ପୂଜାରାଙ୍କ ବ୍ୟାଟିଂକୁ ସମାଲୋଚନା କରୁଥିବା ଲୋକଙ୍କଠାରୁ ସେ ବହୁତ ଭଲ: ସଚିନ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଟିଂକ୍ରମର ଅନ୍ୟତମ ପ୍ରମୁଖ ସଦସ୍ୟ ହେଉଛନ୍ତି ସୌରାଷ୍ଟ୍ର ତାରକା ଚେତେଶ୍ବର ପୂଜାରା। ଅନେକ ସ୍ମରଣୀୟ ପାଳି ଖେଳି ଭାରତକୁ ଅଗଣିତ ବିଜୟ ଉପହାର ଦେଇଛନ୍ତି ସେ। ହେଲେ କିଛି ପୂର୍ବତନ କ୍ରିକେଟର ତାଙ୍କ ବ୍ୟାଟିଂକୁ ନେଇ ଗତକିଛି ଦିନ ହେବ ବହୁତ କିଛି କହି ଆସୁଛନ୍ତି। ଏପରିକି ପୂଜାରାଙ୍କୁ ତାଙ୍କ ରନ୍ ସଂଗ୍ରହ ଗତି ଏବେ ବଢ଼ାଇବାକୁ ପଡ଼ିବ ବୋଲି କେତେକ ପରାମର୍ଶ ଦେଇଛନ୍ତି। ଅନ୍ୟ କେତେକ ପୂଜାରାଙ୍କ ମନ୍ଥର ବ୍ୟାଟିଂ ଅନ୍ୟ ଖେଳାଳିଙ୍କ ଉପରେ ଚାପ ସୃଷ୍ଟି କରୁଛି ବୋଲି ନିଜ ବିଶେଷଜ୍ଞ ବକ୍ତବ୍ୟରେ ଖୋଲାଖୋଲି ଭାବେ କହୁଛନ୍ତି। ଏଭଳି ସମାଲୋଚକଙ୍କ ମୁହଁ ବନ୍ଦ କରିବା ଲାଗି ଖୋଦ୍ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଆଗେଇ ଆସିଛନ୍ତି। ପୂଜାରାଙ୍କ ବ୍ୟାଟିଂ ଶୈଳୀ ଏବଂ ତାଙ୍କୁ ଦୃଢ଼ ସମର୍ଥନ ଦେଇ ସଚିନ କହିଛନ୍ତି ଯେ ଭାରତ ପାଇଁ ପୂଜାରା ଯାହା କରିଛନ୍ତି, ସେଥିପାଇଁ ଆମେ ତାଙ୍କୁ ପ୍ରଶଂସା କରିବା କଥା। ଟେଷ୍ଟ୍ କ୍ରିକେଟ୍‌ରେ ସବୁବେଳେ ଷ୍ଟ୍ରାଇକ୍ ରେଟ୍‌ର ମହତ୍ବ ନଥାଏ।

