ହକି ସିରିଜ୍‌ ଫାଇନାଲ୍ସ ସ୍ଥାନାନ୍ତର ଆଶଙ୍କା

ଲକ୍ଷ୍ନୌ/ଭୁବନେଶ୍ବର: ପ୍ରଳୟଙ୍କରୀ ଫନି ପ୍ରଭାବରେ ବିଧ୍ବସ୍ତ ହୋଇପଡ଼ିଥିବା କଳିଙ୍ଗ ଷ୍ଟାଡିୟମ୍‌କୁ ନେଇ ଏବେ ଏଫ୍‌ଆଇଏଚ୍‌ ଏବଂ ହକି ଇଣ୍ଡିଆ ଚିନ୍ତାରେ। ଜୁନ୍‌ ୬ରୁ ୧୫ ତାରିଖ ମଧ୍ୟରେ ବିଜୁ ପଟ୍ଟନାୟକ ହକି କଂପ୍ଲେକ୍ସରେ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍‌ ହକି ସିରିଜ୍ ଫାଇନାଲ୍ସକୁ ନିର୍ଧାରିତ ସମୟରେ ଆୟୋଜନ କରିବା ନେଇ ଆଶଙ୍କା ‌ଦେଖାଦେବାରୁ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଆଲୋଚନା ଆରମ୍ଭ ହୋଇଛି। ଲକ୍ଷ୍ନୌ କିମ୍ବା ରାୟପୁର ଏହି ଦୌଡ଼ରେ ଆଗୁଆ ରହିଛି। ନୂଆଦିଲ୍ଲୀ, ବେଙ୍ଗାଲୁରୁ ଏବଂ ପୁନେ ପିଚ୍‌ ମଧ୍ୟ ଆଲୋଚନା ପରିସରରେ ରହିଥିଲା। ଦିଲ୍ଲୀ ଟର୍ଫ କାମ ଆରମ୍ଭ ହୋଇନଥିବା ବେଳେ ବେଙ୍ଗାଲୁରୁଠାରେ ଦର୍ଶକ ଗ୍ୟାଲେରି ନାହିଁ। ମହାରାଷ୍ଟ୍ରର ପୁନେରେ କରାଇବା ନେଇ ହକି ଇଣ୍ଡିଆ ଏବଂ ମହାରାଷ୍ଟ୍ର ହକି ସଂଘ ବିବାଦ ରହିଛି। ସେହି ଦୃଷ୍ଟିରୁ ଲକ୍ଷ୍ନୌ ଏବଂ ରାୟପୁର ଆଗୁଆ ରହିଛନ୍ତି। କଳିଙ୍ଗ ଷ୍ଟାଡିୟମ୍ ମରାମତି କାମ ୩ ସପ୍ତାହ ମଧ୍ୟରେ ଶେଷ ହେବା ନେଇ ଆଶଙ୍କା ଥିବାରୁ ଏଫ୍‌ଆଇଏଚ୍‌ ସିରିଜ୍ ଫାଇନାଲ୍‌ସକୁ ଆମକୁ ସ୍ଥାନାନ୍ତର କରିବାକୁ ପଡ଼ିବ’ ବୋଲି ହକି ଇଣ୍ଡିଆର ଜଣେ ଅଧିକାରୀ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ୨୦୧୫ ମସିହାରେ ରାୟପୁର ହକି ବିଶ୍ବ ସିରିଜ୍ ଫାଇନାଲ୍‌ସ ଆୟୋଜନ କରି ବେଶ୍‌ ପ୍ରଶଂସିତ ହୋଇଥିଲା। ‘ଆମକୁ କିନ୍ତୁ ଏବେ ସୁଦ୍ଧା କୌଣସି ପ୍ରସ୍ତାବ ଆସିନାହିଁ, କିନ୍ତୁ ରାଜ୍ୟ ସରକାରଙ୍କ ସମର୍ଥନ ମିଳିଲେ ଆମେ ଆୟୋଜନ କରିପାରିବୁ’ ବୋଲି କହିଛନ୍ତି ଛତିଶଗଡ଼ ହକି ସଂଘ ସମ୍ପାଦକ ମନୀଷ ଶ୍ରୀବାସ୍ତବ। ଅନ୍ୟପକ୍ଷରେ ୨୦୧୬ରେ କନିଷ୍ଠ ବିଶ୍ବକପ୍‌ ଆୟୋଜନ କରିଥିବା ଲକ୍ଷ୍ନୌ ମଧ୍ୟ ଅନ୍ୟତମ ଦାବିଦାର ରହିଛି।

ଅନ୍ତର୍ଜାତୀୟ ହକି ସଂଘ (ଏଫ୍‌ଆଇଏଚ୍‌) ଏବଂ ହକି ଇଣ୍ଡିଆ (ଏଚ୍‌ଆଇ) ଏ ନେଇ ଯୋଗାଯୋଗରେ ରହିଛନ୍ତି। ୨୦୧୮ ନଭେମ୍ବର-ଡିସେମ୍ବରରେ ଅନୁଷ୍ଠିତ ପୁରୁଷ ହକି ବିଶ୍ବକପ୍‌ ବେଳେ ନବ ନିର୍ମିତ ବିଜୁ ପଟ୍ଟନାୟକ ହକି କଂପ୍ଲେକ୍ସ ଭୟଙ୍କର ଭାବେ ଫନି ପ୍ରଳୟରେ କ୍ଷତିଗ୍ରସ୍ତ ହୋଇଛି। ବିମାନବନ୍ଦର, ରେଳଷ୍ଟେସନ୍‌ ସହିତ ଷ୍ଟାଡିୟମ୍‌ର ରୁମ୍‌, ଫ୍ଲଡ ଲାଇଟ୍ କ୍ଷତିଗ୍ରସ୍ତ ହୋଇଛି। ଏବେ ମଧ୍ୟ ବିଦ୍ୟୁତ ଓ ପାଣି ସଂଯୋଗ ବିଚ୍ଛିନ୍ନ ଅଛି। ସ୍ବାଭାବିକ ସ୍ଥିତି ଆସିବାକୁ ମାସାଧିକ ସମୟ ଲାଗିଯିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ସରକାର ଏବେ ରିଲିଫ୍‌ ଏବଂ ଥଇଥାନ ଲାଗି ବ୍ୟସ୍ତ ରହିଛନ୍ତି। ମେ’ ୨୩ ତାରିଖରେ ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଥିବାରୁ ଅର୍ଥ ଯୋଗାଡ଼ରେ ବି ସରକାର ଅଡୁଆରେ ପଡ଼ିପାରନ୍ତି। ଏଫ୍‌ଆଇଏଚ୍ ସିରିଜ୍ ଫାଇନାଲ୍ସ ଟୋକିଓ ଅଲିମ୍ପିକ୍ସ ପାଇଁ ଏକ ପ୍ରାକ୍‌ ଯୋଗ୍ୟତା ପ୍ରତିଯୋଗିତା। ଭାରତ ସହିତ ଉଜ୍‌ବେକିସ୍ତାନ, ଦକ୍ଷିଣ ଆଫ୍ରିକା, ଜାପାନ, ଆମେରିକା ଏବଂ ମେକ୍ସିକୋ ଏଥିରେ ଭାଗନେବେ। ଶୀର୍ଷ ଦୁଇ ଦଳ ଅକ୍ଟୋବରରେ ଖେଳାଯିବାକୁ ଥିବା ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଲାଗି ଯୋଗ୍ୟତା ଅର୍ଜନ କରିବେ। ମେ’୨୯-୩୦ ତାରିଖ ସୁଦ୍ଧା ବିଦେଶୀ ଦଳଗୁଡିକ ଭୁବନେଶ୍ବର ପହଞ୍ଚିବାର କାର୍ଯ୍ୟକ୍ରମ ରଖିଥିବାରୁ ଏବେ ସବୁ ଆଶଙ୍କା ଭିତରେ ରହିଛି। ଏ ସମ୍ପର୍କରେ ରାଜ୍ୟ କ୍ରୀଡ଼ା ବିଭାଗ ସହିତ ଯୋଗାଯୋଗ କରାଯିବାକୁ ଚେଷ୍ଟା ହୋଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା।

ସମ୍ବନ୍ଧିତ ଖବର