ହୃଦୟ ବିଦାରକ ପରାଜୟ

ଷ୍ଟୋକ୍‌ସ ନାୟକ, କରନ୍‌ ଶ୍ରେଷ୍ଠ ଖେଳାଳି

ବର୍ମିଂହାମ୍‌: ଏଜ୍‌ବାଷ୍ଟନ୍‌ ଟେଷ୍ଟ୍‍ରେ ଭାରତ ହାର ମାନିଛି। ବେନ୍‌ ଷ୍ଟୋକ୍‌ସଙ୍କ ଶାଣୀତ ବୋଲିଂ ଆଗରେ ଗୋଟିଏ ପରେ ଗୋଟିଏ ଓ୍ଵିକେଟ୍‌ ହରାଇ ୩୧ ରନ୍‌ରେ ପରାଜୟ ବରଣ କରି ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ କୋହଲିଙ୍କ ଦଳ ୦-୧ରେ ପଛୁଆ ହୋଇଯାଇଛି। ବିରାଟ କୋହଲିଙ୍କ ସାହସିକ ପ୍ରଦର୍ଶନ (୧୪୯ ଏବଂ ୫୧) ସତ୍ତ୍ୱେ ଅନ୍ୟ କାହାରିଠାରୁ ସମର୍ଥନ ନପାଇ ଭାରତ ବିଜୟର ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରିଛି। ଯେଉଁ ବ୍ୟାଟିଂ ପାଇଁ ଭାରତର ଖ୍ୟାତି ରଖିଛି ଏବେ ତାହାରି ବିଫଳତା ପାଇଁ ପରାସ୍ତ ହୋଇଛି। ଅନ୍ୟପକ୍ଷରେ ଏଜ୍‌ବାଷ୍ଟନ୍‌ରେ ନିଜ ସାମ୍ପ୍ରତିକ ବିଜୟ ଧାରାକୁ ଆଗକୁ ନେଇ ଇଂଲଣ୍ଡ ବଡ଼ ଆଶ୍ୱସ୍ତ ଲାଭ କରିଛି। ନିଜର ୧୦୦୦ତମ ଟେଷ୍ଟ୍‍ରେ ବିଜୟ ପାଇ ମଧ୍ୟ ଇଂଲଣ୍ଡ ଏହାକୁ ଅଧିକ ସ୍ମରଣୀୟ କରିଛି। ଏଜ୍‌ବାଷ୍ଟନ୍‌ରେ ଆଦୌ କୌଣସି ଏସୀୟ ଦଳଠୁ ନ ହାରିବା ଧାରାକୁ ଇଂଲଣ୍ଡ ଆଗକୁ ନେଇଛି। ୨୦ ବର୍ଷୀୟ ସାମ୍‌ କରନ୍‌ ସର୍ବକନିଷ୍ଠ ଇଂଲିସ୍‌ ଖେଳାଳି ଭାବେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

ଶନିବାର ଭାରତ ୧୧୦/୫ରୁ ଖେଳ ଆରମ୍ଭ କରିଥିବା ବେଳେ ସକାଳର ପ୍ରଥମ ଓଭରରେ ଦୀନେଶ କାର୍ତିକ (୨୦)ଙ୍କୁ ହରାଇଥିଲା। ଜେମ୍ସ ଆଣ୍ଡରସନ୍‌ ତାଙ୍କୁ ବୋଲ୍‌ଡ କରି ଦେଇଥିଲେ। ଏହା ପରେ ହାର୍ଦିକ ପାଣ୍ଡ୍ୟାଙ୍କୁ ସାଥି କରି କୋହଲି ୨୯ ରନ୍‌ ଯୋଡ଼ି ନେଇଥିଲେ। କିନ୍ତୁ ୪୭ତମ ଓଭରରେ କୋହଲି (୫୧, ୯୩ ବଲ, ୪ ଚୌକା)ଙ୍କୁ ବେନ୍‌ ଷ୍ଟୋକ୍‌ସ ଏଲ୍‌ବିଡବ୍‌ଲ୍ୟୁ କରିଦେବା ପରେ ଭାରତର ସବୁ ଆଶା ମଉଳି ଯାଇଥିଲା। ଭାରତ ସେତେବେଳେ ବିଜୟଠାରୁ ଆଉ ୫୩ ରନ୍‌ ଦୂରରେ ଥିଲା। ଈଶାନ୍ତ ଶର୍ମାଙ୍କ ଓ୍ଵିକେଟ୍‌ ଆଦିଲ୍‌ ରସିଦ୍‌ଙ୍କ ଖାତାକୁ ଯାଇଥିଲା। କିନ୍ତୁ ସାମି ଏବଂ ହାର୍ଦିକ ପାଣ୍ଡ୍ୟା (୩୧, ୬୧ ବଲ୍‌, ୪ ଚୌକା)ଙ୍କ ଓ୍ଵିକେଟ୍‌ ନେଇ ବେନ୍‌ ଷ୍ଟୋକ୍‌ସ (୪/୪୦) ଭାରତ ଦ୍ୱିତୀୟ ପାଳିକୁ ୧୬୨ ରନ୍‌ରେ ଶେଷ କରି ଦେଇଥିଲେ। କୋହଲି ଏବଂ ସାମିଙ୍କ ଓ୍ଵିକେଟ୍‌କୁ ଷ୍ଟୋକ୍‌ସ ଗୋଟିଏ ଓଭରରେ ଦଖଲ କରିଥିଲେ। କୋହଲି ପ୍ରଥମ ପାଳିରେ ନିଜ ୨୨ତମ ଟେଷ୍ଟ ଶତକ ଜମାଇଥିବା ବେଳେ ଶନିବାର ୧୭ତମ ଅର୍ଧଶତକ ପୂର୍ଣ୍ଣ କରିଥିଲେ। ଏହି ଟେଷ୍ଟ୍‍ ଇଂଲଣ୍ଡ ବନାମ କୋହଲି ଲଢ଼େଇ ଭିତରେ ହିଁ ଶେଷ ହୋଇଯାଇଥିଲା। ଉଭୟ ପାଳିରେ କୋହଲି ଏକା ୨୦୦ ରନ୍‌ କରିଥିବା ବେଳେ ଭାରତର ଅନ୍ୟ ୧୦ ଜଣ ମିଳିତ ଭାବେ ୨୩୬ ରନ୍‌ କରିଥିଲେ। ଆର୍‌ ଅଶ୍ୱିନ୍‌ (୭ ଓ୍ଵିକେଟ୍‌) ଏବଂ ଈଶାନ୍ତ ଶର୍ମା (୬ ଓ୍ଵିକେଟ୍‌) ଭାରତ ପାଇଁ ଉଲ୍ଲେଖନୀୟ ସଫଳତା ପାଇଥିଲେ ମଧ୍ୟ ଏହା ବେକାର ଯାଇଥିଲା। ଅଗଷ୍ଟ ୯ ତାରିଖରୁ ଲର୍ଡସରେ ଦ୍ୱିତୀୟ ଟେଷ୍ଟ୍‍ ଖେଳାଯିବ। ଅଦାଲତ ମାମଲା କାରଣରୁ ଷ୍ଟୋକ୍‌ସ ଦ୍ୱିତୀୟ ଟେଷ୍ଟ୍‍ ଖେଳିବା ନେଇ ଆଶଙ୍କା ରହିଛି।

ଏଜ୍‌ବାଷ୍ଟନ୍‌ ଏସୀୟଙ୍କ ଦୁଃସ୍ୱପ୍ନ: ଭାରତର ଏହି ପରାଜୟ ସହିତ ଏଜ୍‌ବାଷ୍ଟନ୍‌ ପଡ଼ିଆ ଲଗାତାର ୧୭ ଟେଷ୍ଟ୍‍ରେ ଏସୀୟ ଦଳଙ୍କ ପାଇଁ ବିଜୟଶୂନ୍ୟ ରହିଲା। ୧୯୬୨ ମସିହା ପରଠାରୁ କୌଣସି ଏସୀୟ ଦଳ ଏଠାରେ ଜିତିନାହାନ୍ତି। ଏହି ଧାରାରେ ଲର୍ଡସ (୧୬), କେନସିଙ୍ଗ୍‌ଟନ୍‌ ଓଭାଲ୍‌ (୧୬), ମେଲ୍‌ବର୍ନ (୧୪), ସାବିନା ପାର୍କ (୧୩), ଗାବା (୧୩)ରେ ମଧ୍ୟ ଏସୀୟ ବିଜୟ ଅସମ୍ଭବ ସାବ୍ୟସ୍ତ ହୋଇଛି।

ଚତୁର୍ଥ ସ୍ୱଳ୍ପ ବ୍ୟବଧାନ: ଭାରତର ୩୧ ରନ୍‌ ପରାଜୟ ରନ୍‌ ବ୍ୟବଧାନରେ ଏହି ଦେଶ ପାଇଁ ଚତୁର୍ଥ। ୧୯୯୯ରେ ଚେନ୍ନାଇରେ ପାକିସ୍ତାନଠାରୁ ୧୨ ରନ୍‌ରେ, ୧୯୮୭ରେ ବାଙ୍ଗାଲୋର୍‌ରେ ପାକିସ୍ତାନଠୁ ୧୬ ରନ୍‌ରେ, ୧୯୭୭ରେ ବ୍ରିସ୍‌ବେନ୍‌ରେ ଅଷ୍ଟ୍ରେଲିଆଠୁ ୧୬ ରନ୍‌ରେ ହାରିଥିଲା ଭାରତ।

ଉଭୟ ପାଳିରେ ୫୦+: ଉଭୟ ପାଳିରେ ଜଣେ ୫୦ରୁ ଊର୍ଧ୍ୱ ରନ୍‌ କରିଥିବା ବେଳେ ଅନ୍ୟ କେହି ୫୦ ନଟପିବାରେ ଭାରତ ପାଇଁ ଷଷ୍ଠ ଉଦାହରଣ। ଦିଲୀପ ଭେଙ୍ଗସରକାର (୬୧ ଓ ୧୦୨* ବନାମ ଇଂଲଣ୍ଡ, ଲିଡ୍‌ସ, ୧୯୮୬), ସଚିନ ତେନ୍ଦୁଲକର (୧୧୬, ୫୨ ବନାମ ଅଷ୍ଟ୍ରେଲିଆ, ମେଲବର୍ନ, ୧୯୯୯), ସଚିନ ତେନ୍ଦୁଲକର (୭୬, ୬୫ ବନାମ ଅଷ୍ଟ୍ରେଲିଆ, ମୁମ୍ବାଇ, ୨୦୦୧), ରାହୁଲ ଦ୍ରାବିଡ଼ (୮୧, ୬୮ ବନାମ େଓ୍ଵଷ୍ଟଇଣ୍ଡିଜ୍‌, କିଙ୍ଗ୍‌ଷ୍ଟନ୍‌, ୨୦୦୬), ମହେନ୍ଦ୍ର ସିଂହ ଧୋନି (୭୭, ୭୪ ବନାମ ଇଂଲଣ୍ଡ, ଏଜ୍‌ବାଷ୍ଟନ୍‌, ୨୦୧୧) ଏବଂ ବିରାଟ କୋହଲି (୧୪୯, ୫୧ ବନାମ ଇଂଲଣ୍ଡ, ଏଜବାଷ୍ଟନ୍‌, ୨୦୧୮)।

ସ୍ୱଳ୍ପରେ ବିଫଳ: ସ୍ୱଳ୍ପ ରନ୍‌କୁ ପଶ୍ଚାତଧାବନ କରି ବିଫଳ ହେବା ଭାରତ ପାଇଁ ଶନିବାର ଆଉ ଏକ ଉଦାହରଣ ଥିଲା। ୧୯୯୭ରେ ବ୍ରିଜ୍‌ଟାଉନ୍‌ରେ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ୧୨୦ ରନ୍‌, ୨୦୧୫ରେ ଗଲ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୧୭୬ ରନ୍‌ ପିଛାରେ ବିଫଳ ଭାରତ ଏଜ୍‌ବାଷ୍ଟନ୍‌ରେ ଇଂଲଣ୍ଡ ବିପକ୍ଷ ୧୯୪ ରନ୍‌ ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା। ଚଳିତ ବର୍ଷ ପ୍ରାରମ୍ଭରେ କେପ୍‌ଟାଉନ୍‌ରେ ବି ଦକ୍ଷିଣ ଆଫ୍ରିକାରେ ୨୦୮ ରନ୍‌ ଲକ୍ଷ୍ୟରେ ବିଫଳ ହୋଇଥିଲା କୋହଲି ଦଳ।

ଅଧିକ ଥର ଉଭୟ ପାଳିରେ ସର୍ବାଧିକ: ସବୁଠୁ ଅଧିକ ଥର ଉଭୟ ପାଳିରେ ଦଳର ସର୍ବାଧିକ ରନ୍‌ କରିବାରେ କୋହଲି ଏବେ ଦେଶର ବିଗତ କିମ୍ବଦନ୍ତୀମାନଙ୍କ ନିକଟତର ହୋଇଛନ୍ତି। ସୁନୀଲ ଗାଭାସ୍କର ଏବଂ ରାହୁଲ ଦ୍ରାବିଡ଼ ୮ ଥର ଲେଖାଏଁ ଏଭଳି କରିଥିବା ବେଳେ ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲି ୬ ଥର ଲେଖାଏଁ କରିଛନ୍ତି।

ନିମ୍ନକ୍ରମଠୁ ଶିଖିବାକୁ କହିଲେ କୋହଲି
ବର୍ମିଂହାମ୍‌: ଭାରତ ବ୍ୟାଟିଂ ବିଫଳତା ପାଇଁ ହାରିଗଲା। କିନ୍ତୁ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ବ୍ୟକ୍ତିଗତ ଭାବେ କାହାରି ବିଫଳତାକୁ ଦାୟୀ ନ କରି ଶୀର୍ଷକ୍ରମ ବ୍ୟାଟସମ୍ୟାନ୍‌ମାନେ ନିମ୍ନକ୍ରମ ଖେଳାଳିଙ୍କଠାରୁ ଶିଖିବା ଉଚିତ୍‌ ବୋଲି ମତ ଦେଇଛନ୍ତି। ଦଳର ୯, ୧୦, ୧୧ ନମ୍ବର ବ୍ୟାଟସମ୍ୟାନ୍‌ଙ୍କ ସହୟତାରେ କୋହଲି ଏହି ଟେଷ୍ଟ୍‍ରେ ୨୦୦ ରନ୍‌ କରିଥିବା ବେଳେ ୪ ଜଣ ବ୍ୟାଟିଂ ବିଶେଷଜ୍ଞ ମିଳିତ ଭାବେ ମାତ୍ର ୯୯ ରନ୍‌ ଦେଇଛନ୍ତି। କୋହଲି କହିଛନ୍ତି, ନିଜକୁ ପ୍ରୟୋଗ କରି ଖେଳିବା ବଡ଼ କଥା। ନିମ୍ନକ୍ରମ ବ୍ୟାଟ୍‌ସମ୍ୟାନଙ୍କଠାରୁ ଅନେକ କିଛି ଶିକ୍ଷା କରିବାର ଅଛି। ବ୍ୟାଟିଂ ପାଇଁ ଆସିବା ବେଳେ ମନରୁ ନକରାତ୍ମକ ଚିନ୍ତାଧାରା ବାହାର କରି ନିଜ କ୍ରିକେଟ୍‌କୁ ଉପଭୋଗ କରିବା ସହିତ ସକାରାତ୍ମକ ଭାବନାରେ ଖେଳିବା ଆବଶ୍ୟକ। ନିଜକୁ ଦର୍ପଣ ସାମ୍ନାରେ ଦେଖିବାର ଅଛି। କିଛି ଲୁଚିବାର ନାହିଁ ବୋଲି ପରାଜୟ ପରେ କୋହଲି ଦାର୍ଶନିକ ଭଳି ମତ ରଖିଥିଲେ।

ସମ୍ବନ୍ଧିତ ଖବର