ରିଚାର୍ଡସଙ୍କ ଫୁଙ୍ଗୁଳା ଦେହ ଦେଖି ଡରିଯାଇଥିଲେ ଆକ୍ରମ

କରାଚୀ: ନିଜ ଖେଳ ଜୀବନରେ ଅନେକ ସ୍ମରଣୀୟ ସ୍ପେଲ୍ ବୋଲିଂ କରିଥିବା ପାକିସ୍ତାନର ବାମହାତୀ ଦ୍ରୁତ ବୋଲର ୱାସିମ ଆକ୍ରମ ଦୁର୍ଦ୍ଧର୍ଷ ୱେଷ୍ଟଇଣ୍ଡିଜ୍‌ ଦଳର ଭିଭିଆନ୍ ରିଚାର୍ଡସଙ୍କ ବିପକ୍ଷ ଅନେକ ସ୍ମୃତିକୁ ଭୁଲି ପାରିନାହାନ୍ତି। ରିଚାର୍ଡସଙ୍କୁ ସ୍ଲେଜିଂ କରିବା ପରେ ସେ କିଭଳି ତାଙ୍କ କ୍ରୋଧରୁ ଅଳ୍ପକେ ବର୍ତିଯାଇଥିଲେ ଏକ ଭିଡିଓ ଆଲୋଚନା ବେଳେ ବଖାଣିଛନ୍ତି। ପାକିସ୍ତାନର ୧୯୮୭-୮୮ ୱେଷ୍ଟଇଣ୍ଡିଜ୍ ଗସ୍ତ ବେଳେ ଏହି ଘଟଣାଟି ଘଟିଥିଲା।

‘ସେ ମୋ ବୋଲିଂକୁ ବହୁ ଧୂଲେଇ କରିଥିଲେ। ସେ ବହୁ ଶକ୍ତିଶାଳୀ ଶରୀରର ଏବଂ ମୁଁ ଭାରି ପତଳା ଥିଲି। ମ୍ୟାଚ୍‌ର ଶେଷ ଓଭର ଥାଏ, ମୁଁ ଭଲ ଗତିରେ ବୋଲିଂ କରିଥିଲି। ମୁଁ ଜଣେ କଷ୍ଟସାଧ୍ୟ ବୋଲର ବୋଲି ରିଚାର୍ଡସ ଅନୁଭବ କରିଥିଲେ। ମୁଁ ଏକ ବାଉଁସର ବୋଲିଂ କରିବା ପରେ ତାଙ୍କ ମୁଣ୍ଡରୁ ଟୋପି ଖସିଯାଇଥିଲା। ଭିଭିଆନ ରିଚାର୍ଡସଙ୍କ ଭଳି ଖେଳାଳିଙ୍କ ମୁଣ୍ଡରୁ ଟୋପି ଖସାଇଦେବାର ଅର୍ଥ ସେତେବେଳେ ବହୁ ବଡ଼ ପ୍ରସଙ୍ଗ ବୋଲି ଆକ୍ରମ ପ୍ରକାଶ କରିଛନ୍ତି। ସେ ସମୟରେ ମ୍ୟାଚ୍‌ ରେଫରି ନ ଥିଲେ, ମୁଁ ତାଙ୍କ ପାଖକୁ ଯାଇ ମୋ ଖଣ୍ଡି ଇଂରାଜୀରେ ସ୍ଲେଜିଂ କରିଥିଲି। ମୋ ଆଡ଼କୁ ଅନାଇ ସେ କହିଥିଲେ, ‘ଏଭଳି କରନାହିଁ ଭାଇ’। ମୁଁ କିଛି ବୁଛି ପାରିନଥିଲି କେବଳ କହିଥିଲି, ‘ହଉ ଚିନ୍ତା କରନାହିଁ’। ଏହା ପରେ ମୁଁ ମୋ ଅଧିନାୟକ ଇମ୍ରାନ ଖାନ୍‌ଙ୍କ ପାଖକୁ ଯାଇ କହିଥିଲି ରିଚାର୍ଡସ କହୁଛନ୍ତି, ‘ମୋତେ ଗାଳି ଦିଅନାହିଁ, ନ ହଲେ ପିଟିବି’। ଇମ୍ରାନ୍ ମୋତେ କହିଥିଲେ, ‘ଚିନ୍ତା କରନାହିଁ, ତାଙ୍କୁ ବାଉଁସର ବୋଲିଂ କର’। ଏହା ପରେ ମୁଁ ବାଉଁସର ବୋଲିଂ କରିଥିଲି ସେ ବସି ପଡ଼ି ଏହାକୁ ଏଡ଼ାଇଯିବାରୁ ଚିଡ଼ାଇଥିଲି। ମୁଁ କିନ୍ତୁ ତାଙ୍କ ପାଖକୁ ଯାଇ ଭଲରେ ବିଦାୟ ଦେଇଥିଲି।

ଏହି କାରଣରୁ ରିଚାର୍ଡସ କ୍ରୋଧିତ ହୋଇଥିଲେ। ନିଜ ନିଜ ଡ୍ରେସିଂ ରୁମ୍‌କୁ ଫେରିଯିବା ପରେ କ୍ଲାନ୍ତ ଆକ୍ରମ ନିଜ ଜୋତା ଖୋଲୁଥିବା ବେଳେ ଜଣେ ଆସି ସ୍ପଷ୍ଟ ଭାବେ କହିଥିଲେ ବାହାରକୁ ଆସ। ବାହାରେ ରିଚାର୍ଡସ ଅପେକ୍ଷା କରିଥିଲେ ମୋତେ ପାନେ ଦେବାକୁ। କିନ୍ତୁ ମୁଁ ତୁରନ୍ତ କ୍ଷମା ମାଗି ନେଇଥିଲି ଏବଂ ସେ କ୍ଷମା କରିଦେଇଥିଲେ। ‘ମୁଁ କିନ୍ତୁ ଯେତେବେଳେ ବାହାରକୁ ଆସିଥିଲି ଦେଖିଲି ରିଚାର୍ଡସ ଶାର୍ଟ ନପିନ୍ଧି ମୁକୁଳା ଦେହରେ ଥିଲେ, ପ୍ୟାଡ୍‌ ଖୋଲିନଥିଲେ, ହାତରେ ବ୍ୟାଟ୍‌ ଥିଲା। ମୁଁ ଡରିଯାଇ ଇମ୍ରାନ ଖାନ୍‌ଙ୍କ ନିକଟକୁ ଦୌଡ଼ିଥିଲି। ଇମ୍ରାନ ମୋତେ କହିଥିଲେ, ‘ମୁଁ କ’ଣ କରିପାରିବି, ଏହା ତୁମ ଲଢ଼େଇ ଯାଅ ଓ ମୁକାବିଲା କର’। ମୁଁ ବାହାରକୁ ଯାଇ କ୍ଷମା ମାଗିଥିଲି ଏବଂ ଏଭଳି ଆଉ ନକରିବାକୁ କଥା ‌ଦେଇଥିଲି’। ସେ କହିଥିଲେ, ‘ତୁମେ ଭଲ ପିଲା ନୁହଁ, ତୁମକୁ ମାରିଦେବି’। କିନ୍ତୁ ମୋତେ କ୍ଷମା କରି ଦେଇଥିଲେ। ‘ମୋ ବାହାପିଆ ଗୁଣ ମୋତେ ଏଭଳି କରିବାକୁ ଉସୁକାଇଥିଲା’ ବୋଲି ମଧ୍ୟ ଆକ୍ରମ ସ୍ବୀକାର କରିଥିଲେ। ବାର୍ବାଡସ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ୨୬୬ ରନ୍‌କୁ ପିଛା କରି ୱେଷ୍ଟଇଣ୍ଡିଜ୍‌ ୨ ୱିକେଟ୍‌ରେ ରୋମାଞ୍ଚକ ବିଜୟ ହାସଲ କରିଥିଲା।

ସମ୍ବନ୍ଧିତ ଖବର