ଦଳୀୟ ଯୋଜନାର ସଫଳ ରୂପାୟନ ଲାଗି ଆପଣଙ୍କୁ ଭିନ୍ନ ଭିନ୍ନ ପ୍ରକାର ଖେଳାଳିଙ୍କ ଦରକାର ହୋଇଥାଏ। ଏହା ଆପଣଙ୍କ ହାତର ପାଞ୍ଚ ଆଙ୍ଗୁଠି ଭଳି। ସମସ୍ତେ ଗୁରୁତ୍ବପୂର୍ଣ୍ଣ, ହେଲେ କେହି କାହା ସହ ସମାନ ନୁହନ୍ତି। ଭାରତୀୟ ଦଳର ପୂଜାରା ଏକ ଅଭିଜ୍ଞ ଅଙ୍ଗ। ତାଙ୍କୁ ମୁଁ ବହୁତ ପସନ୍ଦ କରେ। ତାଙ୍କ ପାଳିକୁ ତର୍ଜମା କରିବା ଅପେକ୍ଷା ଭାରତୀୟ ଦଳ ପାଇଁ ସେ ଦେଇଥିବା ସେବା ଲାଗି ଆମେ ତାଙ୍କୁ ଧନ୍ୟବାଦ ଜଣାଇବା କଥା। ଯେଉଁ ଲୋକମାନେ ତାଙ୍କ ବ୍ୟାଟିଂ ଶୈଳୀ ଏବଂ ଷ୍ଟ୍ରାଇକ୍ ରେଟ୍‌କୁ ନେଇ ବଡ଼ ବଡ଼ କଥା କହୁଛନ୍ତି, ପୂଜାରା ଯେତିକି ଶୀର୍ଷ ସ୍ତରୀୟ କ୍ରିକେଟ୍ ଖେଳିଛନ୍ତି ସୋମନେ ସେତିକି ଖେଳି ନାହାନ୍ତି ବୋଲି ମୁଁ କହି ପାରିବି। ଏବେ ଟ୍ବେଣ୍ଟି-୨୦ ଯୁଗ ହୋଇଥିବାରୁ ଯିଏ ବଡ଼ ସଟ୍ ଖେଳୁଛନ୍ତି ସେମାନେ ହିଁ ଭଲ ଖେଳାଳି ବୋଲି ଅନେକ ଭାବୁଛନ୍ତି। ଷ୍ଟ୍ରାଇକ୍ ରେଟ୍ ପାଇଁ ଆମ ପାଖରେ ରବୀନ୍ଦ୍ର ଜାଦେଜା, ଋଷଭ ପନ୍ତଙ୍କ ଭଳି ଖେଳାଳି ଅଛନ୍ତି। ହେଲେ ଯେତେବେଳେ ପ୍ରତିପକ୍ଷକୁ କ୍ଳାନ୍ତ କରିବା ଏବଂ ନିଜ ପ୍ରାକ୍ ଯୋଜନାକୁ ସଫଳତାର ସହ କାମରେ ଲଗାଇବା କଥା ଆସେ, ସେତେବେଳେ ପୂଜାରାଙ୍କ ଭୂମିକାର ମହତ୍ବ ବଢ଼ିଯାଇଥାଏ।

ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସଚିନ ଦୁଇ ଅଭିଜ୍ଞ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ ଓ ରବୀନ୍ଦ୍ର ଜାଦେଜାଙ୍କୁ ଚୂଡ଼ାନ୍ତ ଦଳରେ ନେବାକୁ ଅଧିନାୟକ ବିରାଟ କୋହଲି ଓ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ସମ୍ଭାବ୍ୟ ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା ଓ ଶୁବମନ ଗିଲ୍‌ଙ୍କୁ ଇଂଲଣ୍ଡରେ ଖେଳିବାର ଗୁରୁମନ୍ତ୍ର ବି ଦେଇଛନ୍ତି ବିଗତ ଦିନର ଏହି ମହାନ କ୍ରିକେଟର। ‘‘ଶରୀରର ଅତି ପାଖରେ ହାତକୁ ରଖିବା, ବିଶେଷ କରି ବ୍ୟାକଲିପ୍ଟ ବେଳେ ଏକଥାକୁ ଧ୍ୟାନରେ ରଖିବା ଦରକାର। ଯେତେବେଳେ ଆପଣଙ୍କ ହାତ ଆପଣଙ୍କ ଶରୀର ନିକଟରେ ଥାଏ ସେତେବେଳେ ରକ୍ଷଣାତ୍ମକ ସଟ୍ ଖେଳିବା ଅତି ସହଜ ହୋଇଯାଏ। ଆପଣ ସବୁକିଛି ନିଜ ନିୟନ୍ତ୍ରଣରେ ରଖି ପାରନ୍ତି। ଶରୀରର ସନ୍ତୁଳନ ଭଲ ହେବା ସହ ଆପଣ ଲମ୍ବା ପାଳି ଖେଳିପାରନ୍ତି। ଏକଥା ଉଭୟ ରୋହିତ ଓ ଶୁବମନଙ୍କୁ ମନେ ରଖିବାକୁ ହେବ’’ ବୋଲି ସଚିନ ନିଜ ବାର୍ତ୍ତାରେ କହିଥିଲେ। ସେହିଭଳି ଉଭୟ ନ୍ୟୁଜିଲାଣ୍ଡ ଓ ଭାରତ ପାଖରେ ଭଲ ବୋଲିଂ ବାହିନୀ ଥିବାରୁ ବ୍ୟାଟ୍ସମ୍ୟାନ୍‌ଙ୍କୁ ପାଗ ଓ ପରିବେଶକୁ ଦେଖି ଖେଳିବାକୁ ହେବ ବୋଲି ଚେତାଇ ଦେଇଥିଲେ ସଚିନ।

ସମ୍ବନ୍ଧିତ ଖବର