ଓରେଗନ (ଆମେରିକା): ଚଳିତ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାର ପୁରୁଷ ୩୦୦୦ ମିଟର ଷ୍ଟିପଲ୍ଚେଜ୍ରେ ଭାରତର ଅବିନାଶ ସାବ୍ଲେ ଏକାଦଶ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି। ୨୭ ବର୍ଷୀୟ ସାବ୍ଲେ ୮:୩୧.୭୫ ସେକେଣ୍ଡ୍ ସମୟ ନେଇ ରେସ୍ ଶେଷ କରିଥିଲେ। ହେଲେ ଏହି ଜାତୀୟ କୀର୍ତ୍ତିମାନଧାରୀ ଏଠାରେ ନିଜର ବ୍ୟକ୍ତିଗତ କି ଚଳିତ ଋତୁର ଶ୍ରେଷ୍ଠ ୮:୧୨.୪୮ ପ୍ରଦର୍ଶନ ଦେବାରେ ବିଫଳ ହୋଇଥିଲେ। ମରୋକୋର ଅଲିମ୍ପିକ୍ ବିଜେତା ସୌଫିଆନ୍ ଏଇ ବାକ୍କାଲି (୮:୨୫.୧୩) ସ୍ବର୍ଣ୍ଣ, ଇଥୋପିଆର ଲାମେଚା ଗିର୍ମା (୮:୨୬.୦୧) ରୌପ୍ୟ ଏବଂ ପୂର୍ବ ବିଜେତା କେନିଆର କନ୍ସେସ୍ଲୁସ କିପ୍ରୁଟୋ (୮:୨୭.୯୨) କାଂସ୍ୟ ପଦକ ଜିତିଥିଲେ।
ରୋଜାସ, ବାର୍ସିମଙ୍କୁ ଲଗାତାର ତୃତୀୟ ବିଶ୍ବ ମୁକୁଟ
ଭେନ୍ଜୁଏଲାର ମହିଳା ଟ୍ରିପଲ ଜମ୍ପର୍ ୟୁଲିମର ରୋଜାସ ଏବଂ କାତାରର ଉଚ୍ଚ ଡିଆଁଳି ମୁତାଜ ବାର୍ସିମ ଲଗାତାର ତୃତୀୟ ଥର ଲାଗି ବିଶ୍ବ ମୁକୁଟ କରାୟତ୍ତ କରିଛନ୍ତି। ସୋମବାର ଟ୍ରିପଲ୍ ଜମ୍ପରେ ଅଲିମ୍ପିକ୍ ବିଜୟିନୀ ରୋଜାସ ୧୫.୪୭ ମିଟର ଡେଇଁ ସ୍ବର୍ଣ୍ଣ ଜିତିଥିଲେ। ଜାମାଇକାର ସାନିଇକା ରିକେଟ୍ସ (୧୪.୮୯) ଦ୍ବିତୀୟ ଏବଂ ଆମେରିକାର ତୋରି ଫ୍ରାଙ୍କଲିନ୍ ତୃତୀୟ ସ୍ଥାନରେ ରହିଥିଲେ। ପୁରୁଷ ଉଚ୍ଚ ଡିଆଁର ଫାଇନାଲ୍ରେ ବାର୍ସିମ ସଫଳତାର ସହ ୨.୩୭ ମିଟର ଡେଇଁ ସ୍ବର୍ଣ୍ଣ ପଦକ ପକେଟସ୍ଥ କରିଥିଲେ। ବିଶ୍ବ ଇନ୍ଡୋର ବିଜେତା କୋରିଆର ଉ ସାଙ୍ଗ-ହିଉକ (୨.୩୫ ମିଟର) ରୌପ୍ୟ ଏବଂ ୟୁକ୍ରେନର ଆନ୍ଦ୍ରି ପ୍ରୋସେଙ୍କୋ (୨.୩୩ ମିଟର) କାଂସ୍ୟ ଜିତିଥିଲେ।
ଥିଆମ ଜିତିଲେ ହେପ୍ଟାଥଲନ ସ୍ବର୍ଣ୍ଣ
ବେଲ୍ଜିୟମର ଯୁଗଳ ଅଲିମ୍ପିକ୍ ବିଜେତା ନାଫିସାତୋଉ ଥିଆମ୍ ସୋମବାର ୮୦୦ ମିଟରରେ ବ୍ୟକ୍ତିଗତ ଶ୍ରେଷ୍ଠ ଦେଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ନେଦରଲାଣ୍ଡର ଅନଉକ ଭେଟରଙ୍କୁ ପଛରେ ପକାଇ ହେପ୍ଟାଥଲନ ସ୍ବର୍ଣ୍ଣ ନିଶ୍ଚିତ କରିଥିଲେ। ଥିଆମ୍ଙ୍କଠୁ ୧୯ ପଏଣ୍ଟ ପଛରେ ରହି ଭେଟର ରୌପ୍ୟ ଏବଂ ଆମେରିକାର ଆନ୍ନା ହଲ କାସ୍ୟରେ ସନ୍ତୁଷ୍ଟ ରହିଥିଲେ।
ମାରାଥନରେ ଗେବ୍ରେସଲାସ୍ଙ୍କ କୀର୍ତ୍ତିମାନ
ଇଥିଓପିଆର ଜୋଟିଟମ ଗେବ୍ରେସଲାସ ସୋମବାର ବିଶ୍ବ ଦୌଡ଼କୁଦ ମହିଳା ମାରାଥନରେ ନୂଆ କୀର୍ତ୍ତିମାନ କରିଛନ୍ତି। ଚଳିତ ଦୌଡ଼କୁଦ ପ୍ରତିଯୋଗିତାରେ ସେ ୨ ଘଣ୍ଟା ୧୮ ମିନିଟ୍ ୧୧ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ଜିତିବା ସହ ବ୍ରିଟେନ୍ର ପୌଲା ରାଡକ୍ଲିଫେ (୨:୨୦:୫୭ ସେକେଣ୍ଡ, ୨୦୦୫)ଙ୍କ ନାମରେ ଥିବା କୀର୍ତ୍ତିମାନକୁ ଭାଙ୍ଗିଥିଲେ। ଏହା ଓରେଗନରେ ଇଥିଓପିଆର ଦ୍ବିତୀୟ ମାରାଥନ ସ୍ବର୍ଣ୍ଣ। ରବିବାର ପୁରୁଷ ମାରାଥନରେ ତାମିରାତ ତୋଲା (୨:୦୫:୩୬ ସେକେଣ୍ଡ) ପ୍ରତିଯୋଗିତାର କୀର୍ତ୍ତିମାନ ସହ ସ୍ବର୍ଣ୍ଣ ଜିତିଥିଲେ। କେନିଆର ଜୁଦିଥ କୋରିର ରୌପ୍ୟ ଏବଂ ଇସ୍ରାଇଲର ଲୋନା ସାଲପିଟର କାଂସ୍ୟ ଜିତିଥିଲେ।