ହାଇକୋର୍ଟ ଓ ବୋର୍ଡ ଅଫ୍‌ ରେଭେନ୍ୟୁ ବିଜୟୀ

ପ୍ରଶାନ୍ତ ସ୍ମାରକୀ ଆଇନଜୀବୀ ଟେ୍ଵଣ୍ଟି-୨୦ କ୍ରିକେଟ୍‌

ଭୁବନେଶ୍ୱର: ଭୁବନେଶ୍ୱର ବାର୍‌ ଆସୋସିଏସନ୍‌ ଆନୁକୂଲ୍ୟରେ ଚତୁର୍ଥ ପ୍ରଶାନ୍ତ ରାଉତରାୟ ସ୍ମାରକୀ ନିଖିଳ ଓଡ଼ିଶା ଆଇନଜୀବୀ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ବିଜେବି ମହାବିଦ୍ୟାଳୟ ଖେଳ ପଡ଼ିଆରେ ଆୟୋଜିତ ଏହି ପ୍ରତିଯୋଗିତାର ପ୍ରଥମ ଦିନ ହାଇକୋର୍ଟ ବାର୍‌ ସଂଘ ଓ ବୋର୍ଡ ଅଫ୍‌ ରେଭେନ୍ୟୁ ବାର୍‌ ସଂଘ ବିଜୟ ହାସଲ କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ ହାଇକୋର୍ଟ ୫ ଓ୍ଵିକେଟ୍‌ରେ ଢେଙ୍କାନାଳ ବାର୍‌ ସଂଘ ଦଳକୁ ପରାସ୍ତ କରିଛି। ଡେଙ୍କାନାଳ ଦଳ ଶିବସାଇ ମହାପାତ୍ର (୬୦) ଓ ଅଭିଜିତ ମିଶ୍ର (ଅପରାଜିତ ୭୨)ଙ୍କ ଅର୍ଧଶତକ ବଳରେ ୧୫ ଓଭରରେ ୫ ଓ୍ଵିକେଟ୍‌ ହରାଇ ୧୪୬ ରନ୍‌ କରିଥିଲା। ହାଇକୋର୍ଟ ଦଳ ପକ୍ଷରୁ ପ୍ରିନ୍‌ସ ପଟ୍ଟନାୟକ ସଫଳ ବୋଲର ଭାବେ ୩ ଓ୍ଵିକେଟ୍‌ ପାଇଥିଲେ। ଜବାବରେ ରୁଦ୍ର ମହାପାତ୍ର (୫୩)ଙ୍କ ଅର୍ଧଶତକ ସାଙ୍ଗକୁ ବିପ୍ଲବ ଶିଳାଦିତ୍ୟ (୩୨) ଓ ଜଗନ ବାରିକ୍‌ (ଅପରାଜିତ ୩୧)ଙ୍କ ଉପଯୋଗୀ ପାଳି ବଳରେ ହାଇକୋର୍ଟ ଦଳ ୧୪.୩ ଓଭରରେ ୫ ଓ୍ଵିକେଟ୍‌ ହରାଇ ୧୪୯ ରନ୍‌ କରିନେଇଥିଲା।

ଦ୍ୱିତୀୟ ମ୍ୟାଚ୍‌ରେ ଭୁବନେଶ୍ୱର ରେଡ୍‌କୁ ୪୬ ରନ୍‌ରେ ବୋର୍ଡ ଅଫ୍‌ ରେଭେନ୍ୟୁ ପରାସ୍ତ କରିଛି। ବୋର୍ଡ ଅଫ୍‌ ରେଭେନ୍ୟୁ ୧୫ ଓଭରରେ ୪ ଓ୍ଵିକେଟ୍‌ ହରାଇ ୧୪୪ ରନ୍‌ କରିଥିଲା। ଅମିତ ନାୟକ ୪୬ ଓ ଏସ୍‌ ବାଲାନ୍‌ ୪୩ ରନ୍‌ କରିଥିଲେ। ଜବାବରେ ଭୁବନେଶ୍ୱର ରେଡ୍‌ ୯ ଓ୍ଵିକେଟ୍‌ରେ ୯୮ ରନ୍‌ କରିପାରିଥିଲା। ବିକାଶ ରାଉତରାୟ ୨୦ ରନ୍‌ କରିଥିଲେ। ସୁଧୀର ମହାନ୍ତି, ରୁଦ୍ର ମହାପାତ୍ର, ଅମିତ୍‌ ନାୟକ ମ୍ୟାଚ୍‌ ପରିଚାଳନା କରିଥିଲେ।

 

ସମ୍ବନ୍ଧିତ ଖବର