ବାରବାଟୀ ଲଢ଼େଇ: ସାଧାରଣ ସ୍କୋର୍‌, ସହଜ ଆହ୍ବାନ

ଅଭ୍ୟାସରେ ହିରୋ, ମ୍ୟାଚ୍‌ରେ ଜିରୋ

କଟକ: ଦିଲ୍ଲୀ ଭଳି ଚୌକା ଛକା ଦେଖିବାକୁ ଆସିଥିବା ବାରବାଟୀ ପ୍ରଶଂସକଙ୍କୁ ସେଭଳି ମିଳିନଥିଲା। ତଥାପି ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କ୍ରିକେଟ୍ ଦେଖିବାକୁ ମିଳିଥିଲା। ଈଶାନ କିଶନ, ଶ୍ରେୟସ ଆୟର, ଦୀନେଶ କାର୍ତ୍ତିକଙ୍କ ଉପଯୋଗୀ ପାଳି ବଳରେ ଭାରତ ୧୪୮ ରନ୍‌ର ଲଢ଼ୁଆ ସ୍କୋର୍‌ ଛିଡ଼ା କରିନେଇଥିଲା। ଆଇପିଏଲ୍‌ ତାରକାଙ୍କ ବିଫଳତା ସତ୍ତ୍ବେ ବିନା ଅର୍ଦ୍ଧଶତକପୂର୍ଣ୍ଣ ପାଳିରେ ଭାରତ ବାରବାଟୀର ଦୋମୁଖା ପିଚ୍‌ରେ ଏକ ପ୍ରକାର ଲଢ଼ୁଆ ସ୍କୋର୍‌ କରି ବୋଲରଙ୍କ ପାଇଁ ସ‌ୁଯୋଗ ଆଣି ଦେଇଥିଲେ। ସାଧାରଣ ସ୍କୋର୍‌ ଛିଡ଼ା କରିଥିଲେ ମଧ୍ୟ ଭ୍ରମଣକାରୀ ଦଳ ପାଇଁ ଅସାଧାରଣ ଆହ୍ବାନ ଆଣିଥିଲେ।

ଟସ୍‌ ଓ ଦଳ: ଦିଲ୍ଲୀ ଭଳି କଟକରେ ମଧ୍ୟ ଟସ୍ ହାରିଯାଇଥିଲା ଭାରତ। ତଥାପି ଚୂଡାନ୍ତ ଏକାଦଶକୁ ଅପରିବର୍ତ୍ତିତ ରଖି ପଡ଼ିଆକୁ ଓହ୍ଲାଇଥିଲା ଋଷଭ ପନ୍ତ୍‌ଙ୍କ ଦଳ। ଅର୍ଶଦୀପ ସିଂହ ଓ ଉମ୍ରାନ୍ ମଲ୍ଲିକଙ୍କ ପଦାର୍ପଣ ଅପେକ୍ଷା ଲମ୍ବିଥିଲା। ଦକ୍ଷିଣ ଆଫ୍ରିକା କିନ୍ତୁ ଦୁଇଟି ପରିବର୍ତନ କରିଥିଲା। ଆହତ କ୍ବି୍ଣ୍ଟନ୍ ଡି’କକ୍‌ ଏବଂ ତ୍ରିଷ୍ଟାନ୍ ଷ୍ଟବ୍ସଙ୍କ ବଦଳରେ ରିଜା ହେଣ୍ଡ୍ରିକ୍ସ ଓ ହେନରିକ୍‌ କ୍ଲାସେଁ ବାରବାଟୀରେ ପ୍ରଥମ ଥର ଖେଳିଥିଲେ। ଟସ୍ ଜିତିବା ପରେ ତେମ୍ବା ବଭୁମା ସ୍ବାଭାବିକ ଭାବେ କ୍ଷେତ୍ରରକ୍ଷଣ କରିବାକୁ ପସନ୍ଦ କରିଥିଲେ।
ପ୍ରଥମ ଓଭରରେ ରବାଦାଙ୍କ ୫୦: ବ୍ୟାଟିଂ ପାଇଁ ଆମନ୍ତ୍ରିତ ଭାରତର ପ୍ରଥମ ଓଭର ଦକ୍ଷିଣ ଆଫ୍ରିକାର କୃଷ୍ଣକାୟ ଦ୍ରୁତ ବୋଲର କାଗିସୋ ରବାଦାଙ୍କ ପାଇଁ ମାଇଲଖୁଣ୍ଟ୍ ପ୍ରତିଷ୍ଠା ଆଣି ଦେଇଥିଲା। ପଞ୍ଚମ ବଲ୍‌କୁ ଋତୁରାଜ ଗାଏକ୍ବାଡ ପଏଣ୍ଟ ଅଞ୍ଚଳରେ ଥିବା କେଶବ ମହାରାଜଙ୍କ ହାତକୁ ଟେକି ଦେଇଥିଲେ। ଏଥି ସହିତ ରବାଦା ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ରବାଦା ୫୦ ୱିକେଟ୍‌ ପୂର୍ଣ୍ଣ କରି ନେଇଥିଲେ। ଆଉ ଏକ ଟାଇଟ୍ ଓଭର ସହ ରବାଦା ମଧ୍ୟ ପ୍ରଥମ ୨ ଓଭରରେ ମାତ୍ର ୪ ରନ୍‌ ଦେଇ ଭାରତୀୟ ବ୍ୟାଟରଙ୍କୁ ବାନ୍ଧି ରଖିଥିଲେ। ଅଭିଜ୍ଞ ପାର୍ନେଲଙ୍କୁ ଚୌକା ମାରି ଶ୍ରେୟସ ଆୟର୍‌ ଖାତା ଖୋଲିଥିଲେ। ପ୍ରଥମ ୩ ଓଭରରେ ମାତ୍ର ୧୨ ରନ୍‌ କରି ସଂଘର୍ଷ କରିଥିବା ଭାରତର ପାଳିକୁ ଈଶାନ କିଶନ ଆଗକୁ ନେବାକୁ ଚେଷ୍ଟା କରିଥିଲେ। ଅନରିକ୍ ନର୍ଖିୟାଙ୍କୁ ଗୋଟିଏ ଓଭରରେ ଦୁଇଟି ଛକା ମାରି ଈଶାନ ୧୩ ରନ୍ ଆଦାୟ କରିଥିଲେ। ପାୱାର ପ୍ଲେ ୬ ଓଭରରୁ ଭାରତ ୪୨ ରନ୍ ଆଦାୟ କରିଥିଲା। ତେବେ ପାର୍ଶ୍ବ ପରିବର୍ତନ କରି ମହାନଦୀ ପଟୁ ବୋଲିଂ ନେଇ ଆସିବା ପରେ ନର୍ଖିୟା ଈଶାନଙ୍କୁ ଆଉଟ୍ କରି ପ୍ରତିଶୋଧ ନେଇଯାଇଥିଲେ। ଈଶାନଙ୍କ ୨୧ ବଲ୍‌ ୩୪ ରନ୍‌ ପାଳିରେ ୨ ଚୌକା ଓ ୩ ଛକା ସାମିଲ ଥିଲା। ନବମରୁ ଦ୍ବାଦଶ ଓଭର ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର ସ୍ପିନ୍‌ ଯୋଡ଼ି ତାବ୍ରାଇଜ୍ ସାମସୀ ଓ କେଶବ ମହାରାଜ ଲଗାତାର ବୋଲିଂ କରିବା ସହ ଅଧିନାୟକ ଋଷଭ ପନ୍ତ୍‌ଙ୍କୁ ପ୍ୟାଭିଲିଅନ୍‌ ପଠାଇଦେଇଥିଲେ।

ଆଇପିଏଲ୍‌ ତାରକା ନିରାଶ: ଗତ ମାସରେ ଶେଷ ହୋଇଥିବା ଆଇପିଏଲ୍‌ରେ ନିଜ ନିଜ ଫ୍ରାଞ୍ଚାଇଜ୍ ପାଇଁ ଭଲ ଖେଳିଥିବା ଋତୁରାଜ ଗାଏକ୍ବାଡ, ଋଷଭ ପନ୍ତ୍, ଶ୍ରେୟସ ଆୟର୍‌, ହାର୍ଦିକ ପାଣ୍ଡ୍ୟା ବିଫଳ ହେବା ବାରବାଟୀ ଦର୍ଶକଙ୍କୁ ନିରାଶ କରିଥିଲା। ଏଥି ସହିତ ରୋହିତ ଶର୍ମା, ବିରାଟ କୋହଲି, କେଏଲ୍ ରାହୁଲ, ଶିଖର ଧାୱନଙ୍କ ବିନା ଭାରତୀୟ ଶୀର୍ଷକ୍ରମ ବ୍ୟାଟିଂ ବି ଦିଶାହୀନ ବୋଲି ପ୍ରମାଣିତ ହୋଇଥିଲା। ୧୩ତମ ଓଭରରେ ପାଣ୍ଡ୍ୟା କ୍ୟାଚ୍‌ ଡ୍ରପରୁ ଜୀବନଦାନ ପାଇଥିଲେ ମଧ୍ୟ ପା‌ର୍ଣ୍ଣେଲ୍‌ ତାଙ୍କୁ ‌ସେହି ଓଭରରେ କ୍ଲିନ୍ ବୋଲ୍ଡ କରି ଦେଇଥିଲେ। ଗୁଜରାଟ ଟାଇଟନ୍ସକୁ ବିଜେତା କରିଥିବା ହାର୍ଦିକ ପାଣ୍ଡ୍ୟା ମାତ୍ର ୯ ରନ୍‌ କରିଥିଲେ। ଉଭୟ ଅଧିନାୟକ ଓ ଉପ ଅଧିନାୟକ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଅକ୍ଷର ପଟେଲ୍‌ ନିଜକୁ ଅଲରାଉଣ୍ଡର୍‌ ବୋଲି ମିଳିଥିବା ସୁଯୋଗକୁ ପୁଣି ଥରେ ହାତଛଡ଼ା କରିଥିଲେ। ଶେଷ ୨ ଓଭରରୁ ୩୦: ବାରବାଟୀର ଦୋମୁଖା ପିଚ୍‌ରେ ବଲ୍‌ ଠିକ୍‌ରେ ବ୍ୟାଟକୁ ଆସୁନଥିଲା। ତଥାପି କିଛି ଭାରତୀୟ ଖେଳାଳି ନିଜ ଭୁଲ୍ ପାଇଁ ୱିକେଟ୍ ଫିଙ୍ଗି ଦେଇଥିଲେ। ଅଧିନାୟକ ଋଷଭ ପନ୍ତ୍‌ ସବୁଠାରୁ ଖଳ ନାୟକ ଥିଲେ। ‌ବଡ ସଟ୍‌ ଖେଳିବାକୁ ଆଗକୁ ବଢ଼ିଥିବା ପନ୍ତ୍‌ କେଶବ ମହାରାଜଙ୍କ ଅଫଷ୍ଟମ୍ପ୍ ବାହାର ବଲକୁ ଭିଡ଼ି ସ୍ବିପର୍ କଭର୍‌ ଅଞ୍ଚଳରେ ରାଶି ଭାନ୍ ଡର୍ ଡସେନ୍‌ଙ୍କ ହାତରେ ଧରାପଡ଼ିଥିଲେ। ଈଶାନ ଓ ଆୟର ମଧ୍ୟ ସେଟ୍ ହେବା ପରେ ଭୁଲ୍ ସଟ୍ ଖେଳି ଅର୍ଦ୍ଧଶତକ ଆଡକୁ ଆଗେଇ ପାରିନଥିଲେ। ଭାରତ ୧୭ ଓଭର ବେଳକୁ ୬ ୱିକେଟ୍ ହରାଇ ୧୧୨ ରନ୍‌ କରିଥିଲା। ଫିନିସର୍‌ ଭୂମିକା ନିଭାଉଥିବା ଦୀନେଶ କାର୍ତ୍ତିକ ଢେର ମନ୍ଥର ଖେଳିଥିଲେ ପ୍ରଥମରୁ। ସେ ସମ୍ମୁଖୀନ ହୋଇଥିବା ପ୍ରଥମ ୧୬ ବଲ୍‌ରୁ ମାତ୍ର ୯ ରନ୍‌ କରିଥିଲେ। କିନ୍ତୁ ପରବର୍ତୀ ୫ ବଲ୍‌ରୁ ସେ ୨ ଚୌକା, ୨ ଛକା ସହ ୨୧ ରନ୍‌ ଯୋଡ଼ିଥିଲେ। ଫଳରେ ଭାରତ ଶେଷ ୨ ଓଭରରୁ ୩୦ ରନ୍‌ ଯୋଡ଼ି ୧୪୮ ରନ୍‌ର ସମ୍ମାନଜନକ ସ୍କୋର୍‌ କରି ନେଇଥିଲା।

ଭିନ୍ନ କୌଶଳ ବୋଲିଂ: ଭାରତର ବ୍ୟାଟିଂକୁ ରୋକିବାକୁ ଦକ୍ଷିଣ ଆଫ୍ରିକା ରବିବାର ଭିନ୍ନ କୌଶଳରେ ବୋଲିଂ କରିଥିଲା। ପ୍ରଥମ ୮ ଓ ଶେଷ ୮ ଓଭର ୪ ଜଣ ପେସ୍‌ ବୋଲରଙ୍କୁ ବ୍ୟବହାର କରିଥିଲା। ଦୁଇ ଜଣ ‌ସ୍ପେଶାଲିଷ୍ଟ ସ୍ପିନର୍‌ ଥିଲେ ବି ମଝିରେ ଲଗାତାର ଭାବେ ୨-୨ ଓଭର ବୋଲିଂ କରିଥିଲେ। ଏପରିକି ୱିକେଟ୍‌ କାଢ଼ିଥିଲେ ମଧ୍ୟ ମହାରାଜ-ସାମସୀଙ୍କୁ ଆଉ ବୋଲିଂ ମିଳିନଥିଲା। ଦୁଇ ଅଭିଜ୍ଞ ବୋଲର କାଗିସୋ ରବାଦା (୪-୦-୧୫-୨) ଏବଂ ୱେନ୍ ପାର୍ଣ୍ଣେଲ୍‌ (୪-୦-୨୩-୧) ଭାରତୀୟ ବ୍ୟାଟରଙ୍କୁ ହାତ ଖୋଲିବାକୁ ଦେଇନଥିଲେ। ରବାଦା ନିଜ ୫୦ତମ ୱିକେଟ୍ ପୂର୍ଣ୍ଣ ସହ ପ୍ରଶଂସନୀୟ ବୋଲିଂ ଚିତ୍ର ପାଇଥିଲେ।

କଟକ:ତାରକା ଖେଳାଳି ରୋହିତ ଶର୍ମା, ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଦଳର ଭାର ସମ୍ଭାଳିଥିବା ଯୁବ ଵିକେଟ ରକ୍ଷକ ବ୍ୟାଟ୍ସମ୍ୟାନ ଋଷଭ ପନ୍ତ୍‌ ଓ ଉପଅଧିନାୟକ ହାର୍ଦ୍ଦିକ ପାଣ୍ତ୍ୟା ଭାରତୀୟ ଦଳକୁ ନୂଆ ଦିଗ ପ୍ରଦାନ କରିବେ ବୋଲି କୁହାଯାଉଥିଲା। କିନ୍ତୁ ଲଗାତାର ଦ୍ବିତୀୟ ମ୍ୟାଚ୍‌ରେ ପନ୍ତ ପ୍ରଶ˚ସକଙ୍କୁ ନିରାଶ କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ ମାତ୍ର ୨୯ ରନ୍‌ କରି ଆଉଟ ହୋଇଥିଲା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ୭ ବଲ୍‌ରୁ ୫ ରନ୍‌ କରି ସେ ନିରାଶ କରିଥିଲେ। କେବଳ ପନ୍ତ୍‌ ନୁହଁନ୍ତି ପାଣ୍ତ୍ୟା ମଧ୍ୟ ଏହି ମ୍ୟାଚ୍‌ରେ କିଛି ଧମାକା କରିପାରିନଥିଲେ। ତାଙ୍କ ବ୍ୟାଟରୁ ମାତ୍ର ଗୋଟିଏ ଚୌକା ବାହାରିଥିଲା ବେଳେ କେବଳ ୯ (୧୨) ରନ୍‌ କରି ଆଉଟ ହୋଇଥିଲେ। ଶନିବାର ଦଳର ଅଭ୍ୟାସ ସମୟରେ ପନ୍ତ୍‌ ଓ ପାଣ୍ତ୍ୟା ଯେଉଁଭଳି ଭାବେ ଚୌକା, ଛକାର ବର୍ଷା କରୁଥିଲେ ଲାଗୁଥିଲା ମ୍ୟାଚ୍‌ରେ ବି ସେହିଭଳି ବଡ଼ ରନ୍‌ ତାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିବ। କିନ୍ତୁ ମ୍ୟାଚ୍‌ରେ ସବୁକିଛି ଓଲଟପାଲଟ୍‌ ହୋଇଗଲା।

ସମ୍ବନ୍ଧିତ ଖବର