ଫାଇନାଲ୍‌ ଦିନ ମେଲ୍‌ବର୍ଣ୍ଣରେ ପ୍ରବଳ ବର୍ଷା ଆଶଙ୍କା

ମେଲବର୍ଣ୍ଣ : ‌ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ମେଲବର୍ଣ୍ଣରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। କିନ୍ତୁ ଏହି ମେଗା ଫାଇନାଲ୍‌ ପୂର୍ବରୁ ମ୍ୟାଚ୍‌ ଉପରେ ପ୍ରବଳ ବର୍ଷା ଆଶଙ୍କା ଦେଖାଦେଇଛି। ମ୍ୟାଚ୍‌ ଦିନ ସହିତ ସୋମବାର ସଂରକ୍ଷିତ ଦିନରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ସୁପର ୧୨ ପର୍ଯ୍ୟାୟରେ ବର୍ଷା ଯୋଗୁଁ ଏକାଧିକ ମ୍ୟାଚ୍‌ ଧୋଇ ହୋଇଯାଇଥିଲା। ବର୍ଷା ଆଶଙ୍କା‌ ସତ୍ତ୍ବେ ସେମିଫାଇନାଲ୍‌ ପର୍ଯ୍ୟାୟ ଠିକ୍‌ଠାକ୍‌ ଭାବେ ଶେଷ ହେଇଥିଲା। କିନ୍ତୁ ଫାଇନାଲ୍‌ରେ ବର୍ଷା ବଡ଼ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ପଡ଼ିଆ କର୍ମଚାରୀମାନେ ପ୍ରସ୍ତୁତ ହୋଇ ରହିବାକୁ କୁହାଯାଇଛି। ପାଖାପାଖି ୯୫ ପ୍ରତିଶତ ବର୍ଷା ସମ୍ଭାବନା ରହିଥିଲା ବେଳେ ୨୫ ଏମ୍‌ଏମ୍‌ ପର୍ଯ୍ୟନ୍ତ ବର୍ଷିପାରେ। ଯଦି ବର୍ଷା ଛାଡ଼ିବା ପରେ ମ୍ୟାଚ୍‌ ଆରମ୍ଭ ହୁଏ, ତାହେଲେ ନିୟମ ଅନୁସାରେ ଅତିକମ୍‌ରେ ୧୦ ଓଭର ବିଶିଷ୍ଟ ମ୍ୟାଚ୍‌‌ ଖେଳାଯାଇପାରିବ। ନଚେତ୍‌ ସଂରକ୍ଷିତ ଦିନରେ ଅପରାହ୍ନ ୩ଟା (ଭାରତୀୟ ସମୟ ଦିନ ସାଢ଼େ ୯ଟା)ରେ ମ୍ୟାଚ୍‌ ଆରମ୍ଭ ହୋଇପାରିବ। ସଂରକ୍ଷିତ ଦିନରେ ୫ରୁ ୧୦ ଏମ୍‌ଏମ୍‌ ପର୍ଯ୍ୟନ୍ତ ବର୍ଷା ହେବା ଅନୁମାନ କରାଯାଇଛି।

ପୂର୍ବରୁ ଏଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ସୁପର ୧୨ ମ୍ୟାଚ୍‌ରେ ବର୍ଷା ଆଶଙ୍କା ରହିଥିଲା। କିନ୍ତୁ ମ୍ୟାଚ୍‌ ଆରମ୍ଭ ହେବା ବେଳକୁ ଆକାଶ ସଫା ହୋଇଯାଇଥିଲା। ଗ୍ରୁପ୍‌ ପର୍ଯ୍ୟାୟରେ ମୋଟ୍‌ ୩ ମ୍ୟାଚ୍‌ରେ ବଲ୍‌ ପଡ଼ିପାରିନଥିଲା ବେଳେ ଗୋଟିଏ ମ୍ୟାଚ୍‌ ଅଧାରୁ ବନ୍ଦ ରହିଥିଲା। ଏବେ ପୁଣି ଥରେ ବର୍ଷା ପାଇଁ ଶୁକ୍ରବାର ପୂର୍ବାନୁମାନ କରାଯାଇଛି। ପାକିସ୍ତାନ ମଧ୍ୟ ବାଦଲ ଢଙ୍କା ଆକାଶ ତଳେ ଅଭ୍ୟାସ ଆରମ୍ଭ କରିଛି। ବାବର ଆଜମ ନ୍ୟୁଜିଲାଣ୍ଡ ବିପକ୍ଷରେ ଲୟକୁ ଫେରିଥିବାରୁ ଫାଇନାଲ୍‌ରେ ମଧ୍ୟ ତାଙ୍କ ବ୍ୟାଟ୍‌ରୁ ବଡ଼ ରନ୍‌ ବାହାରିବା ନେଇ ପ୍ରଶିକ୍ଷକ ମାଥ୍ୟୁ ହେଡେନ୍‌ ଆଶା ରଖିଛନ୍ତି। ତଥାପି ମେଲବର୍ଣ୍ଣ ପାଗକୁ ଦେଖିଲେ ୧୦ ଓଭରର ମ୍ୟାଚ୍‌ ହୋଇପାରେ ବୋଲି ହେଡେନ୍‌ ପ୍ରତିକ୍ରିୟା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ୨୦୧୯ ଦିନିକିଆ ବିଶ୍ବକପ୍‌ ସେମିଫାଇନାଲ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ୍‌ ବର୍ଷା ବାଧା ଯୋଗୁଁ ଦୁଇ ଦିନ ମ୍ୟାଚ୍‌ ଖେଳିଥିଲେ। ୨୦୦୨ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ୍‌ ମଧ୍ୟ ବର୍ଷାରେ ଧୋଇନେଇଥିଲା।

ସମ୍ବନ୍ଧିତ ଖବର