ୍ରଶଂସା କରିଛନ୍ତି। ଏଥିସହ ସେ ସ’ଙ୍କ ବ୍ୟାଟିଂ ଦକ୍ଷତା ବୀରେନ୍ଦ୍ର ସେହବାଗ ସହ ତାଳ ଖାଉଛି ବୋଲି ୟୁଟ୍ୟୁବ ଚ୍ୟାନେଲରେ ଆକାଶ ଚୋପ୍ରାଙ୍କ ସହ କଥା ହେଲା ବେଳେ କହିଛନ୍ତି।
ନିସନ୍ଦେହରେ ମୁଁ ଭାବୁଛି ସ’ ଜଣେ ସ୍ୱତନ୍ତ୍ର ଶୈଳୀର ଖେଳାଳି। ସେ ଯେଉଁ ସଟ୍ ମାରନ୍ତି ବୀରେନ୍ଦ୍ର ସେହବାଗଙ୍କ ପରି ଅନୁଭବ ହୁଏ। ତାଙ୍କ ପାଖରେ ଯେ କୌଣସି ଆକ୍ରମଣକୁ ପ୍ରତିହିତ କରିବାର କ୍ଷମତା ରହିଛି। କିନ୍ତୁ କିଛି ସ୍ଥାନରେ ମୁଁ ଅନୁଭବ କରୁଛି ଯେ ତାଙ୍କୁ ନିଜ ଖେଳକୁ ଭଲ ଭାବରେ ବୁଝିବାର ଆବଶ୍ୟକତା ରହିଛି। ସେ ନ୍ୟୁଜିଲାଣ୍ଡ ଗସ୍ତରେ ଦୁଇଥର ସଟ୍ବଲ୍ରେ ଆଉଟ୍ ହୋଇଥିଲେ। ଏହା ଉପରେ ନିଜକୁ ଦୃଢ଼ କରିବାକୁ ପଡ଼ିବ ବୋଲି ଜାଫର କହିଛନ୍ତି। ତାଙ୍କୁ ପଡ଼ିଆ ବାହାର ଜୀବନକୁ ଆହୁରି ଶୃଙ୍ଖଳିତ କରିବାକୁ ପଡ଼ିବ। ତାଙ୍କର ଖେଳ ଯେପରି ଅଛି ଅନ୍ତର୍ଜାତୀୟସ୍ତରରେ ସହଜରେ ସଫଳତା ପାଇପାରିବେ। କିନ୍ତୁ ସଫଳତା ଲାଗି କ୍ରିକେଟ୍ ବାହାରେ ତାଙ୍କୁ ଅଧିକ ମାର୍ଜିତ ହେବା ଆବଶ୍ୟକ ବୋଲି ମୁମ୍ବାଇ ଓ ବିଦର୍ଭର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଜାଫର ପ୍ରକାଶ କରିଛନ୍ତି।
ରୋହିତ ବିଦେଶରେ ଟେଷ୍ଟ୍ ଦ୍ବିଶତକ ମାରିପାରିବେ
ଆକାଶ ଚୋପ୍ରାଙ୍କ ୟୁଟ୍ୟୁବ ଚ୍ୟାନେଲ୍ରେ ଆଲୋଚନା ବେଳେ ଜାଫର ଭାରତୀୟ ଉପଅଧିନାୟକ ରୋହିତ ଶର୍ମାଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ରୋହିତ ସାଂପ୍ରତିକ ସମୟରେ ନିଜ ଖେଳକୁ ଭଲ ଭାବରେ ବୁଝୁଛନ୍ତି। ଆଗାମୀ ସମୟରେ ସେ ଟେଷ୍ଟ୍ରେ ଜଣେ ଭଲ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ହୋଇପାରିବେ। ଆମେ ପୂର୍ବରୁ ଦେଖିଥିବା ରୋହିତ ଶର୍ମା ଏବେ ପୂରା ବଦଳି ଯାଇଛନ୍ତି। କେଉଁ ସମୟରେ କିଭଳି ଖେଳିବା କଥା ସେ ଭଲ ଭାବେ ଜାଣିଗଲେଣି। ବିଶ୍ବକପ୍ରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ। ପରିସ୍ଥିତି ଅନୁଯାୟୀ ଖେଳୁଥିଲେ। ୨୦୧୯ରେ ଟେଷ୍ଟ୍ କ୍ରିକେଟ୍ରେ ରୋହିତ ଭଲ ପ୍ରଦର୍ଶନ କରିଥିଲେ। ଘରୋଇ ପରିବଶରେ ବଡ଼ ସ୍କୋର୍ ମଧ୍ୟ କରିଥିଲେ। ହେଲେ ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଆହତ ହୋଇ ଦଳରୁ ବାଦ୍ ପଡ଼ିଥିଲେ।
ମୁଁ ଅନୁଭବ କରୁଛି ସଂପ୍ରତି ରୋହିତ ଭାରତ ବାହାରେ ଭଲ ପ୍ରଦର୍ଶନ କରିପାରିବେ। ବିଦେଶ ପରିବେଶରେ ତାଙ୍କ ପାଇଁ ପ୍ରଥମ ୩୦-୪୫ ମିନିଟ୍ ଗୁରୁତ୍ବପୂର୍ଣ୍ଣ। ମୁଁ ଭାବୁଛି ଏହାକୁ ସେ ଗ୍ରହଣ କରିନେବେ ଏବଂ ତାଙ୍କ ପାଖରେ ବିଦେଶରେ ଟେଷ୍ଟ୍ରେ ଦ୍ବିଶତକ ହାସଲ କରିବାର ସାମର୍ଥ୍ୟ ରହିଛି ବୋଲି ଏହି କିଂବଦନ୍ତି ରଣଜୀ ତାରକା କହିଛନ୍ତି। ଜାଫର ଭାରତ ପକ୍ଷରୁ ୩୧ ଟେଷ୍ଟ୍ ଖେଳି ୩୪.୧୦ ହାରରେ ୧୯୪୪ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୫ ଶତକ ଓ ୧୧ ଅର୍ଧଶତକ ରହିଛି। ସେ ରଣଜୀ ଟ୍ରଫିରେ ୧୨୦୦୦ରୁ ଅଧିକ ରନ୍ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/sahwag-620x400.jpg)