ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମି ପାଇଁ ସହଯୋଗର ହାତ

‘ଓଡ଼ିଶା ଖେଳ: ଉତ୍କ‌ର୍ଷତା ପାଇଁ ଭାଗିଦାରୀ ସୃଷ୍ଟି କରିବା’

ଭୁବନେଶ୍ବର: ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି କରିବା ଏବଂ ପ୍ରତିଭାଶାଳୀ କ୍ରୀଡ଼ାବିତ୍‌ଙ୍କୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଏବଂ ବିଭିନ୍ନ ଶିଳ୍ପ ସଂସ୍ଥା ମଧ୍ୟରେ ଚୁକ୍ତି ସ୍ବାକ୍ଷର ହେବ। ସୋମବାର କଳିଙ୍ଗ ଷ୍ଟାଡିୟମରେ ଅୟୋଜନ ହେବାକୁ ଥିବା ଓଡ଼ିଶା ଖେଳ: ଉତ୍କର୍ଷତା ପାଇଁ ଭାଗିଦାରୀ ସୃଷ୍ଟି କାର୍ଯ୍ୟକ୍ରମ‌େର ଦେଶର ୬ଟି ପ୍ରମୁଖ ଶିଳ୍ପାନୁଷ୍ଠାନ ରାଜ୍ୟ ସରକାରଙ୍କ ସହ ଚୁକ୍ତି ସ୍ବାକ୍ଷର କରିବେ। ବିଭିନ୍ନ ଶିଳ୍ପାନୁଷ୍ଠାନର ଫାଉଣ୍ଡେସନ୍ ଫର୍ ୟୁଥ୍ ସ୍ପୋର୍ଟସ ପକ୍ଷରୁ କ୍ରୀଡ଼ାବିତ୍‌ମାନଙ୍କୁ ଏହି ସହଯୋଗ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଗ୍ରୁପ୍ ପକ୍ଷରୁ ଆଥଲେଟିକ୍ସ, ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍ ପକ୍ଷରୁ ଫୁଟବଲ୍‌ ଏବଂ ସନ୍ତରଣ, ଡାଲମିଆ ଭାରତ ଗ୍ରୁପ୍ ପକ୍ଷରୁ ବ୍ୟାଡମିଣ୍ଟନ, ଆଲୁୱାଲିଆ ଗ୍ରୁପ୍ ପକ୍ଷରୁ ଭାରତ୍ତୋଳନ, ଆଦିତ୍ୟ ବିର୍ଲା ଗ୍ରୁପ୍ ପକ୍ଷରୁ ସୁଟିଂ ଏବଂ ଟାଟା ଗ୍ରୁପ୍ ପକ୍ଷରୁ ହକି ପାଇଁ ଚୁକ୍ତି ସ୍ବାକ୍ଷର ହେବ। ଏହି ସବୁ ଶିଳ୍ପ ସଂସ୍ଥା ଯୁବ ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କୁ ଅନ୍ତର୍ଜାତୀୟ ମାନର ପ୍ରଶିକ୍ଷଣ ଦେବା ସହ କ୍ରୀଡ଼ା ଭିତ୍ତିଭୂମି ଉନ୍ନତିରେ ସହଯୋଗ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ନରିନ୍ଦର ବାତ୍ରା ହକି ବିଶ୍ବକପ୍‌ ଟ୍ରଫିକୁ ଉନ୍ମୋଚନ କରିବେ।

୭ ଖେଳକୁ ପ୍ରୋତ୍ସାହନ ଦେବେ ୬ ଶିଳ୍ପ ସଂସ୍ଥା
ହକି ବିଶ୍ବକପ୍ ଟ୍ରଫି ଉନ୍ମୋଚନ ସୋମବାର

ଏହି ଏମ୍ଓୟୁ ସ୍ବାକ୍ଷର ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, କ୍ରୀଡ଼ା ସଂସ୍କୃତିକୁ ପ୍ରଚାର ପ୍ରସାର କରିବା ଦିଗରେ ଏହି ଏମ୍ଓୟୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏବେ ଆମେ ଉପରୋକ୍ତ କ୍ରୀଡ଼ାଗୁଡ଼ିକୁ ଏକାଠି କରି ଏକ ବିଶ୍ବସ୍ତରୀୟ ହବ୍ ସୃଷ୍ଟି କରିପାରିବୁ। କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା କହିଛନ୍ତି ଯେ, କ୍ରୀଡ଼ାବିତ୍‌ ଓ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥା ହାତ ବଢ଼ାଇଥିବାରୁ ସେମାନଙ୍କ ସହଯୋଗ ପ୍ରଶଂସନୀୟ। ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ଏହି ସବୁ ସଂସ୍ଥାର ସହଯୋଗ ଏବଂ ଏହି କ୍ରୀଡ଼ା ପ୍ରତି କ୍ରୀଡ଼ାବିତ୍‌ଙ୍କ ଆଗ୍ରହକୁ ଦେଖି ଆମେ ଉପରୋକ୍ତ ସଂସ୍ଥାଗୁଡ଼ିକୁ ଏମ୍ଓୟୁ ସ୍ବାକ୍ଷର ପାଇଁ ଚୟନ କରିଛୁ। ଏହି ସବୁ ଶିଳ୍ପ ସଂସ୍ଥା ସହଯୋଗରେ ଆମେ କ୍ରୀଡ଼ାର ପ୍ରଚାର ପ୍ରସାର କରିପାରିବୁ।

ସମ୍ବନ୍ଧିତ ଖବର