ହିରୋସୀମାରେ କରାଟେ ପଦାର୍ପଣ

ଭୁବନେଶ୍ୱର: ୧୯୯୪ ମସିହାର ଦ୍ୱାଦଶ ସଂସ୍କରଣ ଏସୀୟ କ୍ରୀଡ଼ା ଜାପାନର ହିରୋସୀମା ପାର୍କ ମୁଖ୍ୟ ଷ୍ଟାଡିୟମ୍‌ରେ ଅକ୍ଟୋବର ୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ପରମାଣୁ ବୋମା ବିସ୍ଫୋରଣର ୪୯ ବର୍ଷ ପରେ ହିରୋସୀମାରେ ଆୟୋଜିତ ହୋଇଥିବାରୁ ଏହାର ଆଭିମୁଖ୍ୟକୁ ଶାନ୍ତି ଓ ମୈତ୍ରୀ ଭାବେ ବିବେଚନା କରାଯାଇଥିଲା। ସେହିଭଳି ୧୯୯୧ ମସିହାର ଉପସାଗରୀୟ ଯୁଦ୍ଧ କାରଣରୁ ଇରାକ୍‌କୁ ମଧ୍ୟ ନିଲମ୍ବନର ଶିକାର ହେବାକୁ ପଡ଼ିଥିଲା। ୪୨ ଦେଶରୁ ୬,୮୨୮ ଖେଳାଳି ସର୍ବାଧିକ ୩୪ ଖେଳ ଓ ୩୩୮ ଇଭେଣ୍ଟ୍‌ରେ ସାମିଲ ହୋଇଥିଲେ। ବେସ୍‌ବଲ୍‌, କରାଟେ ଏବଂ ମଡର୍ନ ପେଣ୍ଟାଥଲନ୍‌ ପଦାର୍ପଣ କରିଥିଲା ଏହି ସଂସ୍କରଣ ଏସିଆଡ୍‌ରୁ। ଲୋଗୋ ଓ ମାସ୍କଟ୍‌ରେ ମଧ୍ୟ ଶାନ୍ତିର ବାର୍ତା ରହିଥିଲା।

ମାସ୍କଟ୍‌ରେ ପୋପୋ ଓ କାକୁ (ପୁରୁଷ ଓ ମାଈ କପୋତ)କୁ ବ୍ୟବହାର କରାଯାଇଥିଲା। ପଡ଼ିଆ ଭିତରେ ଚୀନ୍‌ (୧୨୬ ସ୍ୱର୍ଣ୍ଣ, ୮୩ ରୌପ୍ୟ, ୫୭ କାଂସ୍ୟ) ୨୬୬ ପଦକ ଜିତି ଦଳଗତ ମୁକୁଟକୁ ପୁଣି ହାତେଇଥିଲା। ଜାପାନ (୬୪+୭୫+୭୯) ପୁଣି ଦ୍ୱିତୀୟକୁ ଲେଉଟିଥିଲା। ଦକ୍ଷିଣ କୋରିଆ (୬୩, ୫୬, ୬୪) ୧୮୩ ପଦକ ଜିତି ତୃତୀୟରେ ରହିଥିଲା। କାଜାକସ୍ତାନ (୨୭+୨୫+୨୭), ଉଜ୍‌ବେକିସ୍ତାନ (୧୧+୧୨+୧୯), ଇରାନ୍‌ (୯+୯+୮), ଚାଇନିଜ୍‌ ତାଇପେ (୭+୧୩+୨୪) ପଛକୁ ଭାରତ (୪+୩+୧୬) ଅଷ୍ଟମରେ ରହିଥିଲା। ମାଲେସିଆ ଓ କାତାର ୪ ଲେଖାଏଁ ସ୍ୱର୍ଣ୍ଣ ପଦକ ଜିତି ନବମ ଓ ଦଶମ ସ୍ଥାନରେ ରହିଥିଲେ। ଚୀନର ଏହି ସଫଳତା କିନ୍ତୁ ଡୋପ୍‌ ବିବାଦ ଭିତରେ ଫିକା ପଡ଼ିଥିଲା। ୧୧ ଜଣ କ୍ରୀଡ଼ାବିତ୍‌ ନିଷିଦ୍ଧ ଔଷଧ ଓ ଆନାବୋଲିକ୍‌ ଷ୍ଟେରଏଡ୍‌ ସେବନ କରିଥିବା ଧରାପଡ଼ିଥିଲା। ଏହାର ମାସକ ପୂର୍ବରୁ ମଧ୍ୟ ରୋମ୍‌ ବିଶ୍ୱ ସନ୍ତରଣ ପ୍ରତିଯୋଗିତାରେ ଚୀନ୍‌ର ୯ ଜଣ ବିଶ୍ୱ ବିଜେତାଙ୍କ ମଧ୍ୟରୁ ୨ ଜଣ ଏସୀୟ କ୍ରୀଡ଼ା ବେଳେ ଧରାପଡ଼ିଥିଲେ।

ସମ୍ବନ୍ଧିତ ଖବର