ବୁଲୋୱାୟୋ: ବିଶ୍ବବ୍ୟାପୀ ମୃତ୍ୟୁ ସମ୍ବାଦ ପ୍ରସାରିତ ହେବା ପରେ ଜିମ୍ବାୱେ କ୍ରିକେଟ୍‌ର ପୂର୍ବତନ ଅଲ୍‌ରାଉଣ୍ଡର୍‌ ହିଥ୍‌ ଷ୍ଟ୍ରିକ୍‌ ଜୀବୀତ ବୋଲି ‘ସୁନିଶ୍ଚିତ’ କରି ତାଙ୍କର ବୋଲିଙ୍ଗ୍‌ ପାର୍ଟନର୍‌ ହେନ୍‌ରି ଓଲଙ୍ଗ୍‌  ପୁଣି ‘ଏକ୍ସ୍‌’ କରି ସୂଚନା ଦେଇଛନ୍ତି।

Advertisment

ତାଙ୍କ ମୃତ୍ୟୁ ସମ୍ବାଦ ଗୁଜବ ବୋଲି ସେ ଜଣାଇଛନ୍ତି। ସଦ୍ୟତମ ‘ଏକ୍ସ୍‌’ରେ ସେ ସୂଚନା ଦେଇଛନ୍ତି: ହିଥ୍‌ ଷ୍ଟ୍ରିକ୍‌ଙ୍କ ମୃତ୍ୟୁ ସମ୍ବାଦ ଗୁଜବକୁ ଖୁବ୍‌ ଅତିରଞ୍ଜିତ କରାଯାଇଛି। ଏବେ ମୁଁ ତାଙ୍କଠାରୁ ଶୁଣିଲି। ‘ଥାର୍ଡ ଅମ୍ପାୟାର୍‌’ ତାଙ୍କୁ ଫେରାଇ ଆଣିଛନ୍ତି। ସେ ବଞ୍ଚିଛନ୍ତି।

ଏହାର ପ୍ରମାଣ ଭାବେ ହେନ୍‌ରି ଓଲଙ୍ଗ୍‌ ହିଥ୍‌ଙ୍କ ସହିତ କରିଥିବା ହ୍ବାଟ୍‌ସ୍‌ଆପ୍‌ ଚାଟିଙ୍ଗ୍‌ର ସ୍କ୍ରିନ୍‌ସଟ୍‌ ମଧ୍ୟ ସେୟାର୍‌ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଦିନ ଜିମ୍ବାୱେର ପୂର୍ବତନ ପ୍ରଖ୍ୟାତ କ୍ରିକେଟ୍‌ ଅଲ୍‌ରାଉଣ୍ଡର୍‌ ହିଥ୍‌ ‌ଷ୍ଟ୍ରିକ୍‌ଙ୍କର ଦେହାନ୍ତ ହୋଇଯାଇଥିବା କଥା ତାଙ୍କର ବୋଲିଙ୍ଗ୍‌ ପାର୍ଟନର୍‌ ହେନ୍‌ରି ଓଲଙ୍ଗ୍‌ ନିଜେ ‘ଏକ୍ସ୍‌’ କରି ସୂଚନା ଦେଇଥିଲେ।

ଜିମ୍ବାୱେର ପୂର୍ବତନ ଫାଷ୍ଟ୍‌ ବୋଲର୍‌ ହେନ୍‌ରି ଅଲଙ୍ଗ୍‌ ଶୋକବ୍ୟକ୍ତ ରି ‘ଏକ୍ସ’ (ଟୁଇଟ୍‌) କରିଥିଲେ: ହିଥ୍ ଆରପରିକୁ ଚାଲିଯାଇଛନ୍ତି ବୋଲି ଦୁଃଖଦ ଖବର ଆସିଛି। ସାଥୀ କ୍ରିକେଟ୍‌ ଖେଳାଳି ଷ୍ଟ୍ରିକ୍‌ଙ୍କୁ ପ୍ରଶଂସା କରି ସେ ଲେଖିଥିଲେ, ସେ ଥିଲେ ଜିମ୍ବାୱେର ଶ୍ରେଷ୍ଠ ‘ଅଲ୍‌ ରାଉଣ୍ଡର୍‌’।

କିନ୍ତୁ, ଷ୍ଟ୍ରିକ୍‌ଙ୍କ ମୃତ୍ୟୁ ସଂକ୍ରାନ୍ତରେ କୌଣସି ଔପଚାରିକ ଘୋଷଣା କରାଯାଇ ନ ଥିଲା।

ଦୀର୍ଘ ଦିନ ହେବ ସେ କର୍କଟ ରୋଗରେ ପୀଡ଼ିତ ଥିବା ୪୯ ବର୍ଷିୟ ଷ୍ଟ୍ରିକ୍‌ ଦକ୍ଷିଣ ଆଫ୍ରିକାରେ ଚିକିତ୍ସାଧୀନ ଅଛନ୍ତି।

ବୋଲିଙ୍ଗ୍‌ କ୍ଷେତ୍ରରେ ଷ୍ଟ୍ରିକ୍‌ଙ୍କର ଅସାଧାରଣ ଦକ୍ଷତା ଥିଲେ ବି ବ୍ୟାଟିଙ୍ଗ୍‌ରେ ବି ତାଙ୍କର କମ୍‌ ପାରଦର୍ଶିତା ନ ଥିଲା। ତାଙ୍କ କ୍ରିକେଟ୍‌ କ୍ୟାରିୟର୍‌ରେ ସେ ୧୯୯୦ ‘ଟେଷ୍ଟ୍‌ ରନ୍‌’ ଓ ୨୯୪୩ ‘ଓଡିଆଇ’ ରନ୍‌ ସଂଗ୍ରହ କରିଥିଲେ। ତାଙ୍କର ଏକମାତ୍ର ଟେଷ୍ଟ୍‌ ଶତକ ହେଉଛି ହେରାରେ ଠାରେ ସେ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷରେ ସଂଗ୍ରହ କରିଥିବା ୧୨୭ ରନ୍‌। ଏହି ମ୍ୟାଚ୍‌ରେ ସେ ‘ନଟ୍‌ ଆଉଟ୍‌’ ରହିଥିଲେ।

୧୯୯୩ରେ ସର୍ବ ପ୍ରଥମେ ପାକିସ୍ତାନ ବିପକ୍ଷରେ ଖେଳି ଷ୍ଟ୍ରିକ୍‌ କ୍ରିକେଟ୍‌ କ୍ୟାରିୟର୍‌ ଆରମ୍ଭ କରିଥିଲେ। ରାୱଲ୍‌ ପିଣ୍ଡିରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟ୍‌ରେ ୮ଟି ୱିକେଟ୍‌ନେଇ ସୁଖ୍ୟାତି ଅର୍ଜନ କରିଥିଲେ। ୨୦୦୫ରେ ସେ ଜିମ୍ବାୱେ କ୍ରିକେଟ୍‌ ଟିମ୍‌ରୁ ଅବ୍ୟାହତି ନେଇଥିଲେ।

ଅବସର ଗ୍ରହଣ ପରେ ସେ ଜିମ୍ବାୱେ, ସ୍କଟ୍‌ଲାଣ୍ଡ୍‌, ବାଂଲାଦେଶ, ଗୁଜରାଟ ଲାଇଅନ୍‌ସ୍‌ ଓ କୋଲ୍‌କାତା ନାଇଟ୍‌ ରାଇଡର୍‌ ପ୍ରଭୃତିଙ୍କର କୋଚ୍‌ ଭାବେ କାର୍ଯ୍ୟ କରି କ୍ରିକେଟ୍‌ ଖେଳ ସହିତ ଜଡ଼ିତ ଥିଲେ।