ମୁମ୍ବାଇ : ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍)ର ପ୍ରଥମ ସଂସ୍କରଣରେ ଲଗାତର ଚତୁର୍ଥ ମ୍ୟାଚ୍ରେ ପରାଜୟ ହୋଇଛି ସର୍ବାଧିକ ୩.୪ କୋଟିର ଦାମୀ ଖେଳାଳି ସ୍ମୃତି ମନ୍ଧାନାଙ୍କ ନେତୃତ୍ବାଧୀନ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)। ଅନ୍ୟପକ୍ଷରେ ଶୁକ୍ରବାର ସନ୍ଧ୍ୟାରେ ୟୁପି ୱାରିୟର୍ସ ୧୦ ୱିକେଟ୍ରେ ଏକତରଫା ଭାବେ ଆର୍ସିବିକୁ ହରାଇ ଦ୍ବିତୀୟ ବିଜୟ ପାଇଛି। ବିସ୍ଫୋରକ ପାଳି ପାଇଁ ଆଲିସା ହିଲି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଆର୍ସିବି ୩ ବଲ୍ ପୂର୍ବରୁ ୧୩୮ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ପ୍ରତିଯୋଗିତାର ସବୁଠୁ ଦାମୀ ଖେଳାଳି ସ୍ମୃତି ମନ୍ଧାନା ପୁଣି ଥରେ ନିରାଶ କରି ମାତ୍ର ୪ ରନ୍ରେ ଆଉଟ୍ ହୋଇଥିଲେ। ତଥାପି ସୋଫି ଦେବିନେ ଓ ଏଲିସେ ପେରି ଦ୍ରୁତ ରନ୍ ସଂଗ୍ରହ କରିଥିଲେ। ଦୁହେଁ ଦ୍ବିତୀୟ ୱିକେଟ୍ରେ ୪୪ ରନ୍ ଯୋଡ଼ିଥିଲେ। କିନ୍ତୁ ନବମ ଓଭରରେ ଏହି ଯୋଡ଼ି ଭାଙ୍ଗିବା ପରେ ରନ୍ ଗତି ହ୍ରାସ ପାଇଥିଲା। ଏହାପରଠୁ ଆଉ ବଡ଼ ରନ୍ ବାହାରିନଥିଲା। ୟୁପି ୱାରିୟର୍ସ ବୋଲର ଗୋଟିଏ ବି ଅତିରିକ୍ତ ଦେଇନଥିଲା ବେଳେ ସୋଫି ଏସ୍ଲେଷ୍ଟୋନ୍ ଓ ଦୀପ୍ତି ଶର୍ମା ଆର୍ସିବି ବ୍ୟାଟିଂ କ୍ରମ ଭାଙ୍ଗିବାରେ ବଡ଼ ଭୂମିକା ନେଇଥିଲେ। ୧୩୯ ରନ୍ର ଲକ୍ଷ୍ୟକୁ ୟୁପି ୱାରିଅର୍ସ ବିନା କୌଣସି କ୍ଷତିରେ ହାସଲ କରିଥିଲା। ଦେବିକା ବୈଦ୍ୟ ଓ ଆଲିସା ହିଲି ଉଭୟ ପଟୁ ଘନଘନ ଆକ୍ରମଣ କରି ଦଳକୁ ୧୩ ଓଭରରେ ଜିତାଇଥିଲେ। ଆଲିସା ପ୍ରଥମ ଖେଳାଳି ଭାବେ ଶତକ ନିକଟତର ହୋଇଥିଲେ, କିନ୍ତୁ ଦଳ ବିଜୟ ହାସଲ କରିବା ବେଳକୁ ମାତ୍ର ୪ ରନ୍ ଦୂରରେ ରହିଯାଇଥିଲେ। ସେ ତାଙ୍କ ବିସ୍ଫୋରକ ପାଳିରେ ୪୭ ବଲ୍ର ସମ୍ମୁଖୀନ ହୋଇଥିଲା ବେଳେ ୧୮ ଚୌକା ଓ ୧ ଛକା ମାରିଥିଲା ବେଳେ ଦେବିକା ୩୧ ବଲ୍ରୁ ୫ ଚୌକା ସହାୟତାରେ ୩୬ ରନ୍ କରିଥିଲେ।
ସଂକ୍ଷିପ୍ତ ସ୍କୋର: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୧୩୮/୧୦ (ଏଲିସି ପେରି ୫୨, ସୋଫି ଦେବିନେ ୩୬, ସୋଫି ଏସ୍ଲେଷ୍ଟୋନ୍ ୪/୧୩, ଦୀପ୍ତି ଶର୍ମା ୩/୨୬, ରାଜେଶ୍ବରୀ ଗାଏକ୍ବାଡ଼ ୧/୨୬)। ୟୁପି ୱାରିୟର୍ସ ୧୩୯/୦ (ଦେବିକା ବୈଦ୍ୟ ୩୬*, ଆଲିସା ହିଲି ୯୬*)।