ଚାଷ କଲେ ୧୭ ବର୍ଷରୁ କମ୍‌ ଭାରତୀୟ ଫୁଟ୍‌ବଲ୍‌ ଦଳର ଅଧିନାୟକ

ନୂଆଦିଲ୍ଲୀ: କରୋନା ଯୋଗୁଁ ପ୍ରାୟ ୫ ମାସ ହେଲାଣି ଭାରତରେ କ୍ରୀଡ଼ା ପ୍ରତିଯୋଗିତା ସହ ପ୍ରଶିକ୍ଷଣ ମଧ୍ୟ ବନ୍ଦ ରହିଛି। ହେଲେ ଏବେ କିଛି ଖେଳାଳି ଅଭ୍ୟାସ ଆରମ୍ଭ କଲେଣି। ଅଧିକାଂଶ ‌କ୍ରୀଡ଼ାବିତ ପ୍ରଶିକ୍ଷଣ ଓ ପ୍ରତିଯୋଗିତା ନଥିବାରୁ ଘରେ ନିଜ ପରିବାର ସହ ସମୟ ବିତାଉଛନ୍ତି। ସେହିଭଳି ୩ ବର୍ଷ ତଳେ ଫିଫା ୧୭ ବର୍ଷରୁ କମ୍‌ ବିଶ୍ବକପ୍‌ରେ ଭାରତର ନେତୃତ୍ବ ନେଇଥିବା ଅମରଜିତ ସିଂହ କିୟାମ ମଧ୍ୟ ଘରେ ଅଛନ୍ତି। ମଣିପୁରର ଏହି ତାରକା ଘରେ ଖାଲିରେ ବସି ନରହି ପୈତୃକ ବେଉସା ଚାଷ କାମରେ ନିଜକୁ ନିୟୋଜିତ କରିଛନ୍ତି। ଚାଷ ଜମିରେ ତାଙ୍କୁ ଦେଖି ଜଣେ ପ୍ରଶ୍ନ କରିଥିଲେ, ଅମରଜିତ ତୁମର ଅଭ୍ୟାସ କ’ଣ ସରିଲାଣି? ଇଣ୍ଡିଆନ୍‌ ଆରୋଜ୍‌ ଓ ଜାତୀୟ ଦଳର ଏହି ଖେଳାଳି ସ୍ମିତ ହାସ୍ୟରେ ଉତ୍ତର ରଖିଥିଲେ, ଏବେ ଅଭ୍ୟାସ ନାହିଁ। ଧାନ କ୍ଷେତରେ ପରିବାରକୁ ସାହାଯ୍ୟ କରୁଛି ଏବଂ ଚାଷ କରୁଛି। ମୋ ପରିବାରର ବେଉସା ହେଉଛି ଚାଷ। ଫୁଟ୍‌ବଲ୍‌ରେ ଅଧିକ ସମୟ ଦେଉଥିବାରୁ ପିଲାବେଳୁ ଚାଷ କାମରେ ସେତେଟା ଜଡ଼ିତ ନଥିଲି। କିନ୍ତୁ ଏଥିରେ ଶାନ୍ତି ଅଛି।

ଭାରତୀୟ ଦଳର ଏହି ରକ୍ଷଣଭାଗ ଖେଳାଳି ଗତ ୩ ବର୍ଷ ହେବ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ସହ ଜଡ଼ିତ ଥିବାରୁ ଗାଁରେ ଅଧିକ ସମୟ ରହିପାରୁ ନାହାନ୍ତି। ହେଲେ କରୋନା ମହାମାରୀ ଯୋଗୁଁ ଏବେ ସେ ଗାଁରେ ପରିବାର ସହ ସମୟ କାଟିବାର ସୁଯୋଗ ପାଇଛନ୍ତି। ‘‘ସାଧାରଣତଃ ମୁଁ ବେଶି ଦିନ ଘରେ ରହେନି। ‌ଯେତେବେଳେ କ୍ରୀଡ଼ା ଋତୁ ସରେ ଆମେ କିଛି ସ୍ବତନ୍ତ୍ର ଗସ୍ତ କରିଥାଉ। ଯେତେବେଳେ ଘରକୁ ଆସେ ସେତେବେଳେ ଚାଷ ସମୟ ନଥିବାରୁ କିଛି ସପ୍ତାହ ରହି ଚାଲିଯାଏ। ଏବେ କରୋନା ଯୋଗୁଁ ଘରେ ଅଛି। ଚାଷ କାମରେ ପରିବାରକୁ ସହଯୋଗ କରୁଛି। ଏଥିପାଇଁ ମୁଁ ଗର୍ବ ଅନୁଭବ କରେ। ଚାଷର ବିଭିନ୍ନ କାର୍ଯ୍ୟ ଯେପରିକି ପାଣି ଛାଡ଼ିବା ଭଳି କାମ ଶିଖିଗଲିଣି। କିନ୍ତୁ ଚାଷ କରିବା ପରେ ମୁଁ ସତେଜ ଅନୁଭବ କରୁଛି ବୋଲି ୧୭ ବର୍ଷରୁ କମ୍‌ ଭାରତୀୟ ଦଳର ଏହି ପ୍ରତିଭାବାନ ଅଧିନାୟକ ପ୍ରକାଶ କରିଛନ୍ତି। ମୋ ପରିବାର ପୂର୍ବରୁ ବହୁ କଷ୍ଟରେ ଚଳୁଥିଲେ। ଏହି କଷ୍ଟକର ସମୟକୁ ମୁଁ ଆଦୌ ଭୁଲିନି। ଏବେ ମୋ ବାପାଙ୍କୁ ଚାଷ କାମରେ ସାହାଯ୍ୟ କରୁଥିବାରୁ ବହୁତ ଖୁସି ଲାଗୁଛି ବୋଲି ଅମରଜିତ କହିଛନ୍ତି।

ସମ୍ବନ୍ଧିତ ଖବର