ହେଡିଂଲେ ଲଜ୍ଜା, ଭାରତ ୭୮ରେ ଅଲଆଉଟ୍

ଶତକ ମରୁଡ଼ିରେ କୋହଲିଙ୍କ ଅର୍ଦ୍ଧଶତକ

ନଟିଂହାମ: ଲର୍ଡସରେ ଆତ୍ମବିଶ୍ବାସଭରା ଏବଂ ନାଟକୀୟ ବିଜୟ ପାଇଥିବା ଭାରତୀୟ କ୍ରିକେଟ୍ ଦଳ ହେଡିଂଲେରେ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟ୍‌ରେ ଲଜ୍ଜାଜନକ ବ୍ୟାଟିଂ କରି ମାତ୍ର ୭୮ ରନ୍‌ରେ ଅଲଆ‌ଉଟ୍ ହୋଇଯାଇଛି। ମ୍ୟାଚ୍ ପୂର୍ବରୁ ନାନା ବାହାସ୍ଫୋଟ ମାରୁଥିବା ଅଧିନାୟକ ବିରାଟ କୋହଲି ଏବଂ ଲଗାତାର ବିଫଳ ହୋଇଚାଲିଥିବା ଚେତେଶ୍ବର ପୂଜାରାଙ୍କ ସମେତ ଦଳର ୯ ଜଣ ବ୍ୟାଟ୍ସମ୍ୟାନ୍ ଏକଅଙ୍କରେ ସୀମିତ ରହିବାର ଅତ୍ୟନ୍ତ ଦୁର୍ବଳ ଓ ଦୟନୀୟ ବ୍ୟାଟିଂ କରି ପ୍ରଶଂସକଙ୍କୁ ନିରାଶ ଓ ହତାଶ କରିଛି ଟିମ୍ ଇଣ୍ଡିଆ। କେବଳ ରୋହିତ ଶର୍ମା (୧୯) ଓ ଅଜିଙ୍କ୍ୟ ରାହାଣେ (୧୮) କଷ୍ଟେମଷ୍ଟେ ଦୁଇ ଅଙ୍କ ଛୁଇଁବା ପରେ ଭାରତ ମଧ୍ୟ ଦୀର୍ଘ ୪୭ ବର୍ଷର ବ୍ୟବଧାନ ପରେ ଇଲଣ୍ଡ ମାଟିରେ ନିଜ ସର୍ବନିମ୍ନ ଦଳଗତ ସ୍କୋର କରିବାର ଅପଯଶ ମୁଣ୍ଡାଇଛି। ଅନ୍ୟପକ୍ଷରେ ନୂଆ ଓପନିଂ ଯୋଡ଼ିକୁ ନେଇ ଖେଳୁଥିବା ଇଂଲଣ୍ଡ ଷ୍ଟମ୍ପ୍ସ ଅପସାରଣ ବେଳକୁ ବିନା କ୍ଷତିରେ ୧୨୦ ରନ୍ (୪୨ ଓଭର) କରି ନେଇ ୪୨ ରନ୍‌ରେ ଆଗୁଆ ରହିଛି। ଦୁଇ ଓପନର ରୋରି ବର୍ଣ୍ଣସ (୫୨) ଓ ହସିବ ହମିଦ (୬୦) ଅବିଭାଜିକ ଶତକୀୟ ଭାଗୀଦାରି କରି ଭାରତ ଉପରେ ଅତିରିକ୍ତ ଚାପ ସୃଷ୍ଟି କରିଛନ୍ତି।

ବୁଧବାର କୋହଲି ଟସ୍ ଜିତିବା ପରେ ସଙ୍ଗେ ସଙ୍ଗେ ବ୍ୟାଟିଂ କରିବେ ବୋଲି କହିଥିଲେ। ଏଣୁ ବଡ଼ ସ୍କୋର କରି ଇଂଲଣ୍ଡ ଉପରେ ଚାପ ସୃଷ୍ଟି କରିବା ଲାଗି ଏଭଳି ନିଷ୍ପତ୍ତି ନେଲେ ବୋଲି ସମସ୍ତେ ଭାବିଥିଲେ। ହେଲେ ପ୍ରଥମ ଓଭରରେ ହିଁ ତାଙ୍କ ଯୋଜନାରେ ଯେ ଆଦୌ ଦମ୍ ନଥିଲା ତାହା ସ୍ପଷ୍ଟ ହୋଇଯାଇଥିଲା। ଖାତା ଖୋଲିବା ପୂର୍ବରୁ କେଏଲ୍ ରାହୁଲ ଜେମ୍ସ ଆଣ୍ଡରସନ୍‌ଙ୍କ ପ୍ରଥମ ଶିକାର ହୋଇଥି‌ଲେ। ଏହା ପରେ ପ୍ରତିପକ୍ଷ ଇଂଲଣ୍ଡର ଚାରି ପେସର ଆଣ୍ଡରସନ୍ (୩/୬), ଓଲି ରବିନସନ୍ (୨/୧୬), ସାମ୍ କରନ (୨/୨୭) ଓ କ୍ରେଗ୍ ଓଭରଟନ୍ (୩/୧୪) ଅଗ୍ନିବର୍ଷୀ ବୋଲିଂ କରି ଭାରତ ପାଳିକୁ ମାତ୍ର ୪୦.୪ ଓଭରରେ ଶେଷ କରିଦେଇଥିଲେ। ପୂଜାରା ଓ କୋହଲି ପୁଣି ଥରେ ଆଣ୍ଡରସନ୍‌ଙ୍କ ଦ୍ବାରା ଆଉଟ୍ ହୋଇଥିଲେ। ଉଭୟ ଯଥାକ୍ରମେ ୧ ଓ ୭ ରନ୍ କରିବା ପରେ ଆଣ୍ଡରସନ୍ ଉଗ୍ର ଉତ୍ସବ ପାଳନ କରି ସେମାନଙ୍କୁ ତାଚ୍ଛଲ୍ୟ କରିଥିଲେ। ପିଚ୍ ସେତେଟା ଖରାପ ନଥିଲେ ବି ଭାରତ ଆଶ୍ଚର୍ଯ୍ୟଜନକ ଭାବେ ଶେଷ ୭ ୱିକେଟ୍ ମାତ୍ର ୨୨ ରନ୍‌ରେ ହରାଇଥିଲା। ସ୍କୋରବୋର୍ଡର ସ୍ଥିତି ୫୬/୩ ଥିଲା ବେଳେ ଶେଷ ୫ ୱିକେଟ୍ ଅପ୍ରତ୍ୟାଶିତ ଏବଂ ଅବିଶ୍ବସନୀୟ ଭାବେ କେବଳ ୧୧ ରନ୍‌ରେ ହରାଇଥିଲା କୋହଲି ବାହିନୀ। ଭାରତର ୭୮ ରନ୍ ବି ପ୍ରଥମେ ବ୍ୟାଟିଂ କରିବା ପରେ ଟେଷ୍ଟ୍ ଇତିହାସର ତାର ସପ୍ତମ ତଥା ପ୍ରଥମ ପାଳିର ତୃତୀୟ ସର୍ବନିମ୍ନ ସ୍କୋର ଥିଲା।

କୋହଲିଙ୍କୁ ସର୍ବାଧିକ ଥର ଆଉଟ୍‌ କରିବାରେ ଲାୟନଙ୍କ ସହ ଯୋଡ଼ିହେଲେ ଆଣ୍ଡରସନ୍‌
ଟେଷ୍ଟ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ସର୍ବାଧିକ ଥର ଆଉଟ୍‌ କରିଥିବା ଅଷ୍ଟ୍ରେଲୀୟ ସ୍ପିନର ନାଥନ୍‌ ଲାୟନ୍‌ଙ୍କ ସହ ବୁଧବାର ଯୋଡ଼ି ହୋଇଯାଇଛନ୍ତି ଇଂଲଣ୍ଡ ଦ୍ରୁତ ବୋଲର ଜେମ୍‌ସ ଆଣ୍ଡରସନ୍‌। ବୁଧବାରଠୁ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟ୍‌ର ପ୍ରଥମ ଦିନ ହିଁ କୋହଲିଙ୍କୁ ଆଣ୍ଡରସନ୍‌ ଶିକାର କରିନେଇଥିଲେ। ଏଥିସହିତ ଟେଷ୍ଟ୍‌ରେ ସର୍ବାଧିକ ସପ୍ତମ ଥର ପାଇଁ କୋହଲିଙ୍କ ୱିକେଟ୍‌ ଦଖଲ କରିଥିଲେ ଆଣ୍ଡରସନ୍‌। ଏହା ପୂର୍ବରୁ ଲାୟନ ୭ ଥର କୋହଲିଙ୍କୁ ଟେଷ୍ଟ୍‌‌ରେ ଶିକାର କରିଥିଲେ।
କୋହଲିଙ୍କୁ ସର୍ବାଧିକ ଥର ଆଉଟ୍‌ କରିବାର ଗୌରବ ବହନ କରିଥିବା ଆଣ୍ଡରସନ୍‌ ମଧ୍ୟ ଚଳିତ ତୃତୀୟ ଟେଷ୍ଟ୍‌ ଖେଳି ଭାରତର ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ଏକ ରେକର୍ଡର ସମକକ୍ଷ ହୋଇଛନ୍ତି। ଗୋଟିଏ ଦେଶରେ ସବୁଠୁ ଅଧିକ ଟେଷ୍ଟ୍‌ ମ୍ୟାଚ୍‌ ଖେଳିବାରେ ସଚିନ୍‌ (୯୪)ଙ୍କ ସହ ସମାନ ହୋଇଯାଇଛନ୍ତି ଆଣ୍ଡରସନ୍‌।

ଶତକ ମରୁଡ଼ିରେ କୋହଲିଙ୍କ ଅର୍ଦ୍ଧଶତକ
ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବିରାଟ କୋହଲିଙ୍କ ଶତକ ମରୁଡ଼ି ଜାରି ରହିଛି। ସପ୍ତମ ଥର ପାଇଁ ସେ ଜେମ୍ସ ଆଣ୍ଡରସନଙ୍କ ଶିକାର ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ କୋହଲି ଖେଳିଥିବା ଗତ ୫୦ ପାଳିରେ ଶତକ ହାସଲ କରି ନପାରିବାର ବିରଳ ବିଫଳତା ପାଇଛନ୍ତି। ଚଳିତ ଗସ୍ତରେ ଆଣ୍ଡରସନ୍ ଓ କୋହଲିଙ୍କ ମଧ୍ୟରେ ଚାଲିଥିବା ମନସ୍ତା‌ତ୍ବିକ ଲଢ଼େଇରେ ଆଣ୍ଡରସନ୍ ବିଜୟୀ ହୋଇ ଚାଲିଛନ୍ତି। କୋହଲିଙ୍କ ଭଳି ଚେତେଶ୍ବର ପୂଜାରାଙ୍କ ଚମକ ଯେମିତି ପୂରା ଉଭେଇ ଯାଇଛି। ଲଗାତାର ବିଫଳ ହେବା ପରେ ତାଙ୍କୁ ଦଳରୁ ବାଦ ଦେବା ଦାବି କ୍ରମଶଃ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର