ହିରୋ ଏଲିଟ୍‌ ଲିଗ୍: ଓଡ଼ିଶା ଏଫ୍‌ସିର ଦମ୍‌ଦାର ବିଜୟ

ଭୁବନେଶ୍ବର : ଚଳିତ ହିରୋ ଏଲିଟ୍‌ ଲିଗ୍‌ରେ ଓଡ଼ିଶା ଏଫ୍‌ସିର ଯୁବ (୧୮ ବର୍ଷରୁ କମ୍‌) ଦଳ ରବିବାର ଦମ୍‌ଦାର ବିଜୟ ପାଇଛି। ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହରୁ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଓଡ଼ିଶା ୪-୦ ‌ଗୋଲ୍‌ରେ ୟୁନାଇଟେଡ୍‌ ପଞ୍ଜାବ ଏଫ୍‌ସିକୁ ହରାଇଦେଇଛି। ଓଡ଼ିଶା ପକ୍ଷରୁ ଅକ୍ଷୁର୍ଣ୍ଣ ତ୍ୟାଗୀ (୧୩, ୭୨ ମିନିଟ୍‌) ଦୁଇଟି ଏବଂ ଋଷଭ ଡୋବ୍ରିୟାଲ (୨୫ ମିନିଟ୍‌) ଓ ନିଶ୍ଚୟ ଅଧିକାରୀ (୭୮ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ‌କରିଥିଲେ। ୧୩ତମ ମିନିଟ୍‌ରେ ଦଳ ପାଇଁ ଅକ୍ଷୁର୍ଣ୍ଣ ପ୍ରଥମ ଗୋଲ୍‌ ଦେଇଥିଲା ବେଳେ ୨୫ତମ ମିନିଟ୍‌ରେ ଋଷଭଙ୍କ ଗୋଲ୍‌ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମାର୍ଧରେ ୨-୦ର ଅଗ୍ରଣୀ ନେଇଥିଲା। ଅକ୍ଷୁର୍ଣ୍ଣ ୭୨ତମ ମିନିଟ୍‌ରେ ଆଉ ଏକ ଗୋଲ୍‌ ଦେଇ ଯୁଗଳ ସଫଳତା ହାତେଇଥିଲେ। ଏହାର ୬ ମିନିଟ୍‌ ପରେ ନିଶ୍ଚୟଙ୍କ ଗୋଲ୍‌ ଓଡ଼ିଶାକୁ ୪-୦ ବିଜୟ ଦେଇଥିଲା। ଓଡ଼ିଶା ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ୭ ତାରିଖ ଦିନ କନ୍‌ସିଏଣ୍ଟ୍‌ ଫୁଟ୍‌ବଲ୍‌କୁ ଭେଟିବ। ତେବେ ଉପକନିଷ୍ଠ ଲିଗ୍‌ରେ ଓଡ଼ିଶା ଏଫ୍‌ସିର ବ‌ାଳକ (୧୩ ବର୍ଷରୁ କମ୍‌) ଦଳ ୦-୨ ଗୋଲ୍‌ରେ ସୁଦେଭା ଫୁଟ୍‌ବଲ୍‌ କ୍ଲବ୍‌ଠୁ ହାରିଯାଇଛି। ଏହି ଦଳ ପରବର୍ତ୍ତୀ ମ୍ୟାଚ୍‌ ୫ ତାରିଖରେ ପଞ୍ଜାବ ଫୁଟ୍‌ବଲ୍‌ କ୍ଲବ୍‌ ସହ ଖେଳିବ।

ସମ୍ବନ୍ଧିତ ଖବର