ରାଉରକେଲା: ହକି ଇଣ୍ଡିଆର ଦମ୍ଦାର ପ୍ରତ୍ୟାବର୍ତ୍ତନକୁ ଭୂୟସୀ ପ୍ରଶଂସା କରିଛି ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ସଭାପତି ଡାତୋ ତୟାବ ଇକ୍ରାମ। ବିର୍ସା ମୁଣ୍ଡା ହକି ଷ୍ଟାଡିୟମ, ଏଠାକାର ଦର୍ଶକ ଓ ହକି ପ୍ରତି ସେମାନଙ୍କର ଭଲପାଇବାକୁ ମନଭରି ପ୍ରଶଂସା କରିଛନ୍ତି। ଏହା ସହ ‘ହକି ଇଣ୍ଡିଆ ଲିଗ୍ ମୋ’ ହୃଦୟର ଅତିନିକଟତର ବୋଲି ଅଭିହିତ କରିଛନ୍ତି ଇକ୍ରାମ। ରାଉରକେଲାରେ ଚାଲିଥିବା ଏହି ପ୍ରତିଯୋଗିତା ଅବିସରରେ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ମତ ଦେଇଛନ୍ତି ଇକ୍ରାମ୍।
ହକି ଇଣ୍ଡିଆ ଲିଗ୍ ହେଉଛି ଏକ ଆଥଲେଟ୍ କୈନ୍ଦ୍ରିକ ପଦକ୍ଷେପ। ବିଶ୍ବସ୍ତରରେ ଆମକୁ ଏଭଳି ଅଧିକ ପ୍ଲାଟଫର୍ମ ଆବଶ୍ୟକ, ଯାହାକି କ୍ରୀଡ଼ାବିତ୍ଙ୍କୁ ପ୍ରଦର୍ଶନ ପାଇଁ ଭରପୂର ସୁଯୋଗ ଯୋଗାଇବ। ହକି ଇଣ୍ଡିଆ ଲିଗ୍ ପାଇଁ ଏଫ୍ଆଇଏଚ୍ ପକ୍ଷରୁ ସ୍ବତନ୍ତ୍ର ସମୟ ଅନୁମୋଦିତ କରାଯାଇଛି, ଯେଉଁ ସମୟରେ ସମସ୍ତ ଶୀର୍ଷ ତାରକା ଭାଗନେଇପାରିବେ। ‘ହିଲ୍’ ଭଳି ପଦକ୍ଷେପ କେବଳ ଭାରତୀୟ ହକି ପାଇଁ ନୁହେଁ, ବରଂ ବିଶ୍ୱ ହକି ପାଇଁ ମଧ୍ୟ ଏକ ମହତ୍ ପଦକ୍ଷେପ। ଘରୋଇ ପ୍ରତିଭାର ଯୋଗଦାନ ସହିତ ଖେଳାଳିଙ୍କ ଉଲ୍ଲେଖନୀୟ ଅଂଶଗ୍ରହଣ, କ୍ରୀଡ଼ାର ଅଭିବୃଦ୍ଧି ତଥା ବିକାଶ ଉପରେ ଗଭୀର ପ୍ରଭାବ ପକାଇବ। ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ୍ରେ ଖେଳାଯାଉଥିବା ଲିଗ୍ ବିଶ୍ୱସ୍ତରୀୟ ପ୍ରସାରଣ ଯୋଗୁଁ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏନେଇ ରାଉରକେଲାବାସୀଙ୍କ ପ୍ରତିକ୍ରିୟା ଆଶ୍ଚର୍ଯ୍ୟଜନକ ନୁହେଁ, କାରଣ ‘ହିଲ୍’ ପ୍ରକୃତରେ କ’ଣ, ତାହା ସେମାନେ ଠିକ୍ ଭାବେ ବୁଝିବା ସହ ପ୍ରକ୍ରିୟାର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛନ୍ତି। ଓମାନ୍ରେ ହକି ୫ ଏସ୍ ବିଶ୍ୱକପ୍ ଆୟୋଜନ, ଏକ ସ୍ୱପ୍ନ ସାକାର ସଦୃଶ ଥିଲା। ଏହା କେବଳ କାର୍ଯ୍ୟକ୍ରମ ପ୍ରତିଯୋଗିତା ଆୟେ ାଜନରେ ସୀମିତ ନଥିଲା, ବରଂ ଅଷ୍ଟ୍ରେଲିଆ, ନେଦରଲାଣ୍ଡ୍ସ, ଭାରତ ଭଳି ହକି ପାୱାରହାଉସ୍ ସହିତ ନାମ୍ବିଆ, କେନିଆ, ଓମାନ, ପାରାଗୁଏ ଭଳି ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ପ୍ରୟାସ ଥିଲା। ଏତଦ୍ବ୍ୟତୀତ ଏକ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ ହକି କ୍ୟାଲେଣ୍ଡରରେ ଇଭେଣ୍ଟ୍ ନିର୍ଦ୍ଧାରଣ କରିବାରେ ଅସୁବିଧାକୁ ଆଲୋକିତ କରିବା ପୂର୍ବରୁ ସମ୍ମାନଜନକ ଚାମ୍ପିଅନ୍ସ ଟ୍ରଫିକୁ ପୁନର୍ଜୀବିତ କରିବାକୁ ସଭାପତି ଇକ୍ରାମ ଇଚ୍ଛା ପ୍ରକାଶ କରିଥିଲେ।
ଟିମ୍ ଗୋନାସିକାର ଦ୍ବିତୀୟ ପରାଜୟ
ହକି ଇଣ୍ଡିଆ ଲିଗ୍ରେ ଟିମ୍ ଗୋନାସିକା ଲଗାତାର ଦ୍ବିତୀୟ ପରାଜୟ ବରଣ କରିଛି। ଉଦ୍ଘାଟନୀ ମୁକାବିଲାରେ ଦିଲ୍ଲୀ ଏସ୍ଜି ପାଇପର୍ସଠୁ ହାରିଥିବା ଓଡ଼ିଶା ଶିଳ୍ପପତିଙ୍କ ମାଲିକାନାରେ ଥିବା ଏହି ଭାଇଜାଗ୍ ଦଳ ବୁଧବାର ୧-୨ ଗୋଲ୍ରେ ଶ୍ରାଚୀ ରାର୍’ ବେଙ୍ଗଲ ଟାଇଗର୍ସଠୁ ପରାସ୍ତ ହୋଇଛି। ନୂତନ ବର୍ଷର ପ୍ରଥମ ଦିନରେ ବୁଧବାର ଲିଗ୍ର ଷଷ୍ଠ ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମ ଦୁଇ କ୍ବାର୍ଟରରେ ଘନ ଘନ ଆକ୍ରମଣ ପ୍ରତିଆକ୍ରମଣ ଦେଖିବାକୁ ମିଳିଥିଲେ ସୁଦ୍ଧା ଗୋଲ୍ଶୂନ୍ୟ ରହିଥିଲା। ତେବେ ତୃତୀୟ କ୍ବାର୍ଟର୍ର ପ୍ରଥମ ମିନିଟ୍ରେ ବେଙ୍ଗଲ ଟାଇଗର୍ସ ଅଧିନାୟକ ରୂପିନ୍ଦର ପାଲ ସିଂହ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ଦଳକୁ ୧-୦ ଗୋଲ୍ରେ ଆଗୁଆ କରିଥିଲେ। ଏହି ଖୁସି ବେଶି ସମୟ ରହି ନଥିଲା। ଗୋଟିଏ ମିନିଟ୍ ବ୍ୟବଧାନ ପରେ ଗୋନାସିକା ଅଧିନାୟକ ମନପ୍ରୀତ ସିଂହ ଏକ ଚମତ୍କାର ଫିଲ୍ଡ ଗୋଲ୍ ଦେଇ ସ୍କୋର୍ ୧-୧ ସ୍ତରକୁ ଆଣିଥିଲେ। ୪୮ତମ ମିନିଟ୍ରେ ବେଙ୍ଗଲ ଟାଇଗର୍ସକୁ ପେନାଲ୍ଟି ଷ୍ଟ୍ରୋକ୍ ମିଳିଥିଲା। ଏହାକୁ ହାତଛଡ଼ା ନକରି ଅଧିନାୟକ ରୂପିନ୍ଦର ଆଉ ଏକ ଗୋଲ୍ଦେଇ ସ୍କୋର୍କୁ ୨-୧କୁ ନେଇଥିଲେ। ୨ ଗୋଲ୍ ବରଣ ପରେ ଗୋନାସିକା ପ୍ରତ୍ୟାବର୍ତ୍ତନ ପାଇଁ ପ୍ରୟାସ କରିଥିଲା ହେଲେ ତେବେ ସଫଳ ନ ହୋଇ ପରାଜୟ ବରଣ କରିଛି। ବୁଧବାର ମ୍ୟାଚ୍ରେ ବେଙ୍ଗଲ ଟାଇଗର୍ସ ୭ଟି ଓ ଟିମ୍ ଗୋନାସିକା ୩ଟି ପେନାଲ୍ଟି କର୍ଣ୍ଣର୍ ସୁଯୋଗ ପାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/02/BI401NTuySE7sIOerPic.jpg)