ଗୋଲ୍ଡକୋଷ୍ଟ: ଏକବିଂଶ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଷଷ୍ଠ ଦିନରେ ଭାରତ ଗୋଟିଏ ସ୍ୱର୍ଣ୍ଣ ସହ ଦୁଇଟି ପଦକ ଜିତିଛି। ମଙ୍ଗଳବାରର ଏକମାତ୍ର ସ୍ୱର୍ଣ୍ଣ ବନ୍ଧୁକ ଚାଳନାରୁ ଆସିଛି। ମୁମ୍ବାଇରେ ରହୁଥିବା ପଞ୍ଜାବୀ ଝିଅ ହୀନା ସିଦ୍ଧୁ ୨୫ ମିଟର ପିସ୍ତଲରେ ପ୍ରଥମ ସ୍ଥାନରେ ରହିବା ପରେ ଭାରତର ମୋଟ ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୧କୁ ବଢ଼ିଛି। ଅନ୍ୟପକ୍ଷରେ ଆଜିର ଦ୍ୱିତୀୟ ପଦକଟି ଦିବ୍ୟାଙ୍ଗ ଶକ୍ତିଉତ୍ତୋଳକ ସଚିନ ଚୌଧୁରୀ ହାସଲ କରିଛନ୍ତି। ନିଜ ବର୍ଗରେ ସେ କାଂସ୍ୟ ପଦକ ପାଇଛନ୍ତି। ମଙ୍ଗଳବାରର ଦୁଇଟି ପଦକକୁ ମିଶାଇଲେ ଭାରତର ମୋଟ ପଦକ ସଂଖ୍ୟା ୨୧ରେ ପହଞ୍ଚିଛି। ଫଳରେ ଷଷ୍ଠ ଦିନର ଖେଳ ଶେଷ ସୁଦ୍ଧା ଭାରତ ପୂର୍ବବତ୍ ତୃତୀୟ ସ୍ଥାନରେ ଅପରିବର୍ତିତ ରହିଛି।
ପଞ୍ଜାବର ଲୁଧିଆନାରେ ଜନ୍ମ ଗ୍ରହଣ କରିଥିବା ହୀନା ରବିବାର ୧୦ ମିଟର ଏୟାର ପିସ୍ତଲରେ ରୌପ୍ୟ ପଦକ ଜିିତିଥିଲେ। ଦିନକ ପରେ ଅର୍ଥାତ୍ ମଙ୍ଗଳବାର ସେ ୨୫ ମିଟର ପିସ୍ତଲ (ପ୍ରିସିସନ୍/ର୍ୟାପିଡ୍) ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇ ପ୍ରଥମ ସ୍ଥାନ ଅଧିକାର କରି ନେଇଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତାଙ୍କର ଏହା ପ୍ରଥମ ବ୍ୟକ୍ତିଗତ ସ୍ୱର୍ଣ୍ଣ ଥିଲା। ସେପଟେ ଏହାଥିଲା ବନ୍ଧୁକ ଚାଳନାରୁ ଭାରତର ଅଷ୍ଟମ ପଦକ । ୨୮ ବର୍ଷୀୟା ହୀନା ୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦଳଗତ ସ୍ୱର୍ଣ୍ଣ ହାସଲ କରିଥିଲେ। ହୀନା ଆଜି ତାଙ୍କ ୬ ପ୍ରୟାସରେ ୫, ୫, ୪, ୪, ୩, ୪ ପଏଣ୍ଟ ଅର୍ଜନ କରି ସ୍ୱର୍ଣ୍ଣ ପଦକ କବ୍ଜା କରି ନେଇଥିଲେ। ଅଷ୍ଟ୍ରେଲିଆର ଏଲିନା ଗଲିଆବୋଭିଚ ଏହି ବର୍ଗରେ ରୌପ୍ୟ ଏବଂ ମାଲେସିଆର ଆଲିଆ ସଜାନ ଆଝାହରି କାଂସ୍ୟ ପଦକ ପାଇଥିଲେ। ଅନ୍ୟତମ ଭାରତୀୟ ଅନୁ ରାଜ ସିଂହ ଷଷ୍ଠ ସ୍ଥାନ ଅଧିକାର କରିଥିଲେ।
ସଫଳତା ପଛରେ ପତି
କଥାରେ ଅଛି ସବୁ ସଫଳ ପୁରୁଷଙ୍କ ପଛରେ ଜଣେ ନାରୀଙ୍କ ହାତ ଥାଏ। ହେଲେ ହୀନା ସଫଳତାର ଶିଖର ଛୁଇଁବା ପଛରେ ତାଙ୍କ ପତି ତଥା ପ୍ରଶିକ୍ଷକ ରୋନକ ପଣ୍ଡିତଙ୍କର ପ୍ରଚ୍ଛନ୍ନ ହାତ ରହିଛି। ରୋନକ ନିଜେ ଜଣେ ଅନ୍ତର୍ଜାତୀୟ ବନ୍ଧୁକ ଚାଳକ। ୨୦୦୬ ମେଲବର୍ନ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସମରେଶ ଜଙ୍ଗ୍ଙ୍କ ସହ ମିଶି ସେ ୨୫ ମିଟର ଷ୍ଟାଣ୍ଡାର୍ଡ ପିସ୍ତଲ ପେୟାରରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦୧୩ରେ ହୀନାଙ୍କୁ ବିବାହ କରିବା ପରେ କିନ୍ତୁ ରୋନକ ତାଙ୍କ ପ୍ରଶିକ୍ଷକ ଦାୟିତ୍ୱ ତୁଲାଇ ଆସୁଛନ୍ତି। ତାଙ୍କ ପ୍ରଶିକ୍ଷଣ ଏବଂ ତତ୍ତ୍ୱାବଧାନରେ ହିଁ ହୀନା ଗୋଟିଏ ପରେ ଗୋଟିଏ ସଫଳତା ସାଉଣ୍ଟି ଚାଲିଛନ୍ତି। ମଙ୍ଗଳବାର ହୀନା ସ୍ୱର୍ଣ୍ଣ ଜିତିବା ପରେ ୩୩ ବର୍ଷୀୟ ରୋନକ ତାଙ୍କ ପାଖରେ ଥିଲେ। ପଦକ ପକ୍କା ହେବା ପରେ ସେ ଖୁସିରେ ନାଚି ଉଠିଥିଲେ। ହୀନାଙ୍କୁ ତୋଳି ଧରି ତାଙ୍କ ଗାଲରେ ଚୁମ୍ବନ ଆଙ୍କି ଦେଇଥିଲେ। ଜଣେ ସଫଳ ବନ୍ଧୁକଚାଳକ ସହ ହୀନା ମଧ୍ୟ ଜଣେ ଦକ୍ଷ ଦାନ୍ତ ଡାକ୍ତର। ଉଭୟ ପେସାକୁ ସମାନ୍ତରାଳ ଭାବେ ଆଗେଇ ନେବାରେ ରୋନକ ତାଙ୍କୁ ସବୁ କ୍ଷେତ୍ରରେ ସହାୟତା କରି ଆସୁଛନ୍ତି। ସଂପ୍ରତି ସେ ସବୁ ପତିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।
ହୀନା ଜିତିଲେ ଏକାଦଶ ସ୍ୱର୍ଣ୍ଣ
/sambad/media/post_attachments/wp-content/uploads/2018/04/1-Heena-Sidhu-celebrates-with-her-coach-and-husband-Ronak-Pandit.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)