ଭୁବନେଶ୍ୱର: ଅଷ୍ଟ୍ରେଲିଆ ଦଳର ଭାରତୀୟ ବଂଶୋଦ୍ଭବ ଅଧିନାୟକ ବିଶ୍ବାସ କ୍ୟାଭି ସୈନି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। କିଟ୍‍ କ୍ରିକେଟ୍‍ ଷ୍ଟାଡିୟମ୍‌ରେ ଭାରତ-ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ ଦଳ ମଧ୍ୟରେ ସୋମବାର ଖେଳାଯାଇଥିବା ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆକୁ ଜିତାଇବାରେ କ୍ୟାଭି ପ୍ରମୁଖ ଭୂମିକା ତୁଲାଇବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସେ ମଧ୍ୟ ଏହି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତି ନିଜ ଭାରତ ଗସ୍ତକୁ ସଫଳ କରିଛନ୍ତି। କ୍ୟାଭିଙ୍କ ସହ ଅଷ୍ଟ୍ରେଲିଆ ଦଳରେ ଥିବା ପାକିସ୍ତାନ ଓ ଶ୍ରୀଲଙ୍କାର ଜଣେ ଲେଖାଏଁ ଖେଳାଳି ବି ଚଳିତ ଭାରତ ଗସ୍ତକୁ ବେଶ୍ ଉପଭୋଗ କରୁଛନ୍ତି। ତେବେ ଭାରତୀୟ ବଂଶୋଦ୍ଭବ ‌ହୋଇଥିବାରୁ କ୍ୟାଭି ହିଁ ସବୁ ଲାଇମ୍ ଲାଇଟ୍ ଲୁଟୁଛନ୍ତି। ଚଣ୍ଡିଗଡ଼ ନିକଟସ୍ଥ ନଙ୍ଗର ସହରରେ କ୍ୟାଭିଙ୍କ ଜନ୍ମ। ୨୦୦୮ରେ ଉନ୍ନତ ଭବିଷ୍ୟତ ପାଇଁ କ୍ୟାଭିଙ୍କ ସିଭିଲ ଇଞ୍ଜିନିୟର ପିତା ରାଜେଶ ଓ ମା’ ତେଜିନ୍ଦର ତାଙ୍କୁ ନେଇ ଅଷ୍ଟ୍ରେଲିଆ ଚାଲି ଯାଇଥିଲେ। ସେତେବେଳେ ତାଙ୍କୁ ମାତ୍ର ୮ବର୍ଷ ହୋଇଥିଲା। ଅଷ୍ଟ୍ରେଲିଆରେ ପାଠପଢ଼ା ଜାରି ରଖିବା ସହ କ୍ରିକେଟ୍ ‌ପ୍ରତି ଆକର୍ଷିତ ହୋଇଥିଲେ। ପରେ ନିଜ ବିଶ୍ବବିଦ୍ୟାଳୟ ‘କାରୋଲିନ ମ୍ୟାକ୍ବେର୍‌ ବିଶ୍ବବିଦ୍ୟାଳୟ’ ଦଳରେ ସ୍ଥାନ ପାଇବା ସହ ପରବର୍ତ୍ତୀ ସମୟରେ ଅଧିନାୟକ ଦାୟିତ୍ବ ତୁଲାଇଥିଲେ। ଅଷ୍ଟ୍ରେଲିଆରେ ଆୟୋଜିତ ଏକ ଜାତୀୟ ପ୍ରତିଯୋଗିତାରେ ତାଙ୍କ ଦଳ ଅପରାଜେୟ ରହିବା ପରେ ଅଷ୍ଟ୍ରେଲିଆ ବିଶ୍ବବିଦ୍ୟାଳୟ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ କ୍ୟାଭି। 

Advertisment

ଏବେ ନିଜ ଜନ୍ମସ୍ଥାନ ଭାରତକୁ ଫେରି ବେଶ୍ ଗର୍ବ ଅନୁଭବ କରୁଛନ୍ତି ସେ। କ୍ୟାଭି ସଂପ୍ରତି ଏହି ବିଶ୍ବବିଦ୍ୟାଳୟରେ ବାଣିଜ୍ୟରେ ସ୍ନାତକ ଶିକ୍ଷା ଲାଭ କରୁଛନ୍ତି। ଦିନେ ଅଷ୍ଟ୍ରେଲିଆ ଜାତୀୟ ଦଳରେ ସ୍ଥାନ ପାଇବାର ସ୍ବପ୍ନ ଦେଖୁଛନ୍ତି। କ୍ୟାଭିଙ୍କ ଜେଜେବାପା ଭୂପିନ୍ଦର ସୈନୀ ଏବେବି ନଙ୍ଗରରେ ବସବାସ କରିବା ସହ ସେଠାରେ ଏକ ହୋଟେଲ ଚଳାଉଛନ୍ତି। ଏଣୁ ଭାରତ ସହ ତାଙ୍କର ଭାବାବେଗ ସଂପର୍କ ରହିଛି ଏବଂ ଓଡ଼ିଶା ଆସି ବହୁତ ଖୁସି ଲାଗୁଛି ବୋଲି କହିଛନ୍ତି ସେ। ‘‘କିଟ୍ ବିଶ୍ବବିଦ୍ୟାଳୟରେ ହଜାରହଜାର ପିଲାଙ୍କ ଗହଣରେ ଖେଳିବା ମୋ ପାଇଁ ସବୁଦିନ ସ୍ମରଣୀୟ ହୋଇ ରହିବ। ଅଷ୍ଟ୍ରେଲିଆ ଦଳରେ ଥିବା ଖେଳାଳିମାନେ ପୂର୍ବରୁ କେବେବି ପରସ୍ପରକୁ ଭେଟି ନଥିଲେ। ଏଣୁ ଆମ ଭିତରେ ତାଳମେଳର  ସାମାନ୍ୟ ଅଭାବ ରହିଛି। ବ୍ୟକ୍ତିଗତ ଭାବେ ମୋ ପାଇଁ ଦଳର ନେତୃତ୍ବ ନେବା ବି ସହଜ ହେଉନି ବୋଲି ଶୀର୍ଷକ୍ରମରେ ଖେଳୁଥିବା କ୍ୟାଭି ‘ସମ୍ବାଦ’କୁ ଦେଇଥିବା ସ୍ବତନ୍ତ୍ର ସାକ୍ଷାତକାରରେ ମତ ଦେଇଥିଲେ। ସେହିଭଳି ଶୃଙ୍ଖଳା ଜିତି ଅଷ୍ଟ୍ରେଲିଆ ଫେରିବାର ଆଶା ପୋଷଣ କରିଥିଲେ। 

ଆସନ୍ତାବର୍ଷ ଅଷ୍ଟ୍ରେଲିଆ ଯିବ ଭାରତ: ବଲଜିତ୍
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସଂପ୍ରତି ଚାଲିଥିବା ଦ୍ବିପାକ୍ଷିକ ଶୃଙ୍ଖଳାକୁ ନିୟମିତ ସୂଚୀରେ ସାମିଲ କରିବାକୁ ଯୋଜନା ରହିଛି। ଆସନ୍ତାବର୍ଷ ନଭେମ୍ବର କିମ୍ବା ଡିସେମ୍ବର ମାସରେ ଭାରତୀୟ ବିଶ୍ବବିଦ୍ୟାଳୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରି ଦୁଇରୁ ତିନିଟି ଟ୍ବେଣ୍ଟି-୨୦ ମ୍ୟାଚ୍ ସହ ଗୋଟିଏ କିମ୍ବା ଦୁଇଟି ଦିନିକିଆ ମ୍ୟାଚ୍ ଖେଳିବାର ଯୋଜନା ରହିଛି। କ୍ରିକେଟ୍ ଅଷ୍ଟ୍ରେଲିଆ ସେଠାକାର ବିଶ୍ବବିଦ୍ୟାଳୟ ଦଳକୁ ସାହାଯ୍ୟ କରୁଛି। ବିସିସିଆଇ ମଧ୍ୟ ଏଭଳି ପଦକ୍ଷେପ ନେବା ଦରକାର ବୋଲି ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର କ୍ରୀଡ଼ା ଯୁଗ୍ମସମ୍ପାଦକ ବଲଜିତ୍‍ ସିଂହ ଶେଖୋଁ କହିଛନ୍ତି